Unknown

 

 

 

 

 

 

 

 

 

 

 

 

ପଥର ଢିମା

ରାଜକିଶୋର ପଟ୍ଟନାୟକ

 

ଡକ୍ଟର ହରେକୃଷ୍ଣ ମହତାବ

 

ମାନନୀୟେଷୁ !

 

ମହାଶୟ,

 

ଦ୍ଵିତୀୟ ମହାଯୁଦ୍ଧର ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଓ ଏହାର ବିଶିଷ୍ଟ କଳାକାରମାନେ ଆପଣଙ୍କର ଦୂରଦୃଷ୍ଟିର ସୃଷ୍ଟି । ଏହାର ପୂର୍ବବର୍ତ୍ତୀ ସାହିତ୍ୟିକମାନେ ଆପଣଙ୍କର ସହୃଦୟତା ଓ ସୌଜନ୍ୟରେ ପରିପୁଷ୍ଟ । ତେଣୁ ଏହି ଯୁଗଟି ବାସ୍ତବିକ ଆପଣଙ୍କର ଯୁଗ ।

 

ମହତାବ ଯୁଗର ଆପଣ ଏକାକୀ ପ୍ରାଣ–ପ୍ରତିଷ୍ଠାତା ଓ ଅପ୍ରତିଦ୍ଵନ୍ଦୀ କଳାକାର । ସର୍ଜନା, ସୃଷ୍ଟି ଓ ସଂଗଠନ ସବୁ ବିଭାଗରେ ଆପଣ ଅତୁଳନୀୟ ।

 

ମୋର ଏହି ଅକିଞ୍ଚନ ଭକ୍ତି-ନିବେଦନ ଦୟାକରି ଗ୍ରହଣ କରିବେ ।

 

ଶାନ୍ତି ନିବାସ

ବିନୀତ

ପୁରୀଘାଟ ରୋଡ଼

ରାଜକିଶୋର

କଟକ–୧

୮ । ୪ । ୬୪

☆☆☆

 

ସୂଚୀପତ୍ର

 

୧.

ଯୁଗଧର୍ମ୍ମ

୨.

ମହାଜନ

୩.

ଦ୍ଵନ୍ଦ୍ୱ

୪.

କାଦୁଅ

୫.

ଜଣେ ଲୋକ

୬.

ବାବୁ

୭.

କାକର

☆☆☆

 

ଏହି ଲେଖକଙ୍କର ପ୍ରକାଶିତ ଉପନ୍ୟାସ

 

୧.

ଅସରନ୍ତି

୨.

ସ୍ମୃତିର ମଶାଣି

୩.

ବିରହିଣୀ

୪.

ପ୍ରେମିକର ଡାଏରୀ

୫.

ସଞ୍ଜବତୀ

୬.

ଚଲାବାଟ

୭.

ସପନ କୁହୁଡ଼ି

୮.

ଭସାମେଘ

୯.

ସିନ୍ଦୂର ଗାର

୧୦.

କଜଳ ଗାର

 

ପ୍ରକାଶିତ କ୍ଷୁଦ୍ରଗଳ୍ପ ପୁସ୍ତକ

 

୧୧.

ପଥୁକି

୧୨.

ତୁଠପଥର

୧୩.

ହୃଦୟର ବନ୍ଧନ

୧୪.

ନିଶାଣ ଖୁଣ୍ଟ

୧୫.

ଶାଳଗ୍ରାମ

୧୬.

ଭଡ଼ାଘର

୧୭.

କଳ୍ପନାର ଫୁଲ

୧୮.

ପଥର ଢିମା

 

ଅନ୍ୟାନ୍ୟ

 

୧୯.

ପ୍ରେମର ନିୟତି

୨୦.

ପଞ୍ଜୁରୀ ପକ୍ଷୀ

୨୧.

ଅପ୍ରକାଶିତ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

☆☆☆

 

 

 

 

 

 

 

 

 

 

 

 

 

ଉପହାର

 

 

 

 

 

 

 

 

 

 

 

 

ପଢ଼ିବା ଲୋକର ମତାମତ

 

ଯୁଗଧର୍ମ୍ମ

 

କଥା ଅଛି ଯେ ବିରାଡ଼ି ହେଉଛି ଚୋର, ମାଙ୍କଡ଼ ଡକେଇତ ଆଉ କୁକୁର ମାଗିଖିଆ । ସେଇ ଲୋକେ ବି କହନ୍ତି ବିରାଡ଼ି କାହାକୁ ଦେଲେ ଘରୁ ଲକ୍ଷ୍ମୀ ଛାଡ଼ିଯାନ୍ତି । ଏହି କାରଣରୁ ଆମରି ସମାଜରେ କୁକୁରଛୁଆର ଦେଣନେଣ ପରି ବିରାଡ଼ି ଦିଆନିଆ ହୁଏ ନାହିଁ । ବଣବୁଦାର ବିରାଡ଼ି ରାସ୍ତାରୁ ଘରକୁ ଆସେ । ଆଦର ପାଇଲେ ରହିଯାଏ ।

 

ସେ’ବି ସେମିତି ଆସିଥିଲା ବାହାରୁ–ଦେଶୀ ବିରାଡ଼ି । ତା’ର ଜାତିପତି, କୁଳଗୋତ୍ର କାହାରିକୁ ଜଣାନାହିଁ । କୁକୁରଛୁଆଟିଏ ମରିଯିବା ପରେ ବିରାଡ଼ିଟି ଅନ୍ୟ କାହାରି ବିନା ପ୍ରତିବାଦରେ ସେହି ଘରର ପିଲା ଦୁଇଟିଙ୍କର ମନର ଶୂନ୍ୟସ୍ଥାନ ପୂରଣ କରି ପଶିଯାଇଥିଲା ଘର ଭିତରେ ।

 

ସମସ୍ତଙ୍କୁ ସୁଖ ଦେଇଥିବାରୁ ଅବା ସେ ନିଜେ ସ୍ନେହ ଆଦର, ସେବା ଶୁଶ୍ରୂଷା ସବୁ ବିନା ଚେଷ୍ଟାରେ ପାଇଯିବାରୁ ତା’ର ନାଁ ଦିଆଯାଇଥିଲା ସୁଖୀ । ସୁଖୀ ପରିବାରଟିକୁ ତନ୍ମୟ କରି ରଖିଥିଲା ନିଜର ଅସଂଖ୍ୟ ପୁଅ ନାତିଙ୍କର ଖେଳ କୌତୁକଦ୍ୱାରା ।

 

ଲୋକେ କହନ୍ତି ବିଲେଇ କାମ କରେ ନାହିଁ । ବିଲେଇ ଚୋରି କରେ । ସେ ପୋଷା ମାନେ ନାହିଁ । ସେହି ପରିବାରଟି କେବେହେଲେ ଏହି ନିନ୍ଦା ଦେଇନାହାନ୍ତି । ତାଙ୍କରି ଭିତରୁ ଜଣେ ବୋଲି ଧରିନେଇ ସେଇ ସୁଖୀ ଆଉ ତା’ର କୁଟୁମ୍ବଙ୍କ ଉପରେ ଯେମିତି ନିଜର ସ୍ନେହ ଆଦର, ସେବାଯତ୍ନ ଅଜାଡ଼ି ଦେଇଥିଲେ, ସୁଖୀ ଆଉ ତା’ର ପରିବାର ଠିକ୍ ସେମିତି ପ୍ରତିଦାନ ଦେଇଥିଲେ-

 

ପୁଅ ଶୋଇଥିଲା ଖଟରେ । ମଶାରି ଉପରେ କମରପଟି ସାପଭଳିଆ ଗୁଡ଼ିଆ ହୋଇ ପଡ଼ିଥିଲା । ଛ’ଟି ବିରାଡ଼ି ବସିଥାନ୍ତି ଖଟ ଉପରେ । ଖାଇବାକୁ ଡାକିଲେ ଆସନ୍ତି ନାହିଁ । ଶବ୍ଦ ବି କରନ୍ତି ନାହିଁ ।

 

–କଥା କ’ଣ ? ପୋଖରୀକୂଳର ବଗପରି ପିଲାଟିକୁ ଘେରି ଏତେ ବିରାଡ଼ି କ’ଣ କରୁଛନ୍ତି । ଟିକିଏ ଉପରକୁ ଆଉ ଟିକିଏ ତଳକୁ ଚାହୁଁଥାନ୍ତି । ଦେଖୁ ଦେଖୁ ବୁଝାଗଲା ଯେ କମରପଟି ଉପରେ ଆଖି । ସାପ ମନେକରି ପିଲାଙ୍କୁ ଜଗିଛନ୍ତି ।

 

ସେଇଟି ତଳେ ଫୋପାଡ଼ି ଦିଆଗଲା । ସେମାନେ ତାଙ୍କର ଗୋଲ ଗୋଲ ନାକରେ ଟିକିଏ ଟିକିଏ ଶୁଙ୍ଘିଦେଇ ମିଆଁଉ ମିଆଁଉ କରି ବାହାରି ଚାଲିଗଲେ ।

 

କୁକୁର ଘର ଜଗେ । ପିଲାଙ୍କ ସାଙ୍ଗରେ ଖେଳେ । ବିରାଡ଼ିଗୁଡ଼ିକ ସେଥିରୁ ବ୍ୟତିକ୍ରମ କରି ନ ଥିଲେ । ପିଲାମାନେ ଇଟା ଉପରକୁ ଝାଡ଼ା ଫେରିଗଲା ବେଳେ ବିରାଡ଼ିମାନେ ଜଗି ରହନ୍ତି-। ପିଲାଙ୍କର ସେହି ଅଦରକାରୀ କଥା ଖେଳକୌତୁକ ଆଗରେ ଦି’ଗୋଡ଼ରେ ଭରା ଦେଇ ସେମାନେ ଚାହିଁଥାନ୍ତି ।

 

ବିଛାଟାଏ । ପିଲାଙ୍କ ଦୃଷ୍ଟି ପଡ଼ିବା ଆଗରୁ ବିରାଡ଼ି କୁଦିପଡ଼େ । ଥରେ ନୁହେଁ ତିନି ଥର-। ପିଲାଙ୍କ ଦେହରେ ଆଘାତ ନ ବାଜୁ ସେଥିପାଇଁ ଏ ଜୀଅନ୍ତା ପ୍ରାଣୀଗୁଡ଼ିକ ଯେଉଁ ଏକାଗ୍ର ମନରେ ଜଗିରହନ୍ତି ତା’ର ତୁଳନା ମଣିଷଠାରୁ କେବେ କେମିତି ମିଳେ । କଙ୍କଡ଼ାବିଛାକୁ ଡରି ନାହାନ୍ତି । ତା’ ନାହୁଡ଼ର ଆଘାତ ନିଜ ଦେହରେ ଜରେଇ ଦେଇ ସେମାନେ ବହୁତ କଷ୍ଟ ଭୋଗିଛନ୍ତି-। କି କଷ୍ଟ, ମୁହଁ ଖୋଲି କହିନାହାନ୍ତି । ତାଙ୍କର କଷ୍ଟ କାଢ଼ିନେବାକୁ ମଣିଷ ବି ସେତେ କଷ୍ଟ କରିନାହିଁ । ସେହି କର୍ତ୍ତବ୍ୟବୋଧର ଖବର ଦୁନିଆର ଦାଣ୍ଡରେ ସେମିତି କିଛି ଆଲୋଚନା ହୋଇନାହିଁ । ସେମାନଙ୍କୁ କୁହାଯାଏ ପଶୁ ।

 

ଘରର ପିଲାମାନେ ଯେମିତି ନିୟମ ଜଗି ଖା’ ପିଅ କରନ୍ତି ବିଲେଇଗୁଡ଼ିକ ବି ସେମିତି ନିୟମ ମାନି ଚଳନ୍ତି । ଅସମୟରେ, ଅପାତ୍ରରେ ବା ଜବରଦସ୍ତି କରି ଖାଇବାର ଅଭ୍ୟାସ କେବେହେଲେ କରି ନ ଥିଲେ । ମଣିଷ ପିଲା ଅବେଳରେ ଖା’ନ୍ତି । ଖାଇବାର ପ୍ରବୃତ୍ତି ନ ଥିଲେ ପାଟିର ଟକଳା ମେଣ୍ଟାଇବାକୁ ଦି’ ଟା କଳରେ ବୁଲେଇ ନିଅନ୍ତି । କିନ୍ତୁ ମଣିଷ ସାଙ୍ଗରେ ରହି ବିଲେଇଗୁଡ଼ିକ ଅଭ୍ୟସ୍ତ ଯୋଗୀଙ୍କପରି ନିଜର ପ୍ରବୃତ୍ତି ଶାସନ କରି ଶିଖିଥିଲେ । ସକାଳେ ବାବୁ ଚା’ ଖାଇଲାବେଳେ ଟିକିଏ ଟିକିଏ ଦୁଧ ଦିଅନ୍ତି । ଦି’ ପହରେ ଗରମ ଭାତ ଆଉ ମାଛ, ଉପରଓଳି ସେଇ ଭଜା, ଆଉ ରାତିରେ ସେମିତି ଭାତ ।

 

ଅନ୍ୟ ସମୟରେ କେହି ନ ଦେଲେ ଲୁଚେଇ ଛପେଇ ଅସାଧୁ କର୍ମଚାରୀଙ୍କ ପରି ଲୋକନିନ୍ଦା ଆଉ ରାଜଶାସନର ଭୟକୁ ବେଖାତିର କରି ପ୍ରାପ୍ୟରୁ ଅଧିକ ନିଅନ୍ତି ନାହିଁ । ରୋଷେଇ ଘରେ ମାଛ ଥିଲେ ସେମାନେ ଘେର କରି ବସିଥାନ୍ତି । ସମସ୍ତେ ସୁଖୀର ପରିବାର । ସୁଖୀ ବଂଶ ବଢ଼େଇ ମରିଗଲାଣି । ମଲାବେଳେ ତାକୁ ଘରୁ ରାସ୍ତାକୁ ଫୋପାଡ଼ି ଦିଆହୋଇଥିଲା । ଘରେ ଥିଲାବେଳେ ଘଷାଆଉଁସା ପାଉଥିଲା । ଖଟ ପଲଙ୍କରେ ବସୁଥିଲା । ମରିଗଲା ପରେ ତାକୁ ଅତି ଅଦରକାରୀ ଭାବରେ ଫୋପାଡ଼ି ଦିଆହୋଇଥିଲା ।

 

ସୁଖୀ ତ ନାହିଁ । ସୁଖୀ ଝିଅ ମିନି ସମସ୍ତଙ୍କୁ ଶାସନ କରେ । ସେ ବି ଗୋଟାଏ ଆଶ୍ଚର୍ଯ୍ୟ-। ପଞ୍ଝାରେ ମୁହଁକୁ ମାଡ଼ ମାରେ । ଭୁଲ ଦେଖିଲେ ଶାସନ କରେ । କିନ୍ତୁ ତାକୁ କେହି ଶାସନ କରନ୍ତି ନାହିଁ । ଶାସନ ବିରୁଦ୍ଧରେ କୌଣସି ଉପରିସ୍ଥ କର୍ମଚାରୀଙ୍କୁ ପ୍ରତିବାଦ ପଠାନ୍ତି ନାହିଁ-। ଭୁଲଟା ଯେ କାହିଁକି ଭୁଲ ହେଲା ସେ ବିଷୟରେ ଆଲୋଚନା କରନ୍ତି ନାହିଁ । ଅତି ନିଃଶବ୍ଦରେ ନିଜର ଦଣ୍ଡ ନିଜେ ନେଇ ସେମାନେ ଇତଃସ୍ତତଃ ହୋଇଯାନ୍ତି ।

 

ସେହି ଶାସନର ଖବର, ସେହି ବିଚାରର ବିବରଣୀ ବିରାଡ଼ି ଲେଖି ରଖେ ନାହିଁ । ତା’ର ନିରପେକ୍ଷ ବିଚାରପାଇଁ ପୁରସ୍କାର, ପ୍ରଶଂସା ଓ ପଦୋନ୍ନତି ଖୋଜେ ନାହିଁ ଅବା ହାକିମି କରୁଛି ବୋଲି ନିଜକୁ ବାହାରେ ପ୍ରତାପୀ ବୋଲି ଦେଖାଇ ହୁଏ ନାହିଁ ।

 

ସେହି କଅଁଳ ମିଆଁଉ ମିଆଁଉ ଶବ୍ଦ । ସେତିକି ତା’ର ପୋଷାକ ଆଉ ବଳ । ଆଶ୍ରିତ ହୋଇ କେମିତି ନିଜର ମାନ ରଖି ପରଠାରୁ ମାନ ନେଇହୁଏ, ସେତକ ସେହି ବୁଲା ବିରାଡ଼ି ଛୁଆ ମିନି ସମସ୍ତଙ୍କର ଲକ୍ଷ୍ୟରେ କରି ଦେଖାଇ ଦେଉଥିଲା ।

 

ବାବୁଙ୍କ ଘରେ ସମସ୍ତଙ୍କର ମୁଣ୍ଡ ଗରମ । ସମସ୍ତେ ସବୁ କଥାରେ ବିବ୍ରତ ହୋଇପଡ଼ନ୍ତି-। କେମିତି ଅଧିକ ମାରିନେବେ, ସେଥିପାଇଁ ଆପ୍ରାଣଚେଷ୍ଟା ଚଳାଇ ମୁଣ୍ଡ ବେମାରି, ମୁଣ୍ଡର ବିକାର ଧରିନିଅନ୍ତି । ସେମାନଙ୍କର ଜ୍ଞାନ ସାଙ୍ଗରେ ତାଳ ରଖି ଆଶଙ୍କାଭରା ମନର ଆତୁରତା ପାଟ ଉପରର ମଶାଣି ଆଲୁଅ ପରି ଧପ୍ ଧପ୍ ଜଳିଉଠେ । କିନ୍ତୁ ପୁଣି ଥରେ ଦାଣ୍ଡକୁ ଫେରିଯିବ–ଏ ଧାରଣା ମିନିକୁ କେବେହେଲେ ଅସ୍ତବ୍ୟସ୍ତ କରେ ନାହିଁ ।

 

ପାଖ ପଡ଼ୋଶୀଏ ଦେଖିବାକୁ ଆସନ୍ତି–ବିଲେଇଗୁଡ଼ାକ କେମିତି ମାଛ ଜଗିପାରନ୍ତି, ଦୁଧକୁ ଜଗିପାରନ୍ତି । ସେମାନେ ଆସି ଦେଖି ସାବାସ ଦେଇ ପିଠି ଥାପୁଡ଼ାଇ ବାହାରି ଚାଲିଯାନ୍ତି । କିନ୍ତୁ ମିନିର ଝିଆରୀ ଏଷି ଓ ମିନିର ଝିଅ ନଖୀ ଓ ଅନ୍ୟାନ୍ୟ ବିଲେଇଙ୍କର ସେହି ଅପଲକ ଅସୁନ୍ଦର ଆଖିରେ ମଣିଷର ଏହି ନିନ୍ଦା ପ୍ରଶଂସା ଓ ତା’ର କୌତୂହଳ ବିସ୍ମୟ ରେଖାପାତ କରେ ନାହିଁ ।

 

ସେମାନେ ତାଙ୍କର ସେହି ସନ୍ଦେହୀ ଅଚଞ୍ଚଳ ଆଖି ଦେଖାଇ ସତେ ଯେପରି କହୁଥାନ୍ତି–ସଂସାରରେ ଥିବା, ବହୁପରିମାଣରେ ମିଳୁଥିବା ପଦାର୍ଥଗୁଡ଼ିକୁ ବିସ୍ମୟ ବିସ୍ଫାରିତ ଆଖିରେ ଚାହିଁରହିବା ଆଉ ସେହି ବିସ୍ମୟକୁ ଦେଖିବାରେ, ଦେଖାଇବାରେ ମଣିଷ କହିହୁଏ ଯେ ସେ ପଶୁଠାରୁ ଉପରେ । ଏମିତି ତାହାହେଲେ ସେ କ’ଣ ଉପରେ ?

 

ମୁଚୁଳା ମୋଡ଼ି ବିଛଣା ଉପରେ ଶୋଇଥିଲାବେଳେ ସେମାନେ ଗୋଇଠା ଠେଲା ଯେ ନ ଖାନ୍ତି, ତା’ ନୁହେଁ । ସେ ଗୋଇଠା ସେମାନେ ହସି ହସି ପାସୋରି ଦିଅନ୍ତି । ଆଶ୍ରିତ ଲୋକ ଗୋଇଠା ପାଇବା କଥା । ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ମଣିଷପରି ସେମାନେ ଗୋଇଠା ବିରୁଦ୍ଧରେ ପ୍ରତିବାଦ କରନ୍ତି ନାହିଁ । ଗାଳିମନ୍ଦ ଦେଲେ କାନ୍ଦନ୍ତି ନାହିଁ । ବେଶି କାଟିଲେ ରୁଷନ୍ତି ।

 

ସ୍ନେହୀ ଲୋକର ଆଘାତ କେତେବେଳେ ହେଲେ ନିର୍ମ୍ମମ ନୁହେଁ । ସେ ଖାଲି ଠେଲିଦିଏ-। ସେଇ ଠେଲା ଲାଠିବାଡ଼ିର ଆଘାତଠାରୁ ଆହୁରି ଅଧିକ ବାଧେ । ମିନି ରୁଷେ । ନଖୀ ଆଉ ସେ ଭୁଲ କରେ ନାହିଁ ।

 

ଏମିତି ଆନନ୍ଦର ସଂସାର । ସତେ ଯେପରି ସବୁବେଳେ ମିଆଁଉ ମିଆଁଉ କରି ଜାଗିରିଖିଆ ପୁରୋହିତ ପରି ସେମାନେ ଅହରହ ଜଣାଣ କରୁଥାନ୍ତି–ବାବୁଙ୍କର ଭଲ ହେଉ ।

 

ବାବୁ ମରିଗଲେ । କେଡ଼େ ଭଲ ଲୋକ ! ଯେତେ ଜାଗାକୁ ବଦଳି ହୋଇଛନ୍ତି, ସେତେ ଜାଗାକୁ ଗାଡ଼ିଭଡ଼ା କରି ଟୋକେଇ ଜାଲିରେ ଭର୍ତ୍ତି କରି ବିଲେଇଗୁଡ଼ିକୁ ବୋହି ବୋହି ନେଇଛନ୍ତି । ମୌରୁସି ବଣବୁଦା, ନିଜର ଚିହ୍ନା ପରିଚୟ ରାସ୍ତାଘାଟ ବିନା ପ୍ରତିବାଦରେ ଛାଡ଼ି ଯାଇଛନ୍ତି । ବଦଳି ବିରୁଦ୍ଧରେ ବାବୁ ପ୍ରତିବାଦ କରିଛନ୍ତି । ତାଙ୍କର ସୁବିଧା ଅସୁବିଧାର ତାଲିକା କରିଛନ୍ତି । କିନ୍ତୁ ବିଲେଇଗୁଡ଼ିକ ବାବୁଙ୍କ ସାଙ୍ଗରେ ଆନନ୍ଦରେ ଯାଇପାରିଛନ୍ତି ।

 

ଯାହା ଆସୁଛି ଆସୁ । ସେଥିପାଇଁ ମନକୁ ବିମର୍ଷ କରନା । ଏତିକି କଥା ବୁଝାଇବାକୁ ନିଜର ଭାଗ୍ୟକୁ, ନିଜର କର୍ମକୁ ବିନା ପ୍ରତିବାଦରେ ଭୋଗ କରିଯିବାକୁ ସେହି ପଶୁଗୁଡ଼ିକ ସେମାନଙ୍କ ବ୍ୟବହାରରେ, ସେହି ନିଶ୍ଚଳ ଆଖିର ସ୍ଥିର ଚାହାଣୀ ଭିତରେ, ସେହି ଅସ୍ପଷ୍ଟ ମିଆଉଁ ମିଆଉଁ ଡାକ ଭିତରେ ବାରମ୍ବାର ଇସାରା କରିଛନ୍ତି । ମଣିଷର ବୁଦ୍ଧି ବେଶି । ତେଣୁ ସେ ଦେଖି ନ ଦେଖିଲା-ପରି ରହେ । ବୁଝିବାକୁ ଚେଷ୍ଟା ନ କରି ଆତୁର ହୋଇ ଏଣେତେଣେ ବୁଲେ ।

 

ବିଲେଇଗୁଡ଼ିକ ବାବୁ ପରିବାର ମନକୁ ସ୍ଵାଭାବିକ କରିବାକୁ ସେମିତି ଘୁଡ଼ୁଘୁଡ଼ୁ ହୋଇ ଘଷି ହୋଇଯାନ୍ତି । ବାବୁଙ୍କୁ ବୁଝାଇବାକୁ ଅହରହ ଚେଷ୍ଟା କରନ୍ତି–ଯେଉଁ ଟିକକ ସୁଖ ଆପଣାର ଲୋକ ଆଉ ଆଶ୍ରିତ ଅନ୍ତରଙ୍ଗମାନଙ୍କଠାରୁ ମିଳେ ସେତିକି ହେଉଛି ମଣିଷର ସୁଖର ସଂସାର । ସେଥିରେ ଜିଲ୍ଲା, ଦେଶ, ଭାଷା ଓ ପ୍ରାସାଦ କୁଟୀର କୌଣସି ବ୍ୟବଧାନ ଆଣିପାରେ ନାହିଁ । ସ୍ଵଦେଶ ବିଦେଶ ବୋଲି କ’ଣ କଥା ଅଛି ?

 

ବାବୁମାନଙ୍କର ଚିନ୍ତାକୁଳ ମୁହଁର ବିକୃତି ଦେଖି ସେମିତି ସ୍ଥିର ସହଜ ଦୃଷ୍ଟିରେ ସେମାନେ ଚାହିଁରହନ୍ତି । ମନର ପରିବର୍ତ୍ତନ ନ ହେଲାଯାଏ ସଂସାରର ଲାଭକ୍ଷତି ସମାନ । ସେହି ସମ୍ବାଦ ବାବୁମାନଙ୍କର ମନ ଉପରେ ଅନୁଭବ ଭିତରେ ପହଞ୍ଚିପାରେ କି ନାହିଁ ସେମାନେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଯିଏ ବୁଝିବ ନାହିଁ, ବୁଝିପାରିବ ନାହିଁ ବା ବୁଝିବାକୁ ଚେଷ୍ଟା କରିବ ନାହିଁ, ତାକୁ ବୁଝାଇବା ହେଉଛି ଅତ୍ୟାଚାରର ଅନ୍ୟ ରୂପ । ସେତିକି କେବଳ ମଣିଷ କରେ । ପଶୁମାନେ କରନ୍ତି ନାହିଁ ।

 

ଏତେ ସେବାଯତ୍ନ ସେହି ବାବୁଙ୍କୁ ଆଉ ତାଙ୍କ ପରିବାରଙ୍କୁ ସେମାନେ ଦେଇଥିଲେ । ତା’ର ଆଜି ଶେଷ ।

 

ଯେଉଁ ଲୋକ ପାଳି ଆଣିଥିଲେ ସେଇ ମରିଯାଇଛି । ସେହି ସମ୍ବାଦ ଘର ଲୋକେ ପଶୁମାନଙ୍କୁ ଦେଇ ନାହାନ୍ତି । ତାଙ୍କର ତ ଜୀବନ ଅଛି । ଆତ୍ମା ନାହିଁ । ଅନୁଭୂତି ବୁଦ୍ଧି ନାହିଁ । ସେମାନଙ୍କୁ ପୋଷା ହୋଇଥିଲା–ସେମାନେ ଅଦରକାରୀ । ବଣ୍ଟା ହୋଇନାହିଁ ବୋଲି ପଲ ହୋଇଯାଇଥିଲେ ।

 

ବାବୁଙ୍କର ମଡ଼ା ଯେତେବେଳେ ବାହାରକୁ ଯିବାପାଇଁ ବାହାରେ ଥୁଆ ହୋଇଥିଲା, ମିନି କାହାରିକୁ ଭୟ ନ କରି ଗୋଟିଏ ମକା କେଉଁଠୁ ଯୋଗାଡ଼ କରି ଆଣି ତାଙ୍କରି ପାଖରେ ଥୋଇ ସେଇ ଦେହକୁ ଚାହିଁ ଲୋକଙ୍କର ଯା’ଆସକୁ ଭ୍ରୂକ୍ଷେପ ନ କରି ଚାହିଁ ବସିଥିଲା ।

 

–ହେଇ ଦେଖ ବାବୁ, ଏମିତି ସବୁ ଜିନିଷ ସରିଯାଏ । ଜୀବନ ଆଦ୍ୟରେ ଓ ପ୍ରାନ୍ତରେ ଏମିତି ମୂଲ୍ୟହୀନ । କର୍ମବହୁଳ ଜୀବନର ଅନ୍ତିମ ଦଶା ଠିକ୍ ଏମିତି । ମଣିଷ ଯେମିତି ମଣିଷ ପାଇଁ କରେ ପଶୁ ବି ସେମିତି କରନ୍ତି । ଆଉ ପଶୁ ଅସ୍ତବ୍ୟସ୍ତ ହୋଇ ନିଜର ଦୁଃଖକୁ ଢାଙ୍କିବାକୁ ଘୋଡ଼ାଇବାକୁ ହଲଚଲ ହୁଅନ୍ତି ନାହିଁ । ସେଇ ଏକା ବସି ରହିଥିଲା ସେଇ ଶବପାଖରେ । ସେଇ କଞ୍ଚା ମକାଟି କୋଉଠୁ କ’ଣ ପାଇଁ ସେ ଆଣିଥିଲା, ତା’ର କୌଣସି ଉଦ୍ଦେଶ୍ୟ ସେ ଜଣାଇ ନାହିଁ । ସେ ତା’ରି ପରି ମୂକ ମୌନତ୍ଵ ଭିତରେ ନିଜକୁ ହଲଚଲ ନ କରି ଆଖିରୁ ଲୁହ ନିଗଡ଼ାଇ ନିଜର ଶେଷ ପରିଚୟ କରିଯାଇଥିଲା ।

 

–ବାବୁ ଚାଲିଗଲେ । ଏ ବିରାଡ଼ିମାନଙ୍କୁ ଖାଇବାକୁ ଦିଆହେବ କ’ଣ ?

 

–ଏ ବି ତ ଗୋଟାଏ ସମସ୍ୟା ! ମିନି ତ ବଞ୍ଚିବ ନାହିଁ । ସେ ଶେଷ ବେଳରେ ବାବୁଙ୍କ ପାଖରେ ବସି ରହିଥିଲା । ଝୁରି ଝୁରି ମରିଯିବ । ଆଉଗୁଡ଼ାକ ମୋଟେ ଝୁରିବେ ନାହିଁ । ପଲେ ହୋଇଛନ୍ତି । ମିନି ହେଲେ ବଞ୍ଚନ୍ତା !

 

ସତେ ଯେପରି ବିଲେଇଗୁଡ଼ିକ ସେଇ ବାବୁ ପରିବାରଟିର ସୁବିଧା ଅସୁବିଧା ବୁଝିଯାଇଥିଲେ । ପନ୍ଦର ଦିନ ଭିତରେ ସେମାନେ ଗୋଟିଏ ଗୋଟିଏ ହୋଇ ସବୁ ମରିଗଲେ ।

 

ଯାହାର ଅନ୍ନ ଖାଇବାକୁ ଆସିଥିଲେ, ସେ ଚାଲିଗଲା ପରେ ସେମାନେ ଯେପରି ବୁଝିଲାପରି ଯେଉଁ ମହାଶୂନ୍ୟରୁ ଜୀବର ରୂପ ନେଇ ଆସିଥିଲେ ପୁଣି ସେଠିକି ଚାଲିଯାଇଛନ୍ତି ଖାଲି ତିନୋଟିଙ୍କୁ ଛାଡ଼ି–ମିନି, ମିନିର ଝୁଅ ନଖୀ ତା’ର ଝିଆରୀ ଏପି ।

 

ଏପି ପିଲାବେଳୁ ମା’–ଛେଉଣ୍ଡ । ପିଲାବେଳୁ ସେ ଏକୁଟିଆ । ଅନ୍ୟମାନଙ୍କ ସାଙ୍ଗରେ ବେଶି ମିଶେ ନାହିଁ । ଅନ୍ୟମାନେ ମରିଗଲା ପରେ ଲୋକେ କହିଲେ–ଏପି ମୋଟେ ବାବୁଙ୍କୁ ପଚାରୁ ନ ଥିଲା । ସେଥିପାଇଁ ଏପି ମରନ୍ତା କିପରି ? ନଖୀ ମିନିର ଗେହ୍ଲା ଝିଅ । ବଡ଼ ଆଶ୍ଚର୍ଯ୍ୟ କଥା ଯେ ମିନି ବଞ୍ଚିରହିଲା ।

 

କିନ୍ତୁ ସେହିଦିନୁ ଏପି ଆଉ ଘରକୁ ବେଶି ଆସେ ନାହିଁ–ବାହାରେ ରହେ । ଘରେ ରହିଗଲେ ଦୁଇ ଜଣ–ମିନି ଆଉ ନଖୀ ।

 

ଯେତେବେଳେ ସମସ୍ତେ ଘରକୁ ଫେରିଲେ ମିନି ଆଉ ନଖୀ ଯୋଡ଼ିକ ସାଙ୍ଗେ ସାଙ୍ଗେ ଆସିଥିଲେ ପୁରୀଯାଏଁ ।

 

କାର୍ତ୍ତିକ ମାସ । ପୁରୀରେ ମା ରହିବେ । ପିଲାମାନେ ନାହାନ୍ତି । ନଖୀ ଓ ମିନି ରହିଲେ ତାଙ୍କର ବଦଳିଆ ଭାବରେ ।

 

ଅଲଗା ରୋଷେଇ–ବିରାଡ଼ିଙ୍କ ପାଇଁ । ମା ଖା’ନ୍ତି ଅଭଡ଼ା । କାର୍ତ୍ତିକ ମାସ ଚାଲିଥାଏ ।

 

ପଞ୍ଚୁକ ଭିତରେ ମାଛ ଦିଆ ନ ଯିବାର ଠିକଣା ହେଲା–ପଞ୍ଚୁକ । ପହିଲି ଦିନ । ମିନି ମାଛ ଭାତ ଅଭ୍ୟାସ କରିଥିଲା ପରି ସେଦିନ ଖାଇଲା ନାହିଁ ।

 

–କ’ଣ ? ୟା’ ପାଇଁ ମାଛ ହେବ କାର୍ତ୍ତିକ ପଞ୍ଚୁକରେ !

 

ମିନିକୁ ଯେତେ ପ୍ରକାରର ବୁଝାଇଲେ ବି ସେ ଦୁଧ ଭାତକୁ ମଙ୍ଗିଲା ନାହିଁ ।

 

–ଯାଉ ମରୁ । ଆଲୋ ଅଲକ୍ଷଣି, ତୁ ଯେବେ କାଲି ସକାଳେ ମରି ନ ଥିବୁ ତେବେ ଦେଖିବୁ । ପଞ୍ଚୁକରେ ମାଛ ଖାଇବ ବୋଲି ଜିଦ୍ ଧରିଛି ।

 

ତହିଁଆରଦିନ ସକାଳେ ପଡ଼ିଶା ଘରୁ ପିଲା ଆସି କବାଟରେ ହାତ ମାରିଲେ–ଦେଖିଲ ତମ ବିଲେଇ ଅଛି ନା ?

 

ମା’ ଖୋଜିଲେ–କାହିଁ ନଖୀ ତ ଏକା ଶୋଇଚି । ଉଠି ଖୁଜୁବୁଜୁ ହୋଇ ଓହ୍ଲେଇଗଲା ଗୋଡ଼ପାଖରୁ ।

 

–ତମରି ବିଲେଇ ପରି ଦିଶୁଛି ?

 

କବାଟ ଫିଟେଇ ଦେଖିଲେ । ସତେ ତ ମିନି । ବାହାର ବାରଣ୍ଡାରେ କରପଟିଆ ହୋଇ ମରି ପଡ଼ିଛି ।

 

–ମଲା କେମିତି ? ଗାଡ଼ି ଧକ୍‍କା ଦେଲା କି ?

 

–ନାହିଁ ତ । ସେମିତି ସେମିତି ମରିଯାଇଛି । ବୋଧେ ସାପ ମାରିଛି ।

 

–ଆହା, କାଲି ମାଛ ଖାଇବ ବୋଲି ରୁଷିଥିଲା । ସେଇଥିପାଇଁ ଗାଳି ଖାଇଥିଲା । ଅକାରଣେ ମରିଗଲା ।

 

ପଞ୍ଚୁକ–ଶ୍ରୀକ୍ଷେତ୍ରରେ ପଞ୍ଚୁକ । ସେଇଠି ମରିବାକୁ, ସେଇ ସମୟରେ ଚାଲିଯିବାକୁ କେତେ ଲୋକ କେତେ ପ୍ରକାରେ ମନାସି ଆସୁଛନ୍ତି । ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ । ମିନି ସେତକ କରିନେଇଛି ।

 

ମଲାବେଳେ ସେ ନିଜକୁ ଦେଖେଇ ଦେଇ ଯାଇଥିଲା–ଅଲୋଡ଼ା ଜିନିଷର ତୀକ୍ଷ୍‍ଣ ଅନୁଭବ ଅଛି । ତାହାର ବି ଆତ୍ମା ଅଛି ।

 

ବାବୁ ମଲାବେଳେ ତାଙ୍କର କୁଟୁମ୍ବ ପରିଜନ କେହି ସାଙ୍ଗରେ ଯାଇ ନ ଥିଲେ—ଯାଇଥିଲେ ତାଙ୍କର ଆଶ୍ରିତ ପଶୁଗୁଡ଼ିକ । ମହାଭାରତ ଯୁଗରେ ପାଣ୍ଡବମାନଙ୍କ ଜୀବନରେ ଯାହା ଘଟିଥିଲା, ଏହି ଅନ୍ୟାୟ, ଅତ୍ୟାଚାରପରିପୂର୍ଣ୍ଣ ଆଜିର ଦୁନିଆରେ ସେତିକି ବି ସମ୍ଭବ ।

 

ବାକି ରହିଥିଲା ନଖୀ । ସେ ବି ତା’ ମା’ ପାଇଁ କାନ୍ଦି ନାହିଁ । ଘରର ମାଲିକଙ୍କ ଅଭିଶାପରେ ମା’ ସଂସାର ଛାଡ଼ି ଚାଲିଯାଇଥିଲା । ସେତକ ସେ କେବେହେଲେ ମନରେ ଗଣ୍ଠି ପକେଇ ଧରି ରଖିବାକୁ ଚେଷ୍ଟା କରିନାହିଁ । ସେହି ଯେମିତି ଥିଲା, ସେମିତି ରହିଲା । ଏତେ ଭାଇବନ୍ଧୁଙ୍କ ପଲ ଭିତରୁ ବଳିପଡ଼ିଥିଲା—ବଳିପଡ଼ିଛି ବୋଲି ରହିଛି ।

 

ଯାହା ସେ ପିଲାବେଳୁ ଶିଖିଥିଲା ସେତିକି ଧରି ରଖିଥିଲା । ପର ହାତରୁ ଖାଏ ନାହିଁ । ପର ମଣିଷଙ୍କ ପାଖ ପଶେ ନାହିଁ ।

 

ପଡ଼ିଶାଘର ଲୋକେ ଖୁଆଇବାକୁ ଚେଷ୍ଟା କରି ନିରାଶ ହୋଇଛନ୍ତି । ତା’ର ଥାଳିଆରେ ଦେଲେ ସେ ଖାଏ ।

 

ନଖୀର ମା’ର ମା’ ଯେଉଁ ଗୋଟିକ ବିଲେଇ ହୋଇଥିଲା, ନଖୀ ସେଇ ପରିବାରର ସେତିକି ହୋଇ ରହିଲା । ଛୁଆ ଦିଏ, କିନ୍ତୁ କେହି ବଞ୍ଚନ୍ତି ନାହିଁ–କାହାକୁ ଭୂଆ ଖାଏ, ନଇଲେ କାହାକୁ ବାତ ମାରେ । ନଖୀ ସେମିତି ଏକୁଟିଆ ହୋଇ ରହେ ।

 

ବୟସ ହୋଇଗଲାଣି । ଦାନ୍ତ ଘୋରି ହୋଇଯାଇଛି । ପିଲାବେଳେ ବଡ଼ ଦୁଷ୍ଟ ହୋଇଥିଲା । ନଡ଼ିଆଗଛରେ ଚଢ଼ି ରହୁଥିଲା । କାଳେ ପଡ଼ିଯିବ ଆଉ ପଡ଼ିଯାଇ ଛୋଟା ହୋଇଯିବ ବୋଲି ପିଲାମାନେ ବଡ଼ ବ୍ୟସ୍ତ ହୋଇ ବେଳ କଟାଉଥିଲେ । 

 

ବେଳେ ବେଳେ ମୂଷା କି ଏଣ୍ଡୁଅ ଶିକାର କରେ । ଆଣି ପକାଇ ଦିଏ ସମସ୍ତଙ୍କ ଆଗରେ । ଲୋକେ ତାକୁ ଫୋପାଡ଼ି ଦିଅନ୍ତି ।

 

ନଖୀ ବ୍ୟସ୍ତ ହୋଇ ଚାହିଁରହେ । ତା’ର ଶିକାରକୁ କେହି ପଚାରିଲେ ନାହିଁ । ମୁହଁ ମଉଳେଇ ଦିଏ ।

 

ନଖୀର ଦାନ୍ତ ଘୋରି ହୋଇଗଲାଣି । ମାଛ କଣ୍ଟା ଚୋବାଇପାରେ ନାହିଁ । ଥରେ ଦାନ୍ତରେ କଣ୍ଟା ଲାଗିଲା ଯେ ପାଟି ମେଲାକରି ସମସ୍ତଙ୍କୁ ଦେଖାଇଥିଲା ।

 

ତା’ର ବୁଦ୍ଧି ଦେଖି ଘରଲୋକେ କହୁଥିଲେ ଭାରି ବୁଦ୍ଧି ଏ ବିଲେଇଟାର । ତୀର୍ଥ ଜାଗାରେ ମଲେ ସେ ଆର ଜନ୍ମକୁ ଭଲ ମଣିଷଟିଏ ହୋଇ ଜନ୍ମ ହୁଅନ୍ତା ।

 

ଆଉ ତୀର୍ଥ କାହିଁ । ବାବୁଙ୍କର ଘର ତ ତୀର୍ଥଠାରୁ ବହୁତ ଦୂରରେ । ପୋଷା ବିରାଡ଼ିକୁ ମୁକ୍ତି ଦେବାକୁ କିଏ ଗାଡ଼ିଭଡ଼ା ଦେଇ ସେଠିକି ନେବ ।

 

ନିଜର ଦୁଃଖଦୁର୍ଦ୍ଦଶା ସବୁ ସେ ଛୋଟିଆ ଦେହ ଭିତରେ ଧରି ରଖି ମିନି ରହିଥାଏ ଘରେ । ଧୁଡ଼ୁଧୁଡ଼ୁ ଦେହ ହଲାଇ ଧୀରେ ଧୀରେ ଚାଲେ । ବହୁତ ବେଳ ଥଣ୍ଡାରେ ଭୋଗେ । ଔଷଧ ଖାଏ–ତୀର୍ଥ କାହିଁ ।

 

ନଖୀ ଶୋଇରହେ ଗୋଟିଏ ଚୌକି ଉପରେ–ଯେତେ ସମୟ ସମ୍ଭବ । ତାକୁ କେହି ତଡ଼ି ବାହାର କଲେ ସେ ପ୍ରତିବାଦ କରି ଠିଆହୁଏ ଓ ମିଆଁଉ ମିଆଁଉ କରେ–ସେଇ ତା’ର ଗୋଟିଏ ଭାଷା ।

 

ନଖୀ ଠାକୁର ଘରେ ଶୋଇବା ଅଭ୍ୟାସ କଲା । ଯେତେ ବାହାର କଲେ ବି ଯାଏ ନାହିଁ-

 

ଠିକ୍ ମଣିଷଙ୍କ ପରି ସେ ଘର ଭିତରୁ ପଦାକୁ ଆସେ ପାଇଖାନା ପାଖକୁ । ପୁଣି ସେମିତି ଅଣ୍ଟା ଲଡ଼୍ ଲଡ଼୍ କରି ଫେରିଯାଏ ।

 

ଖାଏ ନାହିଁ । ଥରେ ସକାଳେ ଟିକିଏ ପାଣି ପିଏ । ଏମିତି ରହିଲା ମାସେ ।

 

ଜୀବଟା ବଡ଼ କଷ୍ଟ ପାଉଛି । ଠାକୁରଘର ଛାଡ଼ୁନାହିଁ । ତାକୁ ଠେଲି ବାହାର କଲେ ବଡ଼ ହଇରାଣ କରେ ଯିବାକୁ । ସେହି ଘର ଦୁଆର ମୁହଁରେ ବସିରହେ ।

 

–କ’ଣ ଖୋଜୁଛି ସେ ।

 

–କିଜାଣି ? ଭାଗବତ ଶୁଣିବାକୁ ଖୋଜୁଥିବ । ବହୁତ ବୃଦ୍ଧି ତା’ର । କଥା କହିପାରୁ ନାହୁଁ ବୋଲି ଆମେ ସିନା ତାକୁ ପଶୁ କହୁଛୁ ।

 

–ଭାଗବତ ବୋଲିଲ ଦେଖିବା କ’ଣ ହେଉଛି ।

 

ଭାଗବତ ବୋଲା ହେଲା । ପୂଜାପାଣି ଟିକିଏ ନଖୀକୁ ଦିଆ ହେଲା । ନଖୀ ସେତକ ପିଇ ଟେକିଟାକି ହୋଇ ବସିରହିଲା ସେଇ ଠାକୁର ଘର ପିଣ୍ଡାରେ । ଭାଗବତ ପଢ଼ା ହେଉଛି ।

 

ଭାଗବତ ପଢ଼ା ଶେଷ ହେଲା । ନଖୀ ସେମିତି ବସିଛି ।

 

ଦେଖିଲାବେଳକୁ ନଖୀର ଦେହରେ ଜୀବନ ନାହିଁ ।

 

–ଆରେ ସତେ ତ, ବଡ଼ ଅଦ୍ଭୁତ କଥା । ମଣିଷ ଯେତେବେଳେ ଭାଗବତରୁ ବିଶ୍ଵାସ ହରେଇଛି, ସେତେବେଳେ ପଢ଼ି ନ ଥିବା ବିରାଡ଼ିଟିଏ ଧର୍ମ କ’ଣ ଜାଣି ନ ଥିବା ଜୀବଟିଏ କ’ଣ ଏଇ ଟିକକ ଖୋଜୁଥିଲା ବୋଲି ମାସେ କାଳ ନ ଖାଇ ନ ପିଇ ଠାକୁର ଘରେ ତପସ୍ୟା କରୁଥିଲା-?

☆☆☆

 

ମହାଜନ

 

ସେ ବି ଗୋଟିଏ ମାସର ପହିଲା–ରାତି ପାହିଲେ ସୂର୍ଯ୍ୟ ଉଇଁଲେ ପହିଲା ଦେଖାଦେବ-। ଆଉ ସୂର୍ଯ୍ୟ ବୁଡ଼ିଗଲାବେଳକୁ ଛୁଆଁଇ ଦେଇ ଯିବ କିରାନି ଜୀବନରେ କାଉଁରୀ ସ୍ପର୍ଶ-। ମାସର ପହିଲା ଆଣି ପ୍ରତ୍ୟେକର ମାଣ ଭରି ଦେଇଯିବ ଫଳନ୍ତି ଗଛର ଫଳପରି । ଯେଉଁଠି ଯେତେ ଫଳିଲା ସେଥିରେ ଆଉ କାହାର ହାତ ନାହିଁ । ଗୋଟିଏ ମାସର ଆମଦାନି, ଗୋଟିଏ ମାସର ଅଣନିଃଶ୍ଵାସୀ ହୋଇ ଧାଇଁବାର ଫଳ । ଜୀବନର ଗୋଟିଏ ବିଶେଷ ଅଂଶ । ବର୍ଷକ ଯେତିକି ଦିନ, ଚାକିରି ସେତିକି ମାସ ।

 

ତଫାତ୍ ଏତିକି ଯେ ବର୍ଷଟା ଭୋଗ କରିବାର ଆଶା ଯେତିକି ଅଧିକ ଚାକିରିର ତିନି ଶହ ପଁଷଠି ମାସ ଭୋଗ କରିବା ସେତିକି ଆଶଙ୍କାପୂର୍ଣ୍ଣ । ତେବେ ବି କିରାନି ଜୀବନରେ ମାସର ପହିଲା ସକାଳର ସୂର୍ଯ୍ୟୋଦୟପରି ଦେଖାଦିଏ । ମାସର ଶେଷଭାଗର ଅନ୍ଧାରୁଆ ରାତିକୁ ଠେଲି ଘୁଞ୍ଚେଇ ଦିଏ । ସେମିତି ଗୋଟିଏ ପହିଲା ଦିନକ ପରେ ଦେଖାଦେବ–ଶଶାଙ୍କ ଓ ତା’ର ସ୍ତ୍ରୀ ସୁଜାତା ଓ ତାଙ୍କର ତିନୋଟି ପିଲାଙ୍କ ଜୀବନରେ ସମସ୍ତଙ୍କ ପାଇଁ ସେ ଗୋଟିଏ ନିଶାଣଦିଆ ଦିନ । ଦୋଳ ଦଶହରାପରି ଦେଖାଦିଏ । ସର୍ବହରା ଜୀଵନରେ ଯେମିତି ଧନଧାନ୍ୟଭରା ଲୋକର ଜୀବନରେ ଠିକ୍ ସେମିତି ।

 

କି ଜାଣି କିଏ ପ୍ରଥମେ ଏଇ ପହିଲା ତାରିଖର ସୂତ୍ରପାତ କରିଥିଲା । ବହୁଯୁଗ ପଛରେ ରଖି ଆକାଶରେ ଯେମିତି ଗ୍ରହନକ୍ଷତ୍ର ମଣିଷର ଆଖି ଆଗରେ , ମଣିଷର ଜ୍ଞାନ ଓ କଳ୍ପନାରେ ଦେଖା ଦେଇଥିଲେ , ମାସର ପହିଲା ଏଇ ସଂସାରକୁ ଢାଙ୍କିଲାପରି ବହୁ ପୁରୁଣା ପାସୋରା ଦିନରେ ଦେଖା ଦେଇଥିଲା । ଜୀବନର ଗୋଟିଏ କଣ୍ଟ । ଯେତେ ଲୋକ ଚାକିରି କରି ପେଟ ପୋଷନ୍ତି ସେ ସମସ୍ତଙ୍କ ଜୀବନରେ ଗୋଟିଏ କଣ୍ଟ ।

 

ପୃଥିବୀକୁ ଘେରି ରହିଛି ପାଣି । ଅଳ୍ପ ଅଛି ଶୁଖିଲା । ସେମିତି ସଭ୍ୟ ଜଗତର ଲେଖାପଢ଼ା ଲୋକର ଜଗତରେ ଯେଉଁମାନଙ୍କର ଚାକିରି ହେଉଛି ସର୍ବସ୍ଵ ସେ ସମସ୍ତଙ୍କର ଏହି ପହିଲା ତାରିଖଟି ଦିନ ଭିତରେ ଗୋଟିଏ ଦିନ । ଯେତେଥର ଆସିଲେ ବି ଦେହଘଷା ହୁଏ ନାହିଁ । ଯେତେ ପରିଚିତ ହେଲେ ବି ଗୌରବହୀନ ହୁଏ ନାହିଁ । ଯାହା ଜୀବନରୁ ଯେତିକି ପହିଲା ତାରିଖ ଉଡ଼ିଗଲାଣି, ସେ ସେତିକି ପରିମାଣରେ ଲୋମହୀନ । ବୟସ ଆଗେଇ ଗଲେ ମୁଣ୍ଡବାଳ ପତଳା ହେଲାପରି ତା’ର ଜୀବନର ସମ୍ଭୋଗ ଠିକ୍ ସେମିତି କ୍ଷୀଣରୁ କ୍ଷୀଣତର ହୋଇଆସେ । ନିଜର ଲେଖା ଡାଏରୀ ପୁରୁଣା ଧୂସରିଆ ହେଲାପରି ତା’ର ଭବିଷ୍ୟତର କଳ୍ପନାମଖା ଚିତ୍ର ସେମିତି ପୁରୁଣା ହୋଇଆସେ–ପିନ୍ଧା ଲୁଗାପରି, ପୁରୁଣା ଇଟାପରି, ବୁଢ଼ା ଦେହପରି ।

 

ପହିଲା ତାରିଖ ଆଗଦିନ ଶଶାଙ୍କ ସବୁଦିନର ଅଭ୍ୟାସପରି ରାତି ନ’ଟା ପରେ ସପଟିଏ ପାରି ଅଫିସ କାମ କରୁଥିଲା । ସୁଜାତା ସବୁଦିନ ପରି ସାନ ପିଲାଟିକୁ ଶୁଆଉଥିଲା–ଝୁଲ୍ ହାତୀ ଝୁଲ୍ ।

 

କାଗଜ ଉପରେ କଲମ ଚଷିଗଲାବେଳେ ପାଖ କିରାସିନି ଆଲୁଅର ମଇଳା କାଚ ଭିତର ଦେଇ ଶଶାଙ୍କ ମନେ ମନେ ଆଙ୍କୁଥିଲା ଆସୁଥିବା ପହିଲା ତାରିଖ କଥା । ପୁଣି ମାସେ ସରିଲା । ଘରଭଡ଼ା ଦୈନିକ ବାର ଅଣା କରି ବଢ଼ୁଥିଲା–ଆଲୁଅ ପକ୍ଷର ଜହ୍ନ ପରି । କାଲି ହେବ ତା’ର ପୁନେଇଁ । କାଲି ଲାଗିଯିବ ହିସାବରେ ଭଡ଼ା ବାଇଶି ଟଙ୍କା । କାଲି ଆସିବ ଘରବାଲାର ପହିଲା । ସେ ବି ଅସୁଲ କରିବ, ଦିନକୁ ଅଢ଼େଇ ଟଙ୍କା କମାଉଥିବା କିରାନି ଶଶାଙ୍କର ମାସିକ ବେତନରୁ ତା’ର ପଣି ।

 

–ଧେତ୍ ! ଶଶାଙ୍କ କଲମ ବନ୍ଦ କରି ସୁଜାତା ଆଡ଼କୁ ଚାହିଁଲା । ସୁଜାତାର ଓଠ ଉପରେ ଝୁଲ୍‍ହାତୀ ବନ୍ଦ ହୋଇଗଲା । ସ୍ଵାମୀ ସ୍ତ୍ରୀ ଦୁହେଁ ପରସ୍ପରକୁ ଚାହିଁଲେ । ଶଶାଙ୍କ ନିଜର ବିରକ୍ତି ଆଣି ଫୋପାଡ଼ି ଦେଲା ସୁଜାତାର ସେହି ମଉଳା ମୁହଁ ଉପରେ । ସେଇ ତା’ର ସର୍ବସ୍ଵ ହରିନେଇଛି । ସେଇ ତାକୁ ଆଣି କଷି କରି ବାନ୍ଧି ଦେଇଛି ଏଇ କଦର୍ଯ୍ୟ ସଂସାରର ମେରୁଖୁମ୍ବରେ-। ଅସହିଷ୍ଣୁ ଶଶାଙ୍କ ସେହି ସ୍ତ୍ରୀ ଆଉ ସେହି ପିଲା ତିନୋଟିକପାଇଁ ଛନ୍ଦି ହୋଇଯାଇଛି । ତା’ର ମାସକର ମେହେନତ୍‍ରୁ ସେହି ଘରବାଲା ଧରିନେବେ ଚଉଠକରୁ ବେଶି ।

 

ଶଙ୍କାଗ୍ରସ୍ତ ଚାହାଣୀରେ ସୁଜାତା ଚାହିଁ ରହିଲା ଶଶାଙ୍କ ମୁହଁକୁ । କୋରଡ଼ିଆ ଆଖି ଶୁଖିଯାଇଥିବା ଗାଲ ଉପରେ କଳାଦାଢ଼ି ମୂଳ ଅସ୍ପଷ୍ଟ ଆଲୁଅରେ ବହି ଉପରର ଛବିପରି ଅସନା ଦିଶୁଛି । ସେହି ଶଶାଙ୍କ ସୁଜାତାର ଭବିଷ୍ୟତ୍–ସୁଜାତାର ଜୀବନର ଖୁଣ୍ଟ । ତାଙ୍କର ବିରକ୍ତି ସୁଜାତା ପାଖରେ ସବୁଠାରୁ ଅଧିକ ମୂଲ୍ୟବାନ୍ ।

 

ଗୀତ ବନ୍ଦ ହୋଇଯିବାରୁ ସୁଜାତା କୋଡ଼ର ପିଲାଟି ଖଜବଜ କରିଉଠିଲା । ସେ ଗୀତ ଶୁଣି ଶୋଇ ଜାଣେ । ମାସର ପହିଲା ତାରିଖକୁ ବୁଝିନାହିଁ । ବୁଝିଥିଲେ ସେ ବି କଳ୍ପନାର ଜାଲ ବୁଣିପାରନ୍ତା, ଆଶଙ୍କାର ଖିଅ ଧରିପାରନ୍ତା, ପହିଲା ତାରିଖ କଥା ଭାବି ତ୍ରସ୍ତ ହୋଇପଡ଼ନ୍ତା ।

 

କୋଡ଼ ହଲାଇ ସୁଜାତା ଶଙ୍କିତଗଳାରେ ଆରମ୍ଭ କଲା–ଝୁଲ୍ ହାତୀ ।

 

–ଧୀରେ ଧୀରେ ଗା’ । କାଲି ପରା ପହିଲା ।

 

ସୁଜାତା ଚାହିଁଲା ଶଶାଙ୍କ ମୁହଁକୁ । ତା’ର ମୁହଁ ଉପରେ ଉତ୍ସାହ କି ନିରୁତ୍ସାହ ନାହିଁ, ଆଶା ବା ନିରାଶା ନାହିଁ । ସାଧାରଣ ଭାବରେ ‘ହଁ’ଟିଏ ମାରି ସୁଜାତା ଧୀର ଗଳାରେ ପଚାରିଲା–ଖାଇବାକୁ କ’ଣ ଡେରି ଅଛି ?

 

ଶଶାଙ୍କ ଚାହିଁଲା ସୁଜାତାର ଆଖି ଦୁଇଟିକୁ । ଅଳ୍ପ ଆଲୁଅରେ ବି ସେ ଆଖି ଦୁର୍ବଳ ଦିଶୁଛି । ବହୁତ ଆଘାତ ପାଇଲେ ଜୀବନ୍ତ ଦେହ ଯେମିତି ନିର୍ଜୀବ ହୋଇପଡ଼େ, ଦୁର୍ବଳ ହୋଇଗଲେ ଜୀବନ୍ତ ଦେହର ଚମ ଓ ସ୍ନାୟୁ ଯେମିତି ବିକାରହୀନ ହୋଇଯାଆନ୍ତି–ଠିକ୍ ସେମିତି ସୁଜାତାର ଆଖି ଅପେକ୍ଷା କରି କରି ଥକି ପଡ଼ିଛି । ଆଉ ସେ ଅପେକ୍ଷାରେ କାମ ନାହିଁ । ଦେହ ଉପରର ପୁରୁଣା ମିଲ୍ ଶାଢ଼ି ବହୁତ ଦିନର ବ୍ୟବହାରରେ କୋଚଟିଆ ହୋଇଯାଇଛି, ଛିଣ୍ଡିଯାଇଛି । ତେବେ ବି ତ ଫଟା ମାଠପରି ଢାଙ୍କି ଦେଇଛି ସୁଜାତାର ଦେହକୁ ।

 

ଶଶାଙ୍କର ମନ ଉପରୁ ଭଡ଼ାଘରର ଛବି ଲିଭିଯାଇ ସେଇ ଜାଗାରେ ଆଙ୍କି ହୋଇଗଲା ମ୍ଳାନ ସୁଜାତାର ମଳିନ ବେଶଭୂଷା । ନା, କାଲିର ଦରମା ସେ ସୁଜାତା ପାଇଁ ଖର୍ଚ୍ଚ କରିବ–ସୁଜାତା ପାଇଁ ଆସିବ ଶାଢ଼ି ।

 

କାଲି ପହିଲା । ଶଶାଙ୍କର ମନ ଭିତରେ ବିଜୁଳିପରି ଛୁଟିଗଲା ବାହାଘର ପରର ପ୍ରଥମ ପହିଲା–ସେ ସୁଜାତାପାଇଁ ଆଣିଥିଲା ଦୁଇଖଣ୍ଡ ଶାଢ଼ି ଆଉ କିଛି ଟଙ୍କା । ସେଦିନ ସୁଜାତାର ମୁହଁରେ ଶଶାଙ୍କ ଯେଉଁ ତନ୍ମୟତା ପାଇଥିଲା, ସୁଜାତାର ଉତ୍ସାହୀ ଆଖି ଯୋଡ଼ିକ ସେଦିନ ଯେମିତି କୃତଜ୍ଞତାରେ ଫାଟି ପଡ଼ୁଥିଲା, ସେଇ ଛବି ଆଉଥରେ ଦେଖିବାକୁ, ଆଉଥରେ ଅନୁଭବ ଭିତରକୁ ଆଣିବାକୁ ଶଶାଙ୍କର ମନ ବ୍ୟଗ୍ର ହୋଇଉଠିଲା ।

 

ସୁଜାତା ଶଶାଙ୍କକୁ ମନେ ପକାଇଦେଲା (ମନେପକାଇଦେଲା)–କ’ଣ ଭାବୁଛ କି ? ଖାଇବ ନାହିଁ ଆଜି ?

 

–ହଁ ଖାଇବା । ଭାବୁଥିଲି ଯେ କାଲି ତୁମପାଇଁ ନିଶ୍ଚେ ଦି’ଖଣ୍ଡ ଶାଢ଼ି ଆଣିବାକୁ ହେବ । ତମ ଲୁଗା ଏକାବେଳକେ ଗଲାଣି ।

 

ନିର୍ଲିପ୍ତ ଆଖିରେ ସହାନୁଭୂତି ଦେଖାଦେଲା । ସୁଜାତା ଅସୀମ ଦରଦ ମିଶାଇ କହିଲା–ମୋ ପାଇଁ ? ନା, ନା, ତମେ ଦାଣ୍ଡ ହାଟକୁ ଯାଉଛ । ତମର ଲୁଗାପଟା ଗଲାଣି । ତମପାଇଁ ଦି’ଖଣ୍ଡ ଲୁଗା ଆଉ ଦି’ଖଣ୍ଡ କମିଜି ନ ଆଣିଲେ ହେବ ନାହିଁ ।

 

–ମୋ ପାଇଁ ? ଛାଡ଼ ଛାଡ଼ । ସେଥିରେ କ’ଣ ଦରମା ବଢ଼ିବ ? ଓଲଟି ବାବୁମାନେ କହିବେ ଆମେ ଭାରି ମଜାରେ ଅଛୁ । ପୁଅପାଇଁ ବହି ଆଣିଲେ କାମକୁ ପା’ନ୍ତା । ପିଲାଟା ବ୍ୟସ୍ତ ହେଲାଣି ପଢ଼ାବହି ପାଇଁ ।

 

–ବହି ଆସିବ ତ । ଯେତିକି ଅଛି ସେତିକି ଆଗ ସେ ପଢ଼ିସାରୁ ।

 

–ହଉ ଦେଖିବା । କାଲି ତ ଅଛି । ଘରଭଡ଼ା ଦି’ମାସ ବାକି ହୋଇଗଲାଣି । ସେ ଆସି କେତେ ଯୁକ୍ତିତର୍କ କରିଯାଇଛି । ତାକୁ କେମିତି ଖସେଇ ଦେଲେ ସବୁ ତ ଠିକଣା ହୋଇଯିବ । ବାବୁ ମୋଫତରେ ଘରଭଡ଼ା ଅସୁଲ କରି ମନେ ମନେ କହୁଛି ଯେ ସେ ଜଣେ ଖଟିଖିଆ ।

 

–ହଁ ତ । ତା’ର ଚଳିବାକୁ କିଛି ନାହିଁ । ଏଇ ଘରଭଡ଼ାରୁ ଚଳେ । ଆମେ ବାକି ରଖିଛୁ ବୋଲି ତାଙ୍କର ଘରର ମାଇପେ ବି ଆସି କହିଗଲେଣି ।

 

–କହିବେ ନାହିଁ ? ତାଙ୍କର ପୂର୍ବପୁରୁଷ ଥୋଇ ଦେଇଛନ୍ତି ଫଳନ୍ତି ଗଛ । ପହିଲାକୁ ପହିଲା ଝାଡ଼ିବେ । ଆମେ ତ ଆଉ ମଣିଷ ହୋଇ ରହିବା ନାହିଁ । ରହିବା, ମଣିଷ ହେବା । ଅଲବତ୍ କାଲି ଶାଢ଼ି ଆସିବ । ଘରଭଡ଼ା ଦିଆହେବ ନାହିଁ ।

 

ରାତି ଅନ୍ଧାରର କୋଳରେ ସମସ୍ତେ ଶୋଇଗଲେ । ସବା ଶେଷରେ ଶଶାଙ୍କ ଆଖି ପକାଇ ନେଇଥିଲା ନିଜର ଛୋଟ ପରିବାରଟି ଉପରେ । ସେ ତାଙ୍କୁ ଡାକି ଆଣିଥିଲା କି ସେମାନେ ନିଜେ ଖୋଜି ଖୋଜି ଶଶାଙ୍କ ପାଖକୁ ଆସିଥିଲେ ଶଶାଙ୍କର ଦୁଃଖରେ ଦୁଃଖୀ ହେବାକୁ, ଆପଣା ମନକୁ ଆସି ବସା ବାନ୍ଧିଥିଲେ କି ନାହିଁ–ତା’ର ଉତ୍ତର କେହି ହେଲେ ଦିଅନ୍ତା ?

 

ସୁଜାତାର କୋଳକୁ ଆଉଜି ଛୋଟ ପିଲାଟି ଶୋଇଛି । ଉପରର ମଶା ତାକୁ ଚେତ୍ କରିପାରୁ ନାହିଁ । ଆକାଶରେ ତାରା ସେମିତି ଜୁକୁ ଜୁକୁ ହେଉଛନ୍ତି । ତାଙ୍କର ପହିଲା ନାହିଁ । ମଶାଙ୍କର ପହିଲା ତାରିଖ ନାହିଁ । ଛୋଟ ପିଲାଙ୍କର ନାହିଁ । ପଶୁପକ୍ଷୀ, କୀଟପତଙ୍ଗ କେହି ପହିଲା ମାନୁ ନାହାନ୍ତି । ମାନୁଛନ୍ତି ଚାକିରିଆ ଆଉ ଭଡ଼ାବାଲା । ଶଶାଙ୍କ ସେଥିରୁ ଦୁଇଟିଯାକ ଆବୁରି ଧରିଛି ।

 

ବିବାହ ହେଲାବେଳେ ଥରକପାଇଁ ଯେବେ ଶଶାଙ୍କ ଭାବି ପାରିଥାଆନ୍ତା ଯେ ତା’ର ଜୀବନରେ ସେମିତି ଭାବରେ ମାସର ପହିଲାଗୁଡ଼ିକ ଗୋଟିକପରେ ଗୋଟିଏ ଡେଇଁ ଚାଲିଯିବେ ଆଉ ଗଲାବେଳେ ତାହା ଉପରେ ଅଘାତର ବୋଝ, ନିର୍ମମ ଆଘାତର କର୍କଶ କ୍ଷତ ସେମିତି ବିନା ବିଚାରରେ ଛନ୍ଦେଇ ଦେଇ ଯିବେ, ତେବେ ସେ ତ ସୁଜାତାକୁ ଆଣି ନ ଥାନ୍ତା ।

 

ସୁଜାତାକୁ ଭଲ ପାଇ ଏମିତି ଆଉ ତିନୋଟି ନିଷ୍ପାପ, ନିର୍ଦ୍ଦୋଷ ସନ୍ତାନଙ୍କୁ ନିଜର ଅସହାୟତାରେ, ନିଜର ଅସମର୍ଥ ଦୁର୍ବଳତାରେ କେବେହେଲେ ଭାଗୀଦାର କରି ନ ଥାନ୍ତା । ସେ ତ ବହୁ ଅତୀତର କଥା । ମଣିଷ ମନର ଉଷ୍ଣତା ଦରିଦ୍ରର କାଙ୍ଗାଳ ମନର ସେହି ସର୍ବଗ୍ରାସୀ ମମତା ସେମାନଙ୍କୁ ଏକାଠି ବାନ୍ଧି ଦେଇଛି । କେହି କୁଆଡ଼େ ଛିଣ୍ଡି ଉଡ଼ିଯିବେ ନାହିଁ । ତାଙ୍କର ଦାନାକନା, ଅତୀତ ଭବିଷ୍ୟତ ସବୁ ଆଣି ଶଶାଙ୍କ ଉପରେ ମୃତ୍ୟୁକର ପରି, ଆୟକର ପରି, ବିକ୍ରିକର ପରି, ପ୍ରମୋଦକର ପରି ନିଜ ନିଜର କଣ୍ଟକିତ ପହରଣକୁ ବେଢ଼େଇ ଦେଉଥିବେ ।

 

ରୋଗ ଯେପରି ନିଜର ସାଥିଭାଇଙ୍କୁ ନିମନ୍ତ୍ରଣ କରି ଗୋଟିଏ ପରେ ଗୋଟିଏ ତା’ର ବଳୀ ଉପରେ ଚଢ଼ାଏ, ମଶା, ଛାରପୋକ ତାଙ୍କର ପଲଙ୍କକୁ ଯେମିତି ମଣିଷର ରକ୍ତ ପିଇବାକୁ ଡାକି ଫୁକାରି ତଡ଼ି ଆଣନ୍ତି, ଅସମର୍ଥ ମଣିଷ ସେମିତି ତା’ର ସ୍ନେହପାଳିତ, ତା’ର ଲାଳସାପାଳିତ, ମମତା–ଆଶ୍ରିତ ଲୋକଗୁଡ଼ିକୁ ଆଣି ବେଢ଼ି ଉପରେ କୋରଡ଼ାପରି ବାରମ୍ବାର ଦେଖେ ଯେ ସେ ନିଃସ୍ୱ, ନିରାଶ୍ରୟ ଓ ନିଃସହାୟ ହେଲେ ବି ସେମାନଙ୍କର ସ୍ନେହର ଦାବି ଆଗରେ ବହୁ ଭାବରେ ଦୋଷୀ । ଆଉ ମରଣ ପର୍ଯ୍ୟନ୍ତ ବନ୍ଦୀ ।

 

ଅଭ୍ୟସ୍ତ ଅନ୍ଧାରର କାଳିମା ଭିତରେ ନିଜର ପରିବାରର ସେଇ ଆଶ୍ରିତ ଚାରୋଟି ତାଙ୍କର ମ୍ଳାନ ମଳିନ ପିନ୍ଧାଲୁଗାରୁ ଯେତିକି ଆଲୁଅ ଦେଖାଇ ପାରୁଥିଲେ, ଶଶାଙ୍କ ନିଜ ଅବସ୍ଥା ବୁଝିବାକୁ ସେତକ ଯଥେଷ୍ଟ । ସେ ତା’ର ଛିଦ୍ରାନ୍ୱେଷୀ ଅଭ୍ୟସ୍ତ ମନରେ ତଉଲିଥିଲା ସମସ୍ତଙ୍କୁ ।

 

ସାନ ପିଲାଟି କାନ୍ଦେ ଖେଳଣାପାଇଁ । ଖେଳଣା କ’ଣ ଜାଣିନାହଁ, କି ଖେଳଣା ଦରକାର କେବେ କହିନାହିଁ । ତା’ଉପରଟି ଖୋଜେ ସାଇକେଲ । ଭଡ଼ାବାଲାର ପୁଅ ଖେଳେ ସାଇକେଲରେ-। ସେଥିପାଇଁ ସେ ଖେଳିବ । ବଡ଼ପୁଅ ଖୋଜୁଛି ପଢ଼ାବହି । ତା’ର ସାଥୀପିଲା ସମସ୍ତେ ବହି କିଣିଛନ୍ତି । ସେ ତାଙ୍କର ସମସରି ହେବ । ଆଉ ସୁଜାତା । ସେ ଖୋଜିଥିଲା ସବୁ, ସମସ୍ତଙ୍କ ଭିତରେ ଜଣେ ହେବାକୁ । କେତେ ବାଲିବନ୍ଧ ବାନ୍ଧିଥିଲା ନିଷ୍ଠୁର ଭାଗ୍ୟର ଲହଡ଼ି ପାଖରେ-

 

ଶଶାଙ୍କର ଚିନ୍ତାଗ୍ରସ୍ତ ଆଖି ଓଜନ କରୁଥିବା ମନ ବାରମ୍ବାର ସେହି ଚାରୋଟି ମଣିଷଙ୍କ ଉପରେ ଖେଳିଯାଉଥିଲା । ଗୋଟିଏ ପାଖରେ ସୁଜାତା ଆଉ ଆର ପାଖରେ ସେ ନିଜେ । ମଝିରେ ତିନୋଟି ମଣିଷର ବଢ଼ିଆଳ ଗଛ । ଏ ଦୁହିଁଙ୍କର ଭବିଷ୍ୟତ ଲୁଚିଯାଇଛି । କିନ୍ତୁ ସେ ତିନୋଟି ଗଛ ଉପରୁ କଅଁଳି ଆସୁଥିବା ପତ୍ରପରି ନିଜକୁ ନିଜପରି ଜାହିର କରିବାକୁ ଚେଇଁ ଉଠୁଛନ୍ତି । ଦୁର୍ବଳ ଦେହର ଅବଶେଷ ଟାଣି ନେବାକୁ କଅଁଳି ଆସୁଥିବା ଗଛଡ଼ାଳ ପରି ସେମାନେ ଯନ୍ତ୍ର ବସାଇଛନ୍ତି ।

 

ଗୁଣୁ ଗୁଣୁ ହୋଇ ଶଶାଙ୍କ କହିଥିଲା–କାଲି ପହିଲା ତାରିଖ । କାଲି ପ୍ରଥମେ ସୁଜାତା, ତା’ପରେ ଛୋଟ ପୁଅ, ତା’ପରେ ବଡ଼ ପୁଅ, ତା’ପରେ ମଝିଆଁ ପୁଅ, ଆଉ ତା’ ପରେ ସେ ନିଜେ । ସେଠି ଭଡ଼ାବାଲାର ସ୍ଥାନ ନାହିଁ ।

 

ଏହି କଳ୍ପନା କିଛି ନୂଆ ନୂହେଁ । ଚହଲା ପାଣିର ଢେଉପରି ଗୋଟିଏ ଢେଉ ନ ଯାଉଣୁ ଆଉ ଗୋଟିଏ ଆସି ପହଞ୍ଚିଯାଏ । ଚାକିରିର ଚହଲା ପାଣିରେ ଗୋଟିଏ ପହିଲା ଗଲାପରେ ଆରଟି ଆଗେଇ ଆସେ–ଚାଲିଯାଉଥିବା ପଟୁଆର ପରି । ପଟୁଆର ଉପରେ ଆଖି ଥିଲାପରି ଚାଲିଯାଉଥିବା ଲୋକଟି ପାସୋରିଯାଏ । ଆସୁଥିବା ଲୋକଟି ଦୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ଘେରି ରଖେ । ଆଉ ଅଳ୍ପ ଟିକକରେ ପହିଲା ତାରିଖ ଆସିବ । ସୁଜାତାର ମୁହଁରେ ପୁଣିଥରେ ଆନନ୍ଦ ଦେଖା ଦେବ ।

 

ପହିଲା ତାରିଖ । ସକାଳେ ଭାତ ଖାଇଲାବେଳେ ଶଶାଙ୍କର ଆଖି ଆଗରେ ଚାଉଳ ଡାଲି ଦୋକାନ ଆଉ ପରିବା ଦୋକାନ ନାଚି ଯାଇଥିଲେ । ଦେବୀଙ୍କ ପାଖରେ ଚଣ୍ଡୀ ଚାମୁଣ୍ଡା ଦେଖାଦେଲାପରି ସେମାନେ ବି ତା’ର ମହାଜନ । ସେମାନେ ବି ଚାହିଁଛନ୍ତି ମାସର ପହିଲାକୁ । ମାସଯାକ ଖୁଆଇଛନ୍ତି । ନିଷ୍ଠୁର ସହରର ଛାତି ଉପରେ–ଖାଲି ଆଶା ରଖି ଗୋଟିଏ ମାସ–ଦୁଇଟି ପକ୍ଷ । ସେମାନେ ଶଶାଙ୍କ ଆଉ ତା’ର ପରିବାରଟିକୁ ଜିଆଇଛନ୍ତି । ସକାଳର ସଫା ଆଲୁଅରେ ଶଶାଙ୍କର ଆଖିରେ ସେହି ଦରିଦ୍ର ପରିବାରର ପୋଷାକପରିପାଟୀର ମଳିନତା ଦିଶୁ ନ ଥିଲା । ଖାଲି ତାକୁ ଦିଶୁଥିଲା ସେମାନଙ୍କର ସେହି କ୍ଷୁଧାର୍ତ୍ତ ପେଟ–ଦୁର୍ବଳତାଗ୍ରସ୍ତ ହାତଗୋଡ଼ ।

 

ବଞ୍ଚିବାକୁ ହେଲେ ଆଗ ଭାତ, ତା’ପରେ ଲୁଗା ଆଉ ସବା ଶେଷରେ ଘର । ଏ ସବୁକୁ ଏକାଠି ରଖିବାକୁ, ଏକାଠି କରିବାକୁ ଲୋଡ଼ା ହୁଏ ମନର ମମତା–ଅନ୍ତରର ଆନ୍ତରିକତା ।

 

ଖାଉ ଖାଉ ବିଷର୍ଣ୍ଣ ମନରେ ଶଶାଙ୍କ ଆଗ ରାତିର ଛବିଟିକୁ ମନ ଭିତରେ ଆଉ ଥରେ ଖଞ୍ଜି ଦେଉଥିଲା । ଦରିଦ୍ର କୁଡ଼ିଆର ଅନ୍ଧାର ଭିତରେ ସୁଜାତାର ଲୁଗା ଶଶାଙ୍କକୁ ଦିଶୁଥିଲା । ସୁଜାତା ଦିଶୁ ନ ଥିଲା । ତା’ର ମନ ଉପରେ ପୁଅ ପ୍ରତି କର୍ତ୍ତବ୍ୟ ଦେଖା ଦେଉଥିଲା । ପୁଅର ଦେହ ଦିଶୁ ନ ଥିଲା । ପିଲାମାନଙ୍କର ଖେଳ ଆଉ ଖେଳଣା ମନ ଉପରକୁ ଆସୁଥିଲା । କିନ୍ତୁ ସେମାନେ ଆସୁ ନ ଥିଲେ ।

 

ନା, ଏଇ ତ ଠିକ୍ ନୁହେଁ । ଆଗ ସେ ଦୋକାନୀ ବାକି ଶୁଝିବ । ଢୋକେ ପିଇ ଦଣ୍ଡେ ଜିଇ ରହିଲାପରି ସେ ପୁଣି ମାସଟିଏ ଏହି ଚାରୋଟିକୁ ବଞ୍ଚେଇ ରଖିବ–ଲୋଟି ଲୋଟି ପାଣି ଢାଳି ଫୁଲ ଗଛକୁ ଜିଆଇଲା ପରି ।

 

ନିଜ କଥା ପାସୋର ଯାଇଥିଲା । ଯେ ଅନ୍ୟକୁ ଦେଖେ, ଅନ୍ୟର ଚିନ୍ତାରେ ତନ୍ମୟ ରହେ, ଅପରର କଥା, ଅପରର ହିତ, ଅପରର ସେବାରେ ମନଧ୍ୟାନ ଦିଏ, ସେ ନିଜକୁ ଆଉ ଦେଖେ ନାହିଁ । କାରଣ ସୃଷ୍ଟି ସର୍ଜନା କଲାବେଳେ ମଣିଷକୁ ଯେତେବେଳେ ଚାହାଣୀ ଦାନ କରିଥିଲା ସେତେବେଳେ ସେ ଆଖି ଦୁଇଟିକୁ ଅଭିଶାପ ଦେଇ କହିଥିଲା–ପରକୁ ଦେଖିଲେ ନିଜକୁ ଦେଖିପାରିବୁ ନାହିଁ । ଆଉ ନିଜକୁ ଦେଖୁଥିଲେ ଅପରକୁ ଚାହିଁପାରିବୁ ନାହିଁ । ତେଣୁ ଶଶାଙ୍କର ନିଜ କଥା ପାସୋର ଯାଇଥିଲା । ସେଇ ପାସୋରା ମନରେ ଘରଭଡ଼ା ଛାଇ ପକାଇ ପାରିନାହିଁ । ତା’ର ସ୍ଥାନ ନାହିଁ ।

 

ତରବର ହୋଇ ଦେହ ଉପରେ କୁର୍ତ୍ତାଟି ପିନ୍ଧିଲାବେଳେ ଶଶାଙ୍କ ଭଲ କରି ପକେଟରେ ହାତ ପୂରାଇ କଣାଫଟା ଅଛି କି ନାହିଁ ତନଖି ନେଇଥିଲା । ଅଫିସରୁ ଫେରିଲାବେଳେ ସେ ବଜାର ହୋଇ ଆସିବ । ଆଗ ଲୁଗା ସୁଜାତା ପାଇଁ ଆଣିବ । ଆଉ ଯାହା ଥିବ ଝାଡ଼ି ଦେବ ରସଦ ଦୋକାନରେ । ଖାଲି ହାତରେ ଫେରିବ । ତେଣିକି ଦେଖାଯିବ । ଟଙ୍କା ଥିଲେ ସିନା ଭୟ ଆସେ । ଟଙ୍କା ନ ଥିଲେ ଆଉ ଭୟ କାହାକୁ ।

 

ନିଜର ମାସିଆରି ଟଙ୍କା କେତୋଟି ଯତ୍ନରେ ରଖି ଅଫିସ ଛାଡ଼ିଲାବେଳେ ଶଶାଙ୍କର ପାଦ ଦୁଇଟି ଚଞ୍ଚଳ ହୋଇପଡ଼ିଥିଲେ । ଟଙ୍କା ଦେହ ପାଖକୁ ଆସିଲେ ସତେ ଯେପରି ତା’ର ଆକର୍ଷଣରେ ରକ୍ତକୁ ଶୀଘ୍ର ଶୀଘ୍ର ପହୁଞ୍ଚାଇ ଦିଏ ତାଳୁରୁ ନେଇ ତଳିପାରେ । ସେ ମନେ ମନେ ପ୍ରତ୍ୟେକ ଦାବିଦାରଙ୍କୁ ତା’ର ସେହି ସେତକ ଟଙ୍କା ଉତ୍ସର୍ଗ କରୁଥିଲା । ଏତେ ଦାବିଦାର ନ ଥାଇ ଅଳ୍ପ ଲୋକ ଥିଲେ ସେ ହୁଏତ ସେହି ଅଳ୍ପ ଲୋକଙ୍କୁ ସନ୍ତୋଷ ଦେଇ ପାରିଥାନ୍ତା ।

 

ବଡ଼ ବଡ଼ ପାହୁଲ ପକାଇ ଚାଲିଛି । ମନରେ କଳ୍ପନାର ଜୁଆର । ସେ ଆଜି ଗୋଟିଏ ମାସର ଆୟ ନିଜର ଆପଣାର ସେହି କେତୋଟି ଦାବିଦାର ଉପରେ ବିଞ୍ଚିଦେବ । ଆଜି ସେ ସୁଜାତା ମୁହଁରେ ହସ ଦେଖିବ–ମଣିଷ ତିଆରି ହସ । ଯେଉଁ ହସ ଲିଭିଯାଇଥିଲା, ସେହି ହସକୁ ପୁଣି ଥରେ ନିଜର ଚେଷ୍ଟା ଯତ୍ନରେ ମୁମୂର୍ଷୁକୁ ଜୀବନ୍ତ କଲାପରି ସେ ପୁଣିଥରେ ଆଣି ଠିଆ କରାଇବ । ସେ ପିଲାମାନଙ୍କର ସେଇ ପରାସ୍ତ ଆଖିଗୁଡ଼ିକରେ ପୁଣି ଥରେ ଉତ୍ସାହର ଆଲୋକ ଦେଖାଇବ । ଅଲୋଡ଼ା ଜୀବନରେ ଆଉ ତ କିଛି ହୋଇପାରିବ ନାହିଁ । କିନ୍ତୁ ସେମାନଙ୍କର ସେହି ବର୍ଦ୍ଧିଷ୍ଣୁ ଜୀବନରେ ସେ ପୁଣିଥରେ ତରଙ୍ଗ ଖେଳାଇବ ।

 

ରାସ୍ତାର କୌଣସି ଦିଗକୁ ତା’ର ଦୃଷ୍ଟି ନାହିଁ । ପଛରୁ ଡାକି ଡାକି ଘରବାଲା ଆସୁଛି । ଶଶାଙ୍କର କାନ ଦୁଇଟିରେ ସେ ଡାକ ପହଞ୍ଚି ପାରୁନାହିଁ ।

 

–ଆରେ ଚାଲିଯିବ ନା କ’ଣ ? କ’ଣ ଧାଇଁଛି ଏକାବେଳକେ ସତେ ଯେପରି ମହାଜନ ପିଛା ଧରିଛି । ଲୋକଲାଜକୁ ଖାତିର ନ କରି ଘରବାଲା ରାସ୍ତାରେ ଧାଉଁଥିବା ଷଣ୍ଢ ପରି ଜୋତାପିନ୍ଧା ଗୋଡ଼ର ଧପଲରେ ପାଖକୁ ଲାଗିଆସି ଶଶାଙ୍କ କାନ୍ଧରେ ହାତ ଥୋଇଲା–କ’ଣ ଶୁଭୁନାହିଁ କି ?

 

ହଠାତ୍ ପକେଟ୍‍ମାର ହୋଇଗଲାପରି ଶଶାଙ୍କ ଚମକି ପଡ଼ିଲା । ନିଜର ଅଜାଣତରେ ବାଁ ହାତ ଛାତି ପକେଟ ଆବୋରି ଦେଇଛି । ସେତିକି ତା’ର ସର୍ବସ୍ଵ–କିଏ ଲୁଟିନେବ ।

 

ଘରବାଲାକୁ ଚିହ୍ନିସାରି ଶଶାଙ୍କ ନରମି ଯାଇ ପଚାରିଲା–କ’ଣ ?

 

–ମୁଁ ପରା ଧାଇଁଛି । ଆଜି କ’ଣ ଦରମା ପାଇନାହାନ୍ତି ? ସମସ୍ତେ ପାଇଲେ ତ ।

 

–ହଁ, ହଁ, କ’ଣ ହେଲା । ମୁଁ ତ ଯାଇଥାନ୍ତି ଆପଣଙ୍କ ପାଖକୁ ।

 

–ଦରକାର ନାହିଁ । ମୋର ଏତେ ଅସୁବିଧା ଯେ ମୁଁ ଆଜି ନ ନେଲେ ଔଷଧ କିଣିପାରିବି ନାହିଁ । ପୁଅଟିର ଦେହ ଭାରି ଖରାପ ।

 

–ପୂରା ଚୁକ୍ତି କରିପାରିବି ନାହିଁ ।

 

ଘରବାଲାର କଅଁଳ ପାପୁଲିଟି ଶଶାଙ୍କର କାନ୍ଧ ଉପରେ ହଠାତ୍ ଚିପି ହୋଇଗଲା । ସେଇ କଠୋରତା ସତେ ଯେପରି କହିଦେଲା–ସଂସାରରେ ସବୁ ଦୋଷର କ୍ଷମା ଅଛି, କେବଳ କରଜ କଳନ୍ତରର କ୍ଷମା ନାହିଁ । ଘରବାଲା ଉତ୍‍କ୍ଷିପ୍ତ କର୍କଶ ସ୍ଵରରେ କହିଲା–ଦେଖନ୍ତୁ ବାବୁ, ଆଜି ଯଦି ମୋର ବାକିଆ ପାଉଣା ନ ପାଏ, ଆଉ ପିଲାର ଚିକିତ୍ସା କରିବାରେ ଟିକିଏ ବି ଆଞ୍ଚ ଆସେ ତେବେ ଯାହା ହବାର ଥିବ ହେବ ।

 

ସ୍ଵରରେ ବେଜିତ୍ ବ୍ୟବହାର ଅପ୍ରୀତିକର । ବାଟର ବାଟୋଇ ଠିଆ ହୋଇଗଲେଣି । କଚେରୀରେ ଦୋଷୀର ବିଚାର ଦେଖିବାକୁ ଯେମିତି ଲୋକେ ବେଳେ ବେଳେ ଠିଆ ହୋଇଯାନ୍ତି–ହକ ପାଉଣା ନ ଦେଇ ଖସିଯାଉଛି ।

 

ଶଶାଙ୍କର ଆଖି ଆଗରେ ଭାସି ଉଠିଲା ନିଜର ମର୍ଯ୍ୟାଦା । ତା’ ତଳେ ପିନ୍ଧାଲୁଗା । ସେଥିରୁ ମର୍ଯ୍ୟାଦା ବାହାରିବ । ତା’ ତଳେ ହୃଦୟର ଦାବି–ସ୍ତ୍ରୀ ପିଲାଙ୍କର ପାଉଣା । ସିଏ ମର୍ଯ୍ୟାଦା ଚିହ୍ନ । ସବାଶେଷରେ ନିଜର ଭାତଥାଳି–ଉପାସ ରହିଲେ ବି ମର୍ଯ୍ୟାଦା କମେ ନାହିଁ । କଳ୍ପନାର କ୍ରମ ବଦଳିଯାଇଛି । ମାଛପରି ମୁଣ୍ଡ ବଦଳରେ ଲାଞ୍ଜ ଦେଖାଦେଇଛି ।

 

–ମାସକର ନିଅନ୍ତୁ ।

 

–ନା । ପୂରା ଦୁଇ ମାସର । ଆଉ ଗୋଟିଏ ମାସ ବାକି ରଖିବି । ନହେଲେ ଘରେ ଆପଣଙ୍କର ପିଲାମାନେ ହୀନସ୍ତା ହୋଇଯିବେ ।

 

ପ୍ରତିବାଦ କରିବାକୁ, ପ୍ରତିରୋଧ କରିବାକୁ ଶଶାଙ୍କର ଆଉ ଇଚ୍ଛା ହେଲା ନାହିଁ । ଅଚିହ୍ନା ବାଟୋଇଙ୍କର ଘେରରେ ନିଜର ମଣିଷପଣିଆ ଖୋଲି ଲଙ୍ଗଳା ହୋଇ ଛିଡ଼ା ହେବାକୁ ଶଶାଙ୍କର ସାହସ ହେଲା ନାହିଁ । ନିଜର ଆଉ ମର୍ଯ୍ୟାଦା ନିଖୁଣ ନ ରଖିପାରିଲେ ବି ଯାହା ନିଖୁଣ ରହିଲା, ସେତିକି ଫେରାଇ ନେବାକୁ ପନ୍ଦର ଦିନର ଦରମା ଦେଇ ଦେଇ ଶଶାଙ୍କର ଛାତିରୁ ଦମକାଏ ପବନ ଯେପରି ଓହ୍ଲେଇଗଲା । ଗୋଟିଏ ଦାୟିତ୍ଵର ବୋଝ ଖସିଯାଇଛି । ବାହାରର ଲୋକଙ୍କର ଦାବି ଏମିତି ଉତ୍କଟ ।

 

–ବିରକ୍ତ ହେବେ ନାହିଁ । ଦୋଷ ଥିଲେ କ୍ଷମା ଦେବେ । ବଡ଼ ଅସୁବିଧାରେ ଥିଲି–କହିଦେଇ ଭଡ଼ାବାଲାଟି ଆଗେଇ ଚାଲିଗଲା । ଚାଲୁଥିବା ଲୋକେ ବାଟରେ ଚାଲିଲେ । ହକ୍‍ ପାଉଣା ଅସୁଲ ହୋଇଛି । ନ୍ୟାୟ ମିଳିଛି ।

 

ମୁଣିରୁ ଅର୍ଥ କମିଗଲେ ସତରେ ତ ରକ୍ତ ଥିର ପଡ଼ିଯାଏ । ମନର କ୍ଷିପ୍ରତା କମିଯାଏ । ଶଶାଙ୍କର ଚାଲି ଧୀର ହୋଇଆସିଲା । ମନଟା ମରିଗଲାଣି । ମାସର ପହିଲା ତା’ର ଉଷୁମ ଛିଣ୍ଡେଇ ଦେଇଛି ।

 

ଲୁଗା ଦୋକାନ ବାଟେ ଗଲାବେଳେ ଶଶାଙ୍କର ଆଖି ଆଗରେ ପିଲାଙ୍କର ଛିଣ୍ଡା ଲୁଗା ଆଉ ଭୋକିଲା ପେଟ ଏକାଠି ପାଖ ପାଖ ହୋଇ ଦେଖାଯାଇଥିଲା । ଲୁଗା ଚିରିଯାଇଥିଲେ ପୋଷଣାହାରୀକୁ ପଦେ କହିବେ । କିନ୍ତୁ ଖାଇବାକୁ ନ ଥିଲେ ଦାଣ୍ଡରେ ହାଟ ବସେଇବେ ।

 

ଚକ ଚକ ବିଜୁଳି ଆଲୁଅ ଜଳାଇ ଲୁଗା ବଜାର ବଡ଼ ଲୋକଙ୍କର ଉଆସପରି ସୁନ୍ଦର ଦିଶୁଛି । ସେହି ସୌନ୍ଦର୍ଯ୍ୟ ଶଶାଙ୍କ ଆଖି ପୂରାଇ ଦେଖିନେଲା । ଘରବାଲା ପକେଟରୁ ତା’ର ପାଉଣା କାଢ଼ିନେଇଛି । ସିନେମା, ଥିଏଟରର ଫାଟକ ପାଖରେ ଯେମିତି ପଇସା ନ ଥିଲେ ପ୍ରବେଶ ନିଷେଧ ସେମିତି ଦୁସ୍ଥ ଲୋକ ପକ୍ଷରେ ସେଇ ଲୁଗା ବଜାରର ମୂଲ୍ୟ ନିରସ ।

 

କ୍ଳାନ୍ତ ପାଦ ଦୁଇଟିକୁ ଟାଣି ଟାଣି ଶଶାଙ୍କ ନିଜ ଅନ୍ନଦାତା ରସଦ ଦୋକାନରେ ପହଞ୍ଚିଲା । ସେଠି ଆଲୁଅର ହଟଚମଟ ନାହିଁ । ପସରାର ସୌନ୍ଦର୍ଯ୍ୟ ନାହିଁ ।

 

ଶଶାଙ୍କ ଠିଆହେବା ସାଙ୍ଗେ ସାଙ୍ଗେ ମୁହଁରେ ହସ ଉଛୁଳାଇ ଦୋକାନୀ କହିଲା–ଏମିତି ବାବୁମାନଙ୍କୁ ମୋର ଭାରି ଶରଧା । ଦିନକପାଇଁ ଧାରୁଆ ରହିବେ ନାହିଁ । ଦରମା ପାଇବା ସାଙ୍ଗେ ସାଙ୍ଗେ ଆସି ଥୋଇଦେଇ ଯିବେ । ଏଇମାନେ ମୋର ଲକ୍ଷ୍ମୀ ।

 

ପଡ଼ିଶା ଦୋକାନୀମାନେ ଚାହିଁଲେ ଅଫିସଫେରନ୍ତା ଶଶାଙ୍କକୁ । ଆପଣା ମନକୁ ବିନା ତାଗଦାରେ ମାସିଆରି ବାକି ଶୁଝିବାକୁ ଚାଲିଆସିଛି । ଜଣେ କହିଲା–ସମସ୍ତେ ସେମିତି ହତଲକ୍ଷ୍ମୀ ନୁହନ୍ତି । ଖାଇଦେଇ ପଳାଇବାକୁ ସମସ୍ତେ ଜାଗ୍ରତ ନୁହନ୍ତି ।

 

ଶଶାଙ୍କ ବୁଲି ଚାହିଁଥିଲା ଆକାଶ ଆଡ଼େ । ବଜାରର ଧୂଳି ସେହି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଢାଙ୍କି ଦେବାକୁ ଚେଷ୍ଟା କରି ପାରୁନାହିଁ । ପରିବାରର ପୋଷଣ ଶଶାଙ୍କର ଆତ୍ମମର୍ଯ୍ୟାଦାକୁ ପୋଛି ଲିଭେଇ ଦେବାକୁ ଚେଷ୍ଟା କରୁଛି । ସେତକ ଚାଲିଗଲେ ପରିବା ଦୋକାନପାଖରେ ବୁଲୁଥିବା ଓଲିଆ ଗାଈ ଆଉ ବୁଲା କୁକୁର ସାଙ୍ଗରେ ସେ ସମାନ ହୋଇଯିବ । ନା, ସୁଜାତା ଯାହା ପିନ୍ଧୁ, ପିଲାଏ ଯାହା ପଢ଼ନ୍ତୁ, ଯେଉଁଥିରେ ଖେଳନ୍ତୁ ସେଥିରେ ତ ସଂସାରର ମୂଳଦୁଆ ହଲିବ ନାହିଁ । ଖାଇବାକୁ ନ ଥିଲେ ।

 

ବିବଶ କଣ୍ଠରେ ଶଶାଙ୍କ ପଚାରିଲା–କେତେ ବାକି ?

 

ଦିନକୁ ଟଙ୍କାଏ ଅଠର ଅଣା ଭିତରେ ସଉଦା ଯାଏ ତ; ଆପଣ କ’ଣ ହିସାବ କରିନାହାନ୍ତି ?

 

ପକେଟରେ ଖଣ୍ଡେ ପାଞ୍ଚ ଟଙ୍କିଆ ନୋଟ ରଖିଦେଇ ଶୁଖିଲା ଓଠରେ ହସର ପତିଆରା ଦେଖାଇ ଶଶାଙ୍କ କହିଲା–ଏ ମାସରେ ଏତିକି । ଟିକିଏ ଅସୁବିଧା ରହିଗଲା ।

 

ଓଠ ଉପରେ ହସର ରେଖା ଟାଣିରଖି ଟଙ୍କା ଗଣି ନେଇ ଦୋକାନୀ କହିଲା–ହଉ ଯା’ନ୍ତୁ । ଯାହା ଆପଣ ଖୁସି ମନରେ ଦେଲେ ସେତିକି ମୋର ଯଥେଷ୍ଟ । ସମସ୍ତଙ୍କର ତ ଅଛି । କାହାରି ପାଉଣା ବାକି ରହିବ ନାହିଁ ।

 

ସବୁ ଦେଇ ସାରିବା ପରେ ବି ଶଶାଙ୍କ ଋଣମୁକ୍ତ ହୋଇପାରିଲା ନାହିଁ । ଅସମର୍ଥ ଲୋକ ସବୁବେଳେ ସବୁ ଅବସ୍ଥାରେ ଅସମର୍ଥ । ଶଶାଙ୍କର ମନ ଆଉ ନାଚି ଉଠିଲା ନାହିଁ । ଘରକୁ ଫେରିବା ବାଟରେ ତା’ର ମାସକର ପୁଞ୍ଜି ତତଲା କଡ଼ା ଉପରେ ଛିଡ଼ିକି ପଡ଼ିବା ପାଣି ଟୋପାକ ପରି ପୁଣି ଶୂନ୍ୟକୁ ଉଠିଯାଇଛି । ଗୋଟିଏ ମାସର ସବୁ ଚେଷ୍ଟା, ପରିଶ୍ରମ ଓ ଜଞ୍ଜାଳ ସେଇ ପୁରୁଣା ମାସରେ ମିଳେଇ ଯାଇଛି । ମାସର ପହିଲା । ମୂଲ୍ୟହୀନ ।

 

ଘରକୁ ଫେରିଲା । ପାଞ୍ଚୋଟି ଲୋକଙ୍କର ମାସକର ହାନିଲାଭ ସଂସାର ପାଇଁ ଆୟୋଜନ ମାତ୍ର ପାଞ୍ଚଟି ଟଙ୍କା । ସେଥିରେ ସାନ ପିଲାର ଖେଳଣା, ମଝିଆଁ ପୁଅର ସାଇକେଲ, ବଡ଼ ପୁଅର ବହି, ସୁଜାତାର ଲୁଗା କୌଣସିଟିର ସମାପ୍ତି ହୋଇପାରିବ ନାହିଁ । କାହାରିକୁ ସନ୍ତୁଷ୍ଟ କରିହେବ ନାହିଁ ।

 

ରୁଦ୍ଧ ଅନୁତାପ ସେଇ ଦୁର୍ବଳ ଛାତିରେ ବୋହି ଶଶାଙ୍କ ଘରକୁ ଫେରିଆସିଲା ।

 

ବଡ଼ପୁଅ ଚାହିଁ ରହିଥିଲା ଦୁଆରବନ୍ଧ ପାଖରେ ବାପା ବହି ଆଣିବେ । ମଝିଆଁ ପୁଅ ଜିଦ୍ ପକାଇଥିଲା ବାପା ସାଇକେଲ ଆଣିବେ । ସାନ ପୁଅକୁ କୋଳରେ ଧରି ସୁଜାତା ସଂଧ୍ୟାର ମ୍ଳାନ ଆଲୁଅରେ ବିପର୍ଯ୍ୟସ୍ତ ମନର ଅନ୍ତଃସଲିକା ଆଶାର ଝର ନେଇ ଭାବୁଥିଲା–ନିଜପାଇଁ ଶାଢ଼ି ଆଣିଥିବେ, ପୁଅପାଇଁ ଖେଳଣା ଆଣିଥିବେ ।

 

ହାତ ଖାଲି । ସେହି ଦରିଦ୍ର ସଂସାରର କେହି ଜଣେ ହେଲେ ଶଶାଙ୍କର ଦୁଃଖରେ ସମବ୍ୟଥା ଦେଖାଇ ପାରିଲା ନାହିଁ । ସେହି ଦରିଦ୍ରର ସଂସାର ଭିତରକୁ ଉତ୍ସାହରେ ଡାକି ନବାକୁ କାହାରି ହାତ, କାହାରି ଆଖିର ନିମନ୍ତ୍ରଣ ଡାକିଲା ନାହିଁ । ଅସ୍ପଷ୍ଟ ସ୍ଵରରେ ବଡ଼ ପିଲା ଦୁଇଟି କହିଲେ–ଆଣି ନାହାନ୍ତି ।

 

ଶୂନ୍ୟ ଆଖିରେ ଶଶାଙ୍କ ସେମାନଙ୍କୁ ଚାହିଁଥିଲା । ମାସର ପହିଲା ଆସିଥିଲା–ଚାଲିଯାଉଛି ।

☆☆☆

 

ଦ୍ଵନ୍ଦ୍ୱ

 

ପର ସାଙ୍ଗରେ ଚଳିବା ସହଜ ବୋଲି ସମସ୍ତେ ମୁହେଁ ମୁହେଁ କହିଦିଅନ୍ତି । କ’ଣ ଅଛି ସେଥିରେ । ଜଣକର ସୁବିଧା ଅସୁବିଧାକୁ ଆରଜଣକ ଖାତର କରିବ ନାହିଁ । ଭଲମନ୍ଦ, ଦୋଷ ଅବିଗୁଣ ସମ୍ଭାଳି ନେଲେ ହେଲା । ମନ ବଡ଼ ହୋଇଥିଲେ ଜଣେ କାହିଁକି, ପାଞ୍ଚ ଜଣକୁ ଚଳେଇ ନେବା ସହଜ–ଏହି ଧାରଣା ଉପରେ ଠିଆ ହୋଇଛି ଏଡ଼େବଡ଼ ସଂସାର ।

 

ସମସ୍ତଙ୍କ ଜୀବନରେ ଏଇ କଥାଟି ପରଖ କରିବାର ସୁବିଧା ସହଜରେ ମିଳେ ନାହିଁ । ଯେଉଁମାନଙ୍କର ଅନ୍ୟ ସାଙ୍ଗରେ ଚଳିବାର ପ୍ରୟୋଜନ ହୋଇନାହିଁ, ସେମାନେ ହୋଟେଲ ଆଉ ବୋର୍ଡ଼ିଂର ଏକାଠି ରହଣୀ ଅବସ୍ଥାକୁ ମନରେ କଳ୍ପନା କରିନିଅନ୍ତି ଆଉ ମନେ କରନ୍ତି ସହଜ ।

 

ଏକୁଟିଆ ଚଳିଲାବେଳେ ଏଇ ପର ସାଙ୍ଗରେ ଆପଣାର ପରି ଚଳିବାର ଇଚ୍ଛା ସମସ୍ତଙ୍କ ମନକୁ ଊଣା ବହୁତେ ଆସିଥାଏ । ଅବସ୍ଥା ଚକ୍ରରେ ସେତକ କରିବାକୁ ପଡ଼ିଲାବେଳେ ମିନି ନାନା ଉପଲକ୍ଷରେ କହିଦିଏ ଯେ ପରକୁ ନେଇ ଚଳିବା ସହଜ ନୁହେଁ ।

 

ସେମିତି ହୋଇଥିଲା ତାଙ୍କର ବାପା ମଲାବେଳେ । ମଣିଷ ହଠାତ୍ ମରେ । କିନ୍ତୁ ତା’ର ମରିବା କଥା ଜନ୍ମପତ୍ରିକାରେ ଲେଖା ହୋଇଥାଏ । ସମସ୍ତେ ଜାଣିଥାନ୍ତି । ତେବେ ବି କେହି ତିଆର ହୋଇପାରନ୍ତି ନାହିଁ । ତାଙ୍କର ଦୁଇଟି ପିଲା ଆଉ ସ୍ତ୍ରୀ ସେଥିପାଇଁ ନିଜକୁ ସଜାଡ଼ି ରଖିପାରି ନ ଥିଲେ । ମୁରବି ଗଲାବେଳେ ଗଲା ଉତ୍ତାରୁ କି ଅବସ୍ଥା ଆସିବ–ସେତକର ଧାରଣା କରିପାରି ନ ଥିଲେ । ସତେ ଯେପରି ଚାଲିଗଲେ ଭାରି ଭଲ–ଏତିକି ଧାରଣା ମନରେ ରଖିଥିଲାପରି ଚାଲିଯାଇଥିଲେ ।

 

ସେତେବେଳକୁ ବଡ଼ କର୍ମଚାରୀ ହିସାବରେ ନିଜର ଅବସ୍ଥାକୁ ସୁହାଇଲାପରି ଶହେ ଟଙ୍କା ଦେଇ ଘରଟି ଭଡ଼ା ନେଇଥିଲେ । ସରକାରୀ ଚାକର ବେସରକାରୀ ଭାବରେ ଘରେ ଆସି ଖଟନ୍ତି । ଆଉ ନିଜର ରୋଷେଇ ପାଇଁ ସେ ଆଣିଥିଲେ–ବିଷୁନିଆ ।

 

ଏହି ଚାକର ବିଷୁନିଆ, ସ୍ତ୍ରୀ, ଯୋଡ଼ିଏ ପିଲା ଆଉ ନିଜେ–ଏତିକ ହେଉଛି ତାଙ୍କର ସଂସାର । ସେ ଚାଲିଗଲା ପରେ ରହିଗଲେ ଚାରି ଜଣ । ପିଲାମାନଙ୍କର ପାଠପଢ଼ା ସରିନାହିଁ । ପୁଅ ପଢ଼ୁଛି କଲେଜରେ । ବଡ଼ ଭଉଣୀ କଲେଜ ଛାଡ଼ିଛି । ଘର ଚଳେଇବାକୁ କେହି ନାହିଁ । ବିଦେଶ ପରବାସ ନୁହେଁ ବୋଲି ସେ ତାଙ୍କରି ପରିବାରକୁ ପାଖରେ ରଖି ବାରମ୍ଵାର ମନକୁ ଭୁଲାଇଥିଲେ । କିନ୍ତୁ ମରିବାଦିନ ତାଙ୍କରି ପରିବାର ଦେଖିଥିଲେ ବିଦେଶର ରୂପ ।

 

ମରିବା ବାସିଦିନ ଘରୁ ଟେଲିଫୋନ୍ କଟିଯାଇଥିଲା । ସରକାରୀ ଚପରାସିମାନେ ଖାଲି ମେଲାଣି ନେବାକୁ, ପର ମଣିଷ ପରି ଦି’ପଦ ମନବହଲା କଥା କହିବାକୁ ଆସିଥିଲେ । ସମସ୍ତେ ସେ ଦିନ ପର । ବାବୁଙ୍କର ସ୍ନେହୀ ବନ୍ଧୁ, ଆଶ୍ରିତ ସବୁପ୍ରକାରର ଲୋକ ସେହି ଦିନ ଓଳିକରେ ଆସି କହିଯାଇଥିଲେ, ଯେ ଆମୁକୁ ନିଜର କରିଥିଲେ, ଯାହାଙ୍କୁ ଆମେ ନିଜର ବୋଲି ଭାବିଥିଲୁ, ସରକାରୀ କଳ ଯେଉଁମାନଙ୍କୁ ତାଙ୍କ ସାଙ୍ଗରେ ବାନ୍ଧି ଦେଇଥିଲା, ସେମାନେ ସମସ୍ତେ ପର ମଣିଷ । ଚଢ଼େଇର ପକ୍ଷୀରୁ ଝଡ଼ି ପଡ଼ିଥିବା ପରପରି, ଶିମିଳି ଗଛରୁ ଭଣ୍ଡା ଭାଙ୍ଗି ଅନ୍ତର ହୋଇଯାଇଥିବା ଶିମିଳି ତୁଳାପରି ସେହି ଦିନ ସମସ୍ତେ ଚାଲିଯାଇଥିଲେ ।

 

ଦୂର ଗାଁରେ ଅଛନ୍ତି ଜ୍ଞାତିକୁଟୁମ୍ବ । ସେଠି ଅଛି ମୌରସୀ ଖାନାବାଡ଼ି, ଜମିଜମା । ବାବୁ ମରିଗଲା ପରେ ସେହିମାନେ ଦୂରରୁ ନିଶାଣ ଉଡ଼ାଇ ଠାରୁଛନ୍ତି–ଆସ, ଆସ । ସୌଭାଗ୍ୟରେ କେହି ମୌରସୀ ସମ୍ପତ୍ତିକୁ ପଚାରେ ନାହିଁ । ବାହୁରେ ବଳ ଊଣା ହୋଇଗଲେ ମଣିଷ ଖୋଜେ ତା’ର ପୂର୍ବପୁରୁଷଙ୍କୁ । ସେମାନେ ସମ୍ପାଦିଥିବା ଚିଜବସ୍ତୁ, ଜମିଜମା, ଘରବାରି, ଗଛପୋଖରୀ–ସମସ୍ତଙ୍କୁ । ଛାଇଲେଉଟା ଚଢ଼େଇ ତା’ର ଆଶ୍ରୟପାଇଁ ଜଣାଶୁଣା ଗଛକୁ ଖୋଜିଲାପରି ।

 

ହାତରୁ ଚୁଡ଼ି ଓହ୍ଲା ହୋଇଛି–ଏଇ ରୂପ ଦେଖିବେ ଯେଉଁମାନେ ବୋହୂ ବୋଲି, କୁଳଲକ୍ଷ୍ମୀ ବୋଲି ଘରକୁ ଡାକି ନେଇଥିଲେ, ସେଇମାନେ ପୁଣି ଦେଖିବେ ହାତରୁ ଚୁଡ଼ି ଭାଙ୍ଗିଛି, ସିନ୍ଦୁର ଲିଭିଛି, ଅଳତା ଲୁଚିଛି, କୁଳଲକ୍ଷ୍ମୀ ଅହିଅରୁ ବିଧବା ହୋଇଛି ।

 

ନା, ନା, ହେବ ନାହିଁ । ପୋଷା ବିଲେଇଟିକୁ କୋଳରେ ଧରି ମୁଣ୍ଡ ଥାପୁଡ଼େଇଲା ବେଳେ ସେ ଦିନ ସେ ସ୍ଥିର କରିଥିଲେ ଯେ ଯେଉଁ ବିଦେଶକୁ ସ୍ଵଦେଶ ବୋଲି ଆଦରି ନେଇଥିଲେ, ସେହି ହେଉଛି ତାଙ୍କରି ଦେଶ । ସବୁଠି ଗୋଡ଼ତଳେ ଏଇ ବସୁଧା, ମୁଣ୍ଡ ଉପରେ ସେହି ଆକାଶ ।

 

ନିଜର ଭଡ଼ାଘର ଠିଆ ହୋଇଥାଏ । ତଳ ଉପର ଆଠ ବଖରା । ଚଳିବା ଘର ସମାନ ସମାନ । ଖାଲି ଅଧିକା ତଳ ଖଞ୍ଜାରେ କାଠପାଇଁ ଘର, ଗୋରୁପାଇଁ ଗୁହାଳ, ଦୁଆର ମଝିରେ କୂଅ, ଦୁଆର କରରେ ପାଣି ପାଇପ, ବିଜୁଳି ମିଟର ଆଉ ରୋଷେଇ ଘର । ସେଇ ଘର ସେ ଦିନ ତା’ର ଧଳା କାନ୍ଥ ଭିତରେ, ରଙ୍ଗଦିଆ କଡ଼ିତଳେ, ବାର୍ଣ୍ଣିସଦିଆ କବାଟ ଝରକା ଭିତରେ ତାଙ୍କୁ ରଖି ବୁଝାଇଥିଲା–କେହି ନ ଥିଲେ ମୁଁ ଅଛି ।

 

ଜଣାଶୁଣା ଘର । କାନ୍ଥରେ କଣ୍ଟା ପିଟିଲାବେଳେ କାଳେ ଖଣ୍ଡିଆ ହୋଇଯିବ ବୋଲି ଯତ୍ନରେ ଦିଆହୋଇଥିଲା । ନିଜର ଘରପରି ତାକୁ ସୁନ୍ଦର କରାହୋଇ ରଖାହୋଇଥିଲା । ନିଜର ଦେହକୁ ତେଲରେ ପାଲିସ୍ କଲାପରି ସେ ତାକୁ ରଖିଥିଲେ । ସେ ଘରଟି ସେଦିନ ତା’ର ସାମର୍ଥ୍ୟ ଅନୁସାରେ ତାଙ୍କୁ ଶାନ୍ତି କରାଇଥିଲା । ଘର ଭିତରେ ଥିଲା ଘରକରଣା ଟଙ୍କାପଇସା । ବାବୁଙ୍କର ପାଉଣା ମିଳିବାକୁ କିଛି ସମୟ ଲାଗିବ । ଘରେ ସମ୍ପାଦିଥିବା ପୁଞ୍ଜିରେ ପୁଅର ପଢ଼ା ଛ’ଟା ମାସରେ ସରିବ–ଛ’ଟି ମାସ କହୁଁ କହୁଁ ଚାଲିଯିବ ।

 

ଦୁଇ ଆଖିରୁ ଅସହାୟ ଆଶଙ୍କାଭରା ଲୁହ ଦି’ ଧାର ଗଡ଼ାଇ ସେ ସେଦିନ ଚାଲିଯାଇଥିବା ଅଣନେଉଟା ନିର୍ଦ୍ଦୟ ସ୍ଵାର୍ଥପର ସ୍ୱାମୀଙ୍କୁ ଯେତିକି ମନେ ପକାଇଥିଲେ, ଠିକ୍ ସେତିକି ତାଙ୍କୁ ଆବୋରି ରଖିଥିବା, ନିରାଶ୍ରୟ କରି ନ ଥିବା ଘରଟିକୁ ସେ ହେଜିଥିଲେ ।

 

ସବୁ ଚାଲିଯାଇଛି । ଏତିକି ରହିଛି–ଗୋଟିଏ ଚାକର, ଗୋଟିଏ ଗାଈ, ଯୋଡ଼ିଏ ପିଲା ଆଉ ସେ ନିଜେ ।

 

ମରିବାର ତେର ଦିନ ଭିତରେ ପରମ୍ପରା, କୁଳାଚାର, ଲୋକାଚାର ସଜାଡ଼ିବାରେ ସାଇତିଥିବା ପୁଞ୍ଜି ବହୁତ ଊଣା ପଡ଼ିଥିଲା । ଏକୁଟିଆ ଜୀବନ ବଡ଼ କଷ୍ଟ । ପିଲାଙ୍କୁ ଘରେ ବାନ୍ଧି ରଖିଲେ ତାଙ୍କର ଭବିଷ୍ୟତ୍ ନଷ୍ଟ । ଘରୁ ବାହାରକୁ ଛାଡ଼ିଲେ ବିଧବା ହୋଇ ସମୟ କଟାଇବା ଭାରି କଷ୍ଟ । ଚାକର ତା’ର କାମରେ ଲାଗେ । ଗାଈ ବୁଲିବାକୁ ଯାଏ । ବିରାଡ଼ି ରହିବାକୁ ସୁଖ ପାଏ ନାହିଁ । ଖାଲି ସାଥି ହୋଇ ରହନ୍ତି ସେହି ନିର୍ଜୀବ ଘରର ଇଟା, ପଥର, ଚୂନ, ସିମେଣ୍ଟ, କଡ଼ି, ବରଗା, ଚୌକାଠ, ରେଲିଂ ଓ କବାଟ ।

 

ଏକୁଟିଆ ରହିଲେ ମନ ଭିତରକୁ ସବୁବେଳେ ଉଣ୍ଡିବୁଲେ । ଭିତରୁ କୋହ ଉଠେ । ଆଖି ଛୁଟାଇଦିଏ ଧାର । ସେ ଧାରାଶ୍ରାବଣର ଶେଷ ନାହିଁ । ସାଥିହୀନ ଜୀବନର ଦାରିଦ୍ର୍ୟ ସାଥିହରା ହେଲାବେଳେ ଆଷାଢ଼ର ମେଘପରି ଭାରି ଭୟ ଦେଖାଏ । ମନରେ ଅତି ଗଭୀର ବୈରାଗ୍ୟ ଆସେ । ଚାଲିଯାଇଥିବା ଲୋକପାଇଁ ମମତା ବହୁଗୁଣ ହୋଇଉଠେ–ପକ୍ଷାଘାତ ରୋଗୀ ଜଡ଼ ହୋଇଗଲା ପରେ ସେହି ରୋଗଗ୍ରସ୍ତ ଅବୟବକୁ ବହୁ ମୂଲ୍ୟ ମନେକରି, ଅହରହ ଚିକିତ୍ସା କଲାପରି ।

 

ସେତେବେଳର ପ୍ରଧାନ ସମସ୍ୟା ଅଭାବ ଆକାରରେ ଦେଖା ଦେଇ ନ ଥିଲା । ନିର୍ଜନତା ଆକାରରେ ଆସି ବାରମ୍ବାର କହିଥିଲା–ଏଇ ସଂସାରରେ ଯେ ଏକୁଟିଆ ରହେ, ସେ ହେଉଛି ସବୁଠାରୁ ନିର୍ବୋଧ । ଆଇନ ଶାସନରେ ହେଉ, ନିଜର ଇଚ୍ଛାରେ ହେଉ ବା ଅବସ୍ଥା ଚକ୍ରରେ ହେଉ ଏକୁଟିଆ ହୋଇଗଲେ ନିର୍ଜନ ବେଳରେ ମଣିଷ ଆଉ କିଛି କରି ନ ପାରି ନିଜକୁ ନିଜର ଅଭାବ ଭିତରେ ପଛକଥାର ଅନୁଶୋଚନା ଭିତରେ ପକାଇ ଭାଜି ବସେ ।

 

ଚାକରଟି ବାରମ୍ବାର ଅପଲକ ଆଖିରେ ସେଇ ବ୍ୟଥାତୁର ପରିବାରଟିକୁ ଚାହିଁ ରହେ । ସେ ଆସି ପୁଅଝିଅଙ୍କୁ କହେ–ମା’ ବଡ଼ କଷ୍ଟ ପାଉଛନ୍ତି । ଲୋକମେଳରେ ନ ରହିଲେ ସେ ଭାଙ୍ଗି ପଡ଼ିବେ, ଉଠିପାରିବେ ନାହିଁ ।

 

–ସତେ ତ । ଏଡ଼େ ବଡ଼ ଘର । ବାପା ଥିଲାବେଳେ ଅଣ୍ଟୁ ନ ଥିଲା । ଏତେ ଲୋକ ଆସୁଥିଲେ । ବେଳ ନଅଣ୍ଟ ଧରୁଥିଲା–ଏବେ ସବୁଆଡ଼େ ବଳି ପଡ଼ୁଛି । ଟଙ୍କା କମିଛି । କିନ୍ତୁ ବାକି ସବୁ ଜିନିଷ ବଢ଼ିଯାଇଛି–ନିରାଶ୍ରୟତା, ଅସହାୟତା, ନିର୍ଜନତା ।

 

ସମସ୍ତେ ଏକାଠି ବସି ବିଚାରନ୍ତି କ’ଣ କଲେ ଭଲ ହୁଅନ୍ତା । ମା’ତ ଘରକୁ ଭଡ଼ା ଦେବେ ନାହିଁ । ଭଡ଼ା ନ ଦେଲେ କିଏ ଆସି କାହିଁକି ରହିବ । ବାହାରର ଲୋକଙ୍କୁ ସେମିତି ମାଗଣାରେ ରଖାଇବା କି ଦରକାର ? ଯେତିକି ବଡ଼ ଜାଗା ମିଳିବ ସେତିକି ଖାଲି ଜାଗା ବାହାରିବ-। ମନର ଶୂନ୍ୟତା, ସମାଜର ନିର୍ଜନତା ସେତିକି ବଡ଼ ଆକାରରେ ଦେଖାଦେବ । ମାଠିଆଟିରେ ଗିଲାସେ ପାଣି ଥୋଇଲେ ସେ ଯେପରି ପରିପୂର୍ଣ୍ଣ ନ ଦିଶି ଅସମ୍ପୂର୍ଣ୍ଣ ହୋଇ ମାଠିଆକୁ ଉପହାସ କରେ, ମଣିଷ ବି ତ ଠିକ୍ ସେମିତି ।

–ନା, ସୁବିଧା ଅସୁବିଧା ଯାହା ହେଉ ଏଇ ସମସ୍ୟାର ମୀମାଂସା ହୋଇପାରିବ ଖାଲି ମଣିଷଦ୍ଵାରା । ଏଇ ଘରଭଡ଼ା ଦିଆହେବ । ଭଲ ଭଡ଼ାବାଲା, କଳି କରୁ ନ ଥିବେ, ଏକାଠି ମିଳିମିଶି ଚଳି ପାରୁଥିବେ, ଭଡ଼ା ଦେବାର ସଙ୍ଗତି ଥିବ–ସେତିକି ଥିଲେ ହେଲା ।

ବାପାଙ୍କର ଚିହ୍ନାପରିଚୟ ଲୋକଙ୍କୁ ଖୋଜି ଲୋଡ଼ି ପୁଅଟି ଗୋଟିଏ ଭଡ଼ାବାଲା ଯୋଗାଡ଼ କରି ଆଣିଥିଲା–ଭାଇ ଭାଉଜ ଆଉ ତିନୋଟି ଦିଅର । ଅଧେ ଭଡ଼ା ଦେବାର ସାମର୍ଥ୍ୟ ଅଛି । ଜଣେ ସ୍ତ୍ରୀ ଅଧିକା ହେଲେ ମା’ର ଦୁଃଖ ଊଣା ହୋଇଯିବ ।

–ଘର ଭଡ଼ା  ଦିଆଯିବ ।

–ଭଡ଼ା ?

–ହଁ ତ । ଟଙ୍କା ଊଣା ହେବ । ବିଜୁଳି ଖର୍ଚ୍ଚ ଅଧା ଦେବେ, ପାଣି ପାଇପ୍ ଖର୍ଚ୍ଚ ଅଧା ଦେବେ । ତଳ ପାଖରେ ସେମାନେ ରହିବେ, ଉପରେ ଆମେ ରହିବା । ଭାରି ସୁବିଧା ହେବ । ଲୋକ ଭଲ । ପିଲାପିଲି ନାହାନ୍ତି । ଜଞ୍ଜାଳ ନାହିଁ ।

 

ଭଡ଼ାବାଲା ଆସିଗଲେ ଏକାଠି ପାଞ୍ଚ ଜଣ । ତାଙ୍କର ଜିନିଷପତ୍ରରେ ପୁଣି ସେହି ଘରଗୁଡ଼ିକ ପୂରିଉଠିଲା । ପୁଣି ଚପରାସି ବଦଳରେ ନୂଆ ଲୋକ ଆସିଲେ । ଭାରି ଭଲ ହେଲା ।

 

ଘର ଅଯତ୍ନ ହୋଇ ପଡ଼ିଥିଲା । ସମସ୍ତେ ଯେ ଯାହାର ଦୁଃଖରେ ମାତିଥିବାରୁ ଘରକଥା କେହି ମନେ ପକାଉ ନ ଥିଲେ । ଘର–ଦୁଆର ଧୁଆ ହୋଇ ସଫାସୁତୁରା ହୋଇଗଲା ।

 

କିଛିଦିନରେ ସମସ୍ତଙ୍କ ମୁହଁରେ ପ୍ରଶଂସା । ଭାରି ଭଲଲୋକଟିଏ ସେଇ ତଳ ଘରର ବୋହୂ । ଚାକର ନାହିଁ । ହାତରେ ବାସନ ମାଜିବାଠାରୁ ଅଇଁଠା ଉଠାଇବାଯାଏଁ ସବୁ କାମ କରନ୍ତି-। ଘର ଧୋଇବାଠାରୁ ସଦର ଦରଜାରେ ଶିଙ୍କୁଳି ଦେବାଯାଏଁ, ପରିବା କିଣାଠାରୁ ଘଣ୍ଟାକଣ୍ଟାରେ କଣ୍ଟ ଦେଇ ରୋଷେଇ କରି ସ୍ଵାମୀ, ଦିଅରଙ୍କୁ କାମକୁ ପଠେଇବାଯାଏଁ ସବୁ କାମ ସେ ହାତେ ହାତେ ଉଠେଇ ନିଅନ୍ତି ।

 

ବିଷୁନିଆ ଅତି ଅହଙ୍କାରରେ ଚାହିଁ ରହେ । ସେ ତା’ରି ପରି ଜଣେ ଚାକର । ସେ ଯେମିତି ବାବୁଙ୍କର ସବୁ କାମ ହାତରେ ପାରିକରୁଛି, ସେ ସେମିତି ତାଙ୍କ କୁଟୁମ୍ବଙ୍କର ଯାବତ କାମ ଉଠେଇ ନେଉଛି । ସେ ଗଦ୍‍ଗଦ ହୋଇପଡ଼େ । ସେହି ବୋହୂଟି ସାଙ୍ଗରେ କାମରେ ସମସରି ହେବାପାଇଁ ସେ ବି ଜିଦ୍ ରଖିଲାପରି କାମରେ ଲାଗିଯାଏ ।

 

ତଳ ମହଲାର ପ୍ରଶଂସା ଏଇ ବିଷୁନିଆ ମା’ର ମାର୍ଫତରେ ଉପରକୁ ଉଠେ । ଉପର ମହଲାର ଲୋକଙ୍କର କୌତୂହଳ ବିଷୁନିଆ ଦୂର କରେ । ଉପରୁ ଚାହିଁ ରହନ୍ତି ସେମାନେ–ମଣିଷର କୋଳାହଳରେ, ପରିଶ୍ରମୀର ଅବିଶ୍ରାନ୍ତ ପରିଶ୍ରମରେ ପୁଣି ଘରଟି ହସି ଉଠୁଛି ।

 

ବିଲେଇଟି ତଳ ମହଲାର ଆଦର ପାଏ । ଗୋରୁଟି ଆଉଁସା ପାଏ । ଦୁଇଟି ପରିବାର ଭିତରେ ସେମାନେ ହେଉଛନ୍ତି ମଧ୍ୟସ୍ଥ ।

 

ସବୁ ଭଲ । ମଣିଷକୁ ପାଖରେ ବେଢ଼େଇ ରଖିଲେ ସବୁ ସୁନ୍ଦର ହୋଇଯିବ । ସବୁ ଦୁଃଖ ଚାଲିଯିବ । ସଂସାରରେ ଅଭିଶାପ ହେଉଛି ନିର୍ଜନତା । ସେଇଥିପାଇଁ ସୃଷ୍ଟି ସବୁ ପ୍ରାଣୀଙ୍କୁ ବଢ଼ାଇ ଦେଇ ସମସ୍ତଙ୍କ ଅଭିଶପ୍ତ ନିଃସଙ୍ଗତାକୁ ଦୂର କରିଦିଏ । ଆଉ ପ୍ରତ୍ୟେକ ପ୍ରାଣୀ ବୁଦ୍ଧି ଖଟାଇ ଜନ୍ମସଂଖ୍ୟା ଯେପରି ବଢ଼ାଇବାରେ ଲାଗନ୍ତି, ମରଣ ସଂଖ୍ୟାକୁ ସେମିତି ଊଣା କରିବାରେ ଅହରହ ଚେଷ୍ଟା କରୁଥାନ୍ତି ।

 

ଦୁଇଟି ପରିବାର ଭିତରେ ସଦର ଦରଜା, ଅଗଣାର କୂଅ ହେଉଛି ଦୁଇଟି ଯୋଗସୂତ୍ର । ସଦର ଦରଜା ପାଖ ବିଜୁଳି ମିଟର, ସିଡ଼ି ପାଖରେ ଥିବା ପାଣିକଳ ଦୁଇ ପରିବାରର ଆର୍ଥିକ ଯୋଗସୂତ୍ର । ବ୍ୟବହାରପାଇଁ ଓ ଟଙ୍କାର ଖରଚପାଇଁ ଦୁଇ ପରିବାର ଭିତରେ ହିଡ଼ପରି ସେମାନଙ୍କର ଦେବତ୍ୱ ଓ ପଶୁତ୍ୱକୁ ତଉଲିବାକୁ ଯେମିତି ରଖା ହୋଇଥାଏ ।

 

ଭଡ଼ା ଅଧାକୁ ଅଧା–ପଚାଶ ଓ ପଚାଶ । ପାଣି କର ଯେମିତି ଅଧା । ବିଜୁଳି କର ଅଧା-। ଯେ ପଛରେ ଆସିଛି ସେଇ ତଳେ ରହିବ । ଆଗବାଲା ଉପରେ । ତଳ ଖଞ୍ଜାର ଗୋଟିଏ ପାଖରେ କାଠପାଇଁ ଜାଗା ହେଲା ଆଉ କାଠ ଘରଟି ତଳ ବଖରାର ରୋଷେଇ ।

 

କୂଅଟି ଦୁଇ ଦଳ ବ୍ୟବହାର କରନ୍ତି । ଉପର ଘରର ବାଲ୍‍ଟି ଆଉ ଦଉଡ଼ି ରହିଥିଲା । ଦିନେ ବିଷୁନିଆ ଆସି କହିଲା–ଦଉଡ଼ି ଛିଣ୍ଡିଗଲାଣି ।

 

–କ’ଣ ? ଏଇ ବାବୁ ଥିଲାବେଳେ ଆସିଥିଲା । ଏତେ ଚଞ୍ଚଳ !

 

–କ’ଣ କରିବି ? ସେମାନେ ପ୍ରତିଦିନ ଘର ଧୁଅନ୍ତି । ଊଣାରେ ପଚାଶ ବାଲ୍‍ଟି ପାଣି ଉଠାନ୍ତି ।

 

–ସତେ ? ହଉ, ଛୋଟ କଥା । ଦଉଡ଼ିଟାଏ । ହେଲା ଏବେ ଦଉଡ଼ି ଆସୁ ।

 

ତା’ର ପାଞ୍ଚ ଦିନରେ ବିଷୁନିଆ ଫେରାଦ ହେଲା ବାଲ୍‍ଟି ଫୁଟିଗଲାଣି ।

 

–କ’ଣ ? ବର୍ଷେ ହୋଇନାହିଁ ବାଲ୍‍ଟି ଫୁଟିଗଲା ?

 

–କ’ଣ କରିବି ? ଯେତେ ମନାକଲେ ବି ସେମାନେ ତ ନିଜର ଜିନିଷ ପରି ବାଲ୍‍ଟିକୁ ଥୋଇବେ ନାହିଁ, ଧଡ଼୍‍ଧାଡ଼୍ କରିବେ । କୂଅ ପାଣିରେ ଟିକସ ନାହିଁ । ପାଇପ୍ ପାଣିରେ ଟିକସ ବୋଲି ସବୁବେଳେ ବାଲ୍‍ଟି କଚାଡ଼ୁଛନ୍ତି ।

 

–ହେବ ନାହିଁ । ତୁ ଯା । ବାବୁ ଥିଲାବେଳେ ଗୋଟାଏ ପ୍ରକାର ଥିଲୁ ।

 

–ମୋର ଦୋଷ ନାହିଁ । ତାଙ୍କ ବାଲ୍‍ଟିକୁ କାମରେ ନ ଲଗାଇ ସେଥିରେ ଜାଇ ରଖୁଛନ୍ତି-। ଆଉ ଏଣେ–

 

–ନ ଜଗିଲେ ହେବ ନାହିଁ । ଏମିତି ଗୋଟିଏ ଗୋଟିଏ କାମରୁ ସେମାନେ ସବୁ ଧ୍ଵଂସ କରିବେ ।

 

ବାଲ୍‍ଟି ଆସିଲା । ସେହି ବାଲ୍‍ଟି ବିଷୁନିଆ ହାତେ ହାତେ ରହେ । କୂଅରୁ ବାହାରିଲେ ସିଧା ଚାଲିଯାଏ ରୋଷେଇ ଘରକୁ । ବିଷୁନିଆକୁ ମାଗିଲେ ସେ ରୋକଠୋକ୍ ନାହିଁ କରିଦିଏ ।

 

ତଳ ମହଲାରେ ପ୍ରଥମ ଆଘାତ ଗୁଣୁ ଗୁଣୁ ହୋଇ ଘୂରି ବୁଲିଲା–ସଞ୍ଜ ସହରର ମଶାଙ୍କ ଆଘାତ ପରି । ବଡ଼ ଖରାପ ଲୋକ ସେମାନେ । ବାଲ୍‍ଟିଟା ପାଇଁ ଏତେ ହିଂସା !

 

ନିଜର ଭଣ୍ଡାରଘରୁ ବାଲ୍‍ଟିକୁ କାଢ଼ିଲାବେଳେ ତଳ ମହଲାର ସେଇ ଲକ୍ଷ୍ମୀ ଆଖିରେ ଲୁହ ଜକେଇ ଯାଇଥିଲା–ହେଲା ତେବେ ସେମାନେ ମଣିଷକୁ ମଣିଷପରି ଦେଖିପାରୁ ନାହାନ୍ତି ।

 

ତଳ ମହଲାର ନିର୍ଜନତା ଆଘାତ ଦେଲା ଉପର ମହଲାକୁ । ସେମାନେ ସ୍ନେହୀ ନୁହନ୍ତି-। ସେମାନେ ବିରୋଧୀ । ସେମାନଙ୍କର ରହିବା ନ ରହିବା ସମାନ ।

 

ତହିଁଆରଦିନ ପୁଅ ବାହାର ମାଷ୍ଟରଙ୍କ ପାଖରୁ ପଢ଼ି ଫେରିଲାବେଳେ ଦୁଆର ଫିଟିଲା ନାହିଁ । ଦୁଆର ଫିଟାଇଲାବେଳେ ପରସ୍ପରର ଅଧିକାର ନେଇ କଥା କଟାକଟି ହେଲା ।

 

ରାତି ଦଶଟାରେ କବାଟ ଖୋଲିଲେ ନିଦ ଭାଙ୍ଗୁଛି । କବାଟ ମେଲା ରଖିଲେ ଏଣେ ମନ ଦକ ଦକ ହେଉଛି । ନିଦ ଆସୁନାହିଁ । ବାବୁମାନେ ସିନା ଡେରିରେ ଶୋଇବେ, ଉଛୁରରେ ଉଠିବେ । ସମସ୍ତେ ତ ସେମିତି ନୁହନ୍ତି । ଡେରିରେ ଆସିଲେ ଚଳିବ ନାହିଁ ।

 

ତଳ ମହଲାର ଲୋକଙ୍କର ବେଳ ଜଗି ବିଛଣା ଧରିବା ବେଶି ମୂଲ୍ୟବାନ୍ କି ଉପର ମହଲାର ବାବୁଙ୍କର ମାଷ୍ଟର ପାଖରେ ବେଶି ରାତିଯାଏ ପାଠ ପଢ଼ିବା ଅଧିକ ମୂଲ୍ୟବାନ୍–ଏହି ବିଷୟରେ ଦୁଇ ଦଳଙ୍କ ଭିତରେ ଦ୍ଵନ୍ଦ୍ୱଟି ଅଛିଣ୍ଡା ରହିଗଲା ।

 

ସେମାନେ ଯଦି ଟିକକ କଥାରେ ଗୋଳମାଳ ଆରମ୍ଭ କଲେଣି ତେବେ ତାଙ୍କ ସାଙ୍ଗରେ କିଛି କାମ ନାହିଁ । –ଆରେ ବିଷୁନିଆ, ତୁ ଯେବେ ତାଙ୍କ ଘର ଧୋଇବାକୁ କେଉଁଦିନ ପାଣି ଯୋଗାଇଛୁ, ତେବେ ଦେଖିବୁ । ତୋ’ରିପାଇଁ ତୁ ତାଙ୍କର କାମ କରିଦେଲାରୁ ସେମାନେ ଉତ୍ପାତିଆ ହେଉଛନ୍ତି । ତାଙ୍କ ସାଙ୍ଗରେ ଆମର କିଛି ସମ୍ବନ୍ଧ ନାହିଁ ।

 

ବିଷୁନିଆ ଆଶ୍ୱସ୍ତି ଅନୁଭବ କଲା–କେମିତି ନାହିଁ କରିବ । ସେ ତ ତଳ ମହଲାରେ ଦିନଯାକ ଚଳପ୍ରଚଳ ହୁଏ । ରୋଷେଇ ଘରକୁ ରୋଷେଇ ଘର ଦିଶେ । ଏକୁଟିଆ ମଣିଷ । ଗୋଟିଏ କୁଟୁମ୍ବର କାମ ହାତେ ହାତେ ଉଠାଉଛି । କେମିତି ସେ ପୁରୁଷ ହୋଇ ବାବୁଙ୍କର ଚାକର ହୋଇ ତଳ ମହଲାର ବାବୁଆଣୀଙ୍କ ସାଙ୍ଗରେ ରୋଷାରେସି କରିବ ?

 

–ଖବରଦାର ବିଷୁନିଆ, ତୋ’ରି ପାଇଁ ଆଜି କଲେଜ ବେଳକୁ ରୋଷେଇ ସରିଲା ନାହିଁ-। ସେମାନେ ପୁଅର ପଢ଼ାରେ ବାଦ କରି ଏକଜୁଟ ହୋଇ ଲାଗିଛନ୍ତି ।

 

ବାବୁଘରର ହୁକୁମ୍ ମାନି ବିଷୁନିଆ ପାଣି ଦେବାକୁ ନାହିଁ କରିଦେଲା–ବାବୁ ସକାଳେ ବେଶି ପଢ଼ିବେ । ରାତିରେ ପଢ଼ାପାଇଁ ଡେରି ହେବାରୁ କନ୍ଦଳ ବାହାରୁଛି ।

 

ପରର ଚାକର ଉପରେ କାହାରି ହାତ ନାହିଁ । କଥାଟା ତ ଠିକ୍ । ନ୍ୟାୟରେ ସଜାଡ଼ି ହେବ ନାହିଁ । ତାଙ୍କୁ ତାଙ୍କରି ଦୋଷରେ କାଇଲି ନ କଲେ ଉପରବାଲା ବେଶି ବଢ଼ିଯିବେ ।

ମା’ ର ମନ ବହଲେଇବାପାଇଁ ଝିଅଟି ଭଜନ ବୋଲେ ସନ୍ଧ୍ୟାବେଳେ ।

ସେ ଦିନ ସନ୍ଧ୍ୟାରେ ତଳୁ ଖବର ଆସିଲା–ରାତିଯାକ ଏମିତି ଯଦି ଗାଆଣ ବାଜଣା ହେବ ତେବେ ତଳେ ଲୋକେ ଆଉ କ’ଣ ଟିକିଏ ବିଶ୍ରାମ କରିବେ ନାହିଁ ? ଆମ ଦେହ ଏମିତି ଭାଙ୍ଗି ପଡ଼ିବ । ନ ଶୋଇଲେ ଆମେ ଉପରବାଲାଙ୍କୁ ଦାୟୀ କରିବୁ ।

–ଏ କ’ଣ ଠିକ୍ ? ଭଜନ ଶୁଣିଲେ ନିଦ ହେଉନାହିଁ । ପୁଅ ଡେରିରେ ଫେରିଲେ ନିଦ ହେଉ ନାହିଁ । ସବୁ ଦୋଷ ତେବେ ଗୋଟିଏ ପକ୍ଷର–ଇସ୍ । କେଡ଼େ କଦର୍ଯ୍ୟ ଲୋକ ସେମାନେ ! କି ଦୁର୍ଯୋଗରେ ଏମାନଙ୍କୁ ଅଣା ହେଲା । ଏମାନେ ତ ରଖେଇ ଦେବେ ନାହିଁ !

ସେମାନଙ୍କର ଆପତ୍ତିକୁ ଖାତିର ନ କରି ସେଦିନ ଭଜନ ବୋଲା ହେଲା ତଣ୍ଟି ଥକି ପଡ଼ିବାଯାଏ ଆଉ ମନର ରାଗରେ, ଅପମାନର କ୍ରୋଧରେ, ପ୍ରତିହିଂସାର ନିଆଁରେ ତଳ ମହଲାରେ ସମସ୍ତେ ଚେଇଁ ରହିଲେ ।

–ବଡ଼ ଦୁର୍ଦ୍ଦାନ୍ତ ଲୋକଗୁଡ଼ାକ ସେମାନେ । ତାଙ୍କୁ ପାଠ ନ ଶିଖେଇଲେ ବୁଝିବେ ନାହିଁ । ଆମେ ଯେବେ ଅନିଦ୍ରା ହେବୁ, ତେବେ ପଙ୍ଖା ବୁଲୁ ।

ଘର ମାଲିକର ପଙ୍ଖା । ସେ ବାବୁଙ୍କର ମନ ରଖିବାକୁ ଗୋଟିଏ ପଙ୍ଖା ଛାଡ଼ିଯାଇଥିଲା ତଳର ବୈଠକଖାନା ଘରେ । ସେଇ ଘରଟି ଏବେ ତଳ ମହଲାର ଶୋଇବାଘର । ଘରମାଲିକର ପଙ୍ଖା ବୋଲି ଯଥାସ୍ଥାନରେ ରହିଛି । ପୁରୁଣା ପଙ୍ଖା ଚାଲିଲେ ବେଶି ବିଜୁଳି ଖାଏ । ସେଇ ଚାଲିଲା ଶବ୍ଦ କରି କରି ଥକି ପଡ଼ିଯାଏ ।

ଉପରେ ଗୀତ । ତଳେ ପଙ୍ଖା । ଉଭୟେ ଉଭୟଙ୍କ ବିରୁଦ୍ଧରେ ।

ସେ ମାସର ବିଜୁଳି ବିଲ୍‍ ଆସିଲାବେଳେ ପୁଣି ଥରେ ଘମାଘୋଟ୍ ହୋଇଥିଲା–କେଡ଼େ ଖରାପ ଲୋକ ! ବାଦରେ ପଙ୍ଖା ଚଲେଇ ବିଜୁଳି ଖର୍ଚ୍ଚ ଅଧାକୁ ଅଧା ହେବ ବୋଲି ତଣ୍ଡରେ ପକେଇଛନ୍ତି । ଗୋଟିଏ ମିଟର । ତେଣୁ ଏଇ ବଦଖରଚର ପ୍ରତିକାର ନାହିଁ । ଆଲୁଅ ଜାଳିଲେ ଆଲୁଅ କିଣିବାକୁ ହେବ । ପଙ୍ଖା ହେଉଛି ମାଲିକର । ତା’ର ଭଡ଼ା ଦେବେ ଉପରବାଲା ।

ଉପର ମହଲାରେ ହତାଶ ଚାହାଣୀରେ ସମସ୍ତେ ଚାହିଁରହନ୍ତି । ବିଷୁନିଆ ଆସି ଖବର ଦିଏ–ପଙ୍ଖା ବୁଲାଇଛନ୍ତି ଦିନରାତି ଚବିଶ ଘଣ୍ଟା । ପଚାରିଲେ କହୁଛନ୍ତି ତଳ ମହଲାରେ ବେଶି ଗରମ ବୋଲି ଘରବାଲା ତଳ ମହଲାରେ ପଙ୍ଖା ଦେଇଥିଲା । ନ ବୁଲିଲେ କିଏ କାହିଁକି ଭଡ଼ା ଦେବ ?

ଉପର ମହଲାରେ ଚଟାଣରେ କାନ ପାତି ପଙ୍ଖାର ଘର ଘର ଶବ୍ଦ ବାରମ୍ବାର ପରୀକ୍ଷା ହୁଏ । କେଡ଼େ ଜୋରରେ ବୁଲୁଛି । ବିଜୁଳି ତ ବଢ଼ିବ ।

ଓଠ କାମୁଡ଼ି ଉପର ମହଲାରେ ସ୍ଥିର ହେଲା ଖଣ୍ଡେ କୂଅ ଦଉଡ଼ି ପାଇଁ, ଗୋଟିଏ ବାଲ୍‍ଟି ପାଇଁ ଯେଉଁ ଅବିବେକୀ ଲୋକେ ବିନା କାରଣରେ ପଙ୍ଖା ବୁଲେଇ ବିଜୁଳି ଭଡ଼ା ଲଦିଦେଇ ପାରନ୍ତି, ତାଙ୍କୁ ଶାସନ କରିବାକୁ ହେଲେ ଉପରେ ବିଜୁଳି ଖର୍ଚ୍ଚ ବଢ଼େବାକୁ ହେବ ।

 

ଉପର ମହଲାରେ ଚବିଶ ଘଣ୍ଟା ରେଡ଼ିଓ ବାଜିଲା । ବହୁତ ରାତିଯାଏ ବେଶି ଶକ୍ତିର ବିଜୁଳି ଆଲୁଅ ଜଳିଲା । ଗରମ ପଛେ ହେଉ ତଳବାଲାଙ୍କୁ, ପାଠ ନ ଶିଖେଇଲେ ନ ଚଳେ । ତଳୁ ପ୍ରତିବାଦ ଆସେ ସମକକ୍ଷ ଦେଶମାନଙ୍କର ପରସ୍ପରର ଦୋଷ ଉପରେ ଦୃଢ଼ ପ୍ରତିବାଦ ଆସିଲାପରି–ଏତେ ଆଲୁଅ ଜଳୁଛି ଯେ ତଳ ମହଲା ରାତିରେ ଦିନପରି ଆଲୁଅ ହୋଇଗଲାଣି । ଏଡ଼େ ଗରମ ଆଲୁଅରେ ମଣିଷ କ’ଣ ଶାନ୍ତିରେ ରହନ୍ତି ?

 

ଉପରୁ ଜବାବ ଆସେ–ଏଠି ଭାରି ଥଣ୍ଡା ପବନ ହେଉଛି ବୋଲି ଟିକିଏ ଗରମ ଖୋଜୁଛନ୍ତି । ତଲମହଲାରେ ତ ଗରମ । ସବୁବେଳେ ଗରମ ବୋଲି ପଙ୍ଖା ଚାଲୁଛି ।

 

କଥା ବନ୍ଦ ହୋଇଯାଏ । ପରସ୍ପର ପ୍ରତି ଆକ୍ରୋଶ ବାଟ ନ ପାଇ ଉଭୟ ପକ୍ଷଙ୍କୁ ବିବ୍ରତ କରେ । ଦିହେଁ ଜାଣନ୍ତି ଯେ ଏଇ ଅପବ୍ୟବହାରର ବୋଝ ସମାନଭାବରେ ବାଣ୍ଟିହୋଇ ପଡ଼ିବ । ବିଜୁଳି କମ୍ପାନି ମିଟର ଲଗାଇବ ନାହିଁ । ଭଡ଼ା ନ ଦେଲେ ଆଲୁଅ କାଟିଦେବ । ହଉ ଯାହା ହେଉଛି ହେଉ । ଗୋଟାଏ ପାଖ ଥଣ୍ଡା ନ ପଡ଼ିବାଯାଏ ଚାଲୁ ।

 

ଉପରବାଲା ତଳକୁ ଚାହିଁଲେ ଓ ତଳବାଲା ଉପରକୁ ଚାହିଁଲେ ବୁଝିପାରନ୍ତି ଉଭୟେ ଉଭୟଙ୍କୁ ଶାସନ କରୁଛନ୍ତି । ଉପରେ ଗା’ଣ–ବାଜଣା, ବିଜୁଳି ଆଲୁଅ ଯେତିକି ବଢ଼ିଛି, ତଳେ ପାଇପ୍ ପାଣି ଆଉ ବିଜୁଳି ପଙ୍ଖା ସେତିକି ବଢ଼ିଛି ।

 

ତଳ ମହଲାରେ ପରିବାରଟି ହିସାବୀ । ଉପର ମହଲାରେ ପରିବାରଟି ଭଡ଼ାର ଆଘାତ କମେଇବାକୁ ଅଧେ ଭଡ଼ା ଦେଇଥିଲେ । ଖଣ୍ଡେ ଦଉଡ଼ି, ପଟେ ବାଲ୍‍ଟି ପାଇଁ ସେମାନେ ଏଇ କାମରେ ଲାଗିଥାନ୍ତି ।

 

–ଆରେ ବିଷୁନିଆ, ସେମାନେ ଏତେ ପାଣି ନେଉଛନ୍ତି । ଆଉ ତୁ କ’ଣ କରୁଛୁ ? ସେମାନେ ଯଦି ବେଶି ପାଣି ନଷ୍ଟ କରୁଛନ୍ତି, ତୁ ତେବେ କଳକୁ ଅଳପ ଖୋଲି ବେଶି ବେଳ ତୋର ବାଲ୍‍ଟି ଭରତି କରୁନୁ ?

 

କଳରେ ଚାବି ପଡ଼େ ନାହିଁ । କିନ୍ତୁ ବିଷୁନିଆର ନୂଆ ଦାୟିତ୍ଵ ଗୋଟିଏ ହେଲା କଳ ଖୋଲାଥିଲେ ବନ୍ଦ କରିବା ଆଉ ଯେତେ ଅଧିକ ସମୟ ସମ୍ଭବ କଳକୁ ଆବୋରି ଠିଆ ହେବା ।

 

–ଠିକ୍ ତ । ବଡ଼ କୌଶଳୀ ଲୋକଗୁଡ଼ାକ । ପାଣି ନେଲାବେଳେ ସିନା ଖରଚ କରିହେବ । ନ ନେଲାବେଳେ କଳକୁ ଜଗାରଖା କରୁଛନ୍ତି ।

 

ସେଇଠୁ ଆଖି ପଡ଼ିଲା ଲୁଗାଶୁଖା ଦଉଡ଼ି ଉପରେ । ତଳ ମହଲାରେ ଲୁଗାଶୁଖା ଦଉଡ଼ି ଅଧକରେ ତଳ ମହଲାର ଲୁଗା ଆର ଅଧକରେ ଉପର ମହଲା ଲୋକଙ୍କର ଲୁଗା ସୁଖା ହୁଏ । ସେଇ ଦଉଡ଼ିଟା ଆଣିଥିଲେ ତଳ ମହଲା ଲୋକେ ।

 

କୂଅ ଦଉଡ଼ି ଯେବେ ଜଣକର ବୋଲି ଆରଜଣକ ପାଇଲା ନାହିଁ ତେବେ ଲୁଗାଶୁଖା ଦଉଡ଼ି ଆର ଲୋକଟି କେମିତି ପାଇବ ?

 

ଦିନେ ଖରାବେଳେ ଉପରବାଲା ଦେଖିଲାବେଳକୁ ତାଙ୍କର ଲୁଗାସବୁ ତଳେ ପଡ଼ିଛି । ଲୁଗାଶୁଖା ଦଉଡ଼ିର ଆର ଅଧକରେ ତଳବାଲାଙ୍କର ଲୁଗା ଶୁଖୁଛି ।

 

–କିରେ ବିଷୁନିଆ, ଲୁଗାଗୁଡ଼ାକ କ’ଣ ଶୁଖାଇନୁ ?

 

–ଶୁଖେଇଥିଲି ତ, ତଳକୁ କେମିତି ଗଲା !

 

ବିଷୁନିଆ ଓହ୍ଲେଇଗଲା ତଳ ମହଲାକୁ । ଜାଣିଲା ଯେ ସେ ଦଉଡ଼ି ତାଙ୍କର ଓଦାଲୁଗାରେ ସଢ଼ିଯାଉଛି । ସେଥିରେ ସେ ଖାଲି ତାଙ୍କ ଲୁଗା ଶୁଖେଇବେ ।

 

–କ’ଣ ଏମିତି କହିଲେ ? ଭଲ କଥା । ଆଉ ସେଠି ଲୁଗା ଶୁଖାଅନା । ଜିଦ୍ କରୁଛନ୍ତି । କୂଅ ଦଉଡ଼ିପାଇଁ ରାଗିଛନ୍ତି ପରା ।

 

–ରାଗନ୍ତୁ । ଆମର ଆମେ ଉପରେ ଲୁଗା ଶୁଖାଇବା । ତାଙ୍କୁ ଦଉଡ଼ି ଦିଆଯିବ ନାହିଁ ।

 

ବିଷୁନିଆ ମନ ଇଚ୍ଛା କଳପାଣି ଖରଚ କରି ଲୁଗାରୁ ବାଲି ଛଡ଼େଇଲା । ତା’ପରେ ନେଇଆସିଲା ଉପରକୁ । ଯେ ଯାହା କଥା ବୁଝିବେ ।

 

ସେ ଦିନ ସନ୍ଧ୍ୟାରେ ଦୁଇଟି ମନ୍ତ୍ରଣା ସଭା ବସିଲା । କଥା ବଢ଼ିଯାଉଛି । ତଳବଲାଙ୍କର ଦାୟିତ୍ଵ ଜ୍ଞାନ ନାହିଁ । ଛୋଟଙ୍କ ସାଙ୍ଗରେ କାନ୍ଧ ପକାଇଲେ କିଛି ଭଲ ନୁହେଁ ।

 

ଶେଷକୁ ପୁଅ ଆସି ନରମ ହୋଇ କହିଲା–ବାପା ନାହାନ୍ତି ବୋଲି ଆମେ ସିନା ଖର୍ଚ୍ଚ ପାଇଁ ଘରର ଅଧା ଭଡ଼ାକୁ ଦେଲୁ । ଏବେ ପାଣି ଆଉ ବିଜୁଳି ଖର୍ଚ୍ଚ ତିନିଗୁଣା ହୋଇଗଲାଣି । ଭାରି ବାଧୁଛି ।

 

–ଆଉ କମେଇ ହେବ ନାହିଁ । ଯେତିକି ଆମର ଦରକାର ସେତିକି ଆମେ କରୁଛୁ । ତହିଁରୁ ଊଣା କଲେ ଅସୁବିଧା ହେବ । ତମେ ଜାଣ ତମ ଚାକର କାଠ ଚୋରି କରୁଛି ?

 

–ଚୋରି ? ଆମର କାଠ ଖର୍ଚ୍ଚ ସମାନ ଅଛି । ସେ ତ ଚୋରି କରେ ନାହିଁ ।

 

–ହଉ । ସେ ଯେବେ ଚୋରି କରି ଭୁରୁଡ଼ କରିବ, ତେବେ ଅସୁବିଧା ହେବ ।

 

ଉପରେ କଥା ହେଲା ଯେ ସେ ଲୋକଙ୍କୁ କିଛି କହି ଲାଭ ନାହିଁ । ଉପରବାଲା ତେଣିକି ବିଜୁଳିରେ ରାନ୍ଧିବେ । କାଠ ଆଉ ଆସିବ ନାହିଁ । ବିଜୁଳି ଖର୍ଚ୍ଚ ବଢ଼ିଲେ ସେମାନେ ପାଠ ଶିଖିବେ ।

 

ଉପରକୁ ରୋଷେଇ ଘର ଉଠିଗଲା । ବିଜୁଳି ଚୁଲିରେ କାମ ଚାଲେ । ଥରକୁଥର ଘର ଅନ୍ଧାର ହୁଏ । ବିଜୁଳି ଖର୍ଚ୍ଚ ବଢ଼େ । ଲାଗେ କଳି ।

 

ଘରବାଲା ପାଖରେ କଥା ପଡ଼େ । ସେ ବାବୁଙ୍କ ଲୋକଙ୍କୁ ଆକଟି କହିବାକୁ ସାହସ କରେ ନାହିଁ । ଯେତେହେଲେ ତାଙ୍କର ଖର୍ଚ୍ଚରେ ସେ କରୁଛନ୍ତି ।

 

ସେ ବୁଝିଲା ଯେ ବିନା କାରଣରେ ଖାଲି ଅପରକୁ ଖର୍ଚ୍ଚାନ୍ତ କରିବାକୁ ଏହି ଭଡ଼ାଟିଆ ଦି’ ଦଳ ଅପବ୍ୟବାହାର କରୁଛନ୍ତି । ଏମିତି ହେଲେ ସଅଳ ଉଛୁରରେ ଘର ଖାଲି ହୋଇଯିବ । ସୁବିଧାରେ ଭଡ଼ା ଲାଗିବ ।

 

ତଳବାଲା ଘରବାଲାକୁ ଭଡ଼ା ଦେଇଦେଲେ–ତାଙ୍କର ହିଁସା ପଚାଶ ଟଙ୍କା । ଉପରବାଲା ପ୍ରତିବାଦ କଲେ ଯେ ଏଇଟା ବେରୁଲ କାମ । ସେମାନେ ଯେତେବେଳେ ଚୁକ୍ତି କରି ଭଡ଼ା ନେଇଛନ୍ତି ସେତେବେଳେ ଭଡ଼ା ସେମାନେ ଦେବା କଥା ।

 

ଉଡ଼ାବାଳା ରାଜି ନୁହେଁ । ଚୁକ୍ତି ଭାଙ୍ଗି ସେମାନେ ଯେତେବେଳେ ଆଉଦଳେ ଲୋକ ଆଣି ରଖିଛନ୍ତି, ସେତେବେଳେ ସେ ସେମାନଙ୍କୁ ଅଲଗା ଉଡ଼ାଟିଆରୂପେ ଗ୍ରହଣ କରିବ ।

 

ତଳବାଲା ଖୁସି । ସେମାନଙ୍କ ଜିଦ୍ ରହିଲା । ସେମାନେ ଯେମିତି ଉପରବାଲା ବି ସେମିତି । ଅଧିକାର ସମାନ । ଉପରବାଲାଙ୍କର ବେଶି ସୁବିଧା ।

 

ତେଣିକ ଆରମ୍ଭ ହେଲା ନୂଆ ପ୍ରକାର କଳି–ଗାଈ ଯୋଗୁଁ ।

 

–ତମ ଗାଈ ଏଠି ଏତେ ମଶା କରୁଛି ଯେ ଆମେ ଆଉ ରହିପାରିଲୁ ନାହିଁ ।

 

–ତେବେ ଚାଲିଯାଅ ।

 

–ଯିବୁ କାହିଁକି ? ତମେ ଯେମିତି ଆମେ ସେମିତି । ଅଧାଭଡ଼ା ଯେତେବେଳେ ତମେ ଗାଈ ରଖିବାପାଇଁ ଆମର ଉଡ଼ାଟିଆ ହେବ । ନ ହେଲେ ଅନ୍ୟଠେଇଁ ଗାଈ ରଖ ।

 

–ଏ ତ ଗୋଟାଏ ନୂଆ ସମସ୍ୟା । ଯେଉଁ ଗାଈକୁ ଆଉଁସିଲେ ସେମାନଙ୍କୁ ସୁଖ ଲାଗୁଥିଲା, ସେଇ ଗାଈ ହେଲାଣି କଳିର ମଞ୍ଜି ।

 

ଉପରବାଲାଙ୍କୁ ବଡ଼ ବାଧିଲା । ମଣିଷକୁ ମଣିଷ ସାଙ୍ଗରେ ଚଳେଇ ନେଇହୁଏ ବୋଲି ଲୋକେ କହନ୍ତି । କାହିଁ କେହି ତ କାହାର ଖାଉ ନାହାନ୍ତି । କେହି ତ କାହାରିଠାରୁ ଧାରନ୍ତି ନାହିଁ । ତେବେ ବି ଏତେ ଅନର୍ଥ ।

 

–ଗାଈ କୁଆଡ଼େ ଯିବ । ଚାଲିଯିବ ! ଏଇ ବିଦେଶୀ ସହରରେ ଦବାପାଇଁ ଲୋକ ନାହାନ୍ତି । ନା ସେ ବିକ୍ରି ହେଉ । ଆଖିରୁ ଲୁହ ଗଡ଼ାଇ ପୋଷା ଗାଈଟି ଘରୁ ବାହାରକୁ କାଢ଼ିଦିଆ ହୋଇଥିଲା ।

 

ଏତକ ଘରବାଲାର ଦୟା । ତା’ର ଆଧିପତ୍ୟ ଦେଖାଇ ସେ ସେଇ ତଳ ମହଲାର ଲୋକଙ୍କୁ ସ୍ୱତନ୍ତ୍ର କରିଦେଇ ଉପରବାଲାଙ୍କ ଠାରୁ ତାଙ୍କର ଅଧିକାର ଭଦ୍ରାମି ଭିତରେ ସହଜରେ କାଢ଼ି ନେଇଥିଲା ।

 

ସବୁ ତ ଅଲଗା ହୋଇଗଲା । ପାଣି, ପବନ, ଆଲୁଅ ସମସ୍ତଙ୍କର ବୋଲି ବୋଧହୁଏ ପାଣିକଳ, କୂଅ, ବିଜୁଳିବତୀ, ବିଜୁଳିପଙ୍ଖା ଏକାଠି ରହିଗଲେ । ଆଉ ସମସ୍ୟା ନାହିଁ । ଉପରବାଲାଙ୍କ ଲୁଗା ତଳେ ଶୁଖେ ନାହିଁ । ତଳବାଲା ତାଙ୍କ ନିଜ ଦଉଡ଼ିରେ, ନିଜ ବାଲ୍‍ଟିରେ ପାଣି କାଢ଼ନ୍ତି । ଉପରବାଲା ଯଥାଶକ୍ତି ଭଜନ ବୋଲନ୍ତି । ତଳବାଲା ମନଇଚ୍ଛା ପଙ୍ଖା ଚଳାନ୍ତି । ଉପରେ ସେମିତି ସେମାନେ ବିଜୁଳିରେ ରାନ୍ଧିଲେଣି ।

 

ଚାଲୁ । କେତେ ବାଟଯାଏଁ ଯିବ–ଯାଉ । କିନ୍ତୁ ଦରକାର ହୁଏ ପୁଣି ଗୋଟାଏ କଳି ।

 

ତେଣିକି ଗୋଳମାଳ ହେଲା ବିଲେଇକୁ ନେଇ ।

 

–ବିଲେଇ ଦୁଧ ପିଇଯାଇଛି । କିଏ ଭରଣା କରିବ ?

 

–ଆମ ବିଲେଇ ତ ଖାଲି ଭାତ ଖାଇଲା ପରେ ଦୁଧ ଖାଏ । ଅନ୍ୟ ବେଳେ ଖାଏ ନାହିଁ-

 

–ବାବୁଘର ବିଲେଇ ନା ! ଖାଉ ନ ଥିବ ।

 

ବିଲେଇ ଧରାହୋଇ ଆସିଲା । ଦୁଧ ଗିନାରେ ରଖାହୋଇ ତା’ ଆଗରେ ଥୁଆହେଲା-। ସେ ଖାଇଲା ନାହିଁ ।

 

ଉପରବାଲାଙ୍କର ଜୟ ହେଲା । ସେମାନେ କହିଦେଇଗଲେ–ଦେଖ ଧର୍ମ୍ମ ଅଛି । ଏଇ ବିଲେଇ ଆଜି ତୁମକୁ କାଇଲି କରିଦେଲା ।

 

ତେଣିକି ସେଇ ବିଲେଇ ଉପରେ କଳି–ବିଲେଇ ମାଛ କଣ୍ଟାଆଣି ପକାଇଲା । ଆମେ ମାଛ ଖାଉନାହିଁ । ଆସ ଧୁଅ ।

 

ଉପରୁ ସମସ୍ତେ ଓହ୍ଲେଇ ଆସିଲେ । ତେବେ ବିଲେଇକୁ ସେମାନେ ତଡ଼ିବାକୁ ପାଞ୍ଚ କଲେଣି ।

 

କଣ୍ଟା କାହିଁ, ଖୋଜା ହେଲା । ଖୋଜି ଖୋଜି ମିଳିଲା ନାହିଁ । ସରୁ କଣ୍ଟା ପବନରେ ଉଡ଼ିଯାଇଥିବ । ବାଧ୍ୟରେ ଘର ଧୁଆହେଲା । କଳପାଣି ଆଉ କୂଅପାଣି ଅଜସ୍ର ଢଳାହୋଇ ଉପରବାଲାଙ୍କୁ ଜୋରିମାନା କରାଗଲା । ବିଲେଇଟା ବୁଝେ ନାହିଁ । ତଳ ଉପର ହୁଏ । ବାନ୍ଧି ରଖିଲେ ଛଟପଟ ହୁଏ । ଭଡ଼ାବାଲାଙ୍କ ଡରରେ ମାଛ ଦେଲାବେଳେ ବାନ୍ଧି ଖୁଆନ୍ତି ।

 

ତେବେ ବି କ’ଣ ମନ ବଦଳିବ ?

 

–ତମ ବିଲେଇ ଚାରିଆଡ଼େ ରୁମ ଝାଡ଼ୁଛି । ହେଇ ଦେଖ ତଳଯାକ ରୁମ । ଯକ୍ଷ୍ମା ହେଲେ କିଏ ଚିକିତ୍ସା କରିବ ?

 

–ଯକ୍ଷ୍ମା ହୁଏ ନାହିଁ ।

 

–ନିଜ ଘରେ ବିଲେଇକୁ ଜବତ କରି ରଖି ନ ପାରିଲେ ବିଲେଇକୁ ଛାଡ଼ । ନ ହେଲେ ଚାଲିଯାଅ ।

 

ଉପରୁ ପ୍ରତିବାଦ ଶୁଭେ ନାହିଁ । ଏଇ ପୋଷା ବିଲେଇ ସେମାନଙ୍କୁ ନିରୁତ୍ତର କରିଦିଏ ।

 

ଦିନେ ବିଲେଇଟି ଛୋଟେଇ ଛୋଟେଇ ଆକୁଳ ହୋଇ ଉଠିଆସିଲା ଉପରକୁ । ତା’ର ଗୋଡ଼ ଜଖମ ହୋଇଯାଇଛି ।

 

ଶେଷକୁ ଏତକ ବି । ବିଲେଇକୁ ଆଉଁସି ଦେଖିଲାବେଳେ ସେହି ଛୋଟିଆ ପରିବାରଟିର ଆଖିଗୁଡ଼ିକ ନିଜର ଅସହାୟତା କଥା ଭାବି ସଜତ ହୋଇଉଠିଥିଲା ।

 

ଏଇମାନେ ମଣିଷ । ଏଇମାନଙ୍କୁ ନେଇ ଏକାଠି ରହିହୁଏ ବୋଲି ଲୋକେ କହନ୍ତି ।

 

ତହିଁଆରଦିନ ସନ୍ଧ୍ୟାରେ ପୁଅଟି କଲେଜ ବୋଡ଼ିଂକୁ ବସା ବଦଳେଇଲା । ଆଉ ସେଇ ପ୍ରବାସୀ ପରିବାରଟି ଷ୍ଟେସନପାଇଁ ଟିକଟ କାଟିଥିଲେ ।

 

ଗଲାବେଳେ ଘରବାଲାକୁ ଭଡ଼ା ଛିଣ୍ଡେଇ ଦେଇ ଘରଟି ବୁଝାଇ ଦେଇ କହିଥିଲେ–ଆମେ ଫେରିଯାଉଛୁ ନିଜ ଗାଁକୁ ।

☆☆☆

 

କାଦୁଅ

 

ଉଛୁଳା ଯୌବନ ପାର ହୋଇ ଯାଇଛି । ସେତେବେଳେ ଉଚ୍ଛ୍ୱାସଭରା ଜୀବନ କଟାଇବା ଭାରି ଭଲ ଲାଗୁଥିଲା । ପୁଅ ଜନ୍ମ ହେବା ପରେ ସେଥିରେ ଗୋଟିଏ ସୀମାରେଖା ପ୍ରଥମେ ଦେଖା ଦେଲା । ବୟସର ନିଶାଣ ପରି ଦେଖିହୁଏ କିନ୍ତୁ ଭୟ ହୁଏ ନାହିଁ–ଠିକ୍ ଯେମିତି ପାଚିଲା ବାଳ ।

 

ସେହି ବାପ ପୁଅର ସମ୍ବନ୍ଧ ଭିତରେ ପ୍ରଥମ କରି ଶ୍ରୀନାଥ ବାବୁଙ୍କ ଜୀବନରେ ଭବିଷ୍ୟତର କଳ୍ପନା ଆସିଥିଲା–ପୁଅଟି କ’ଣ କରିବ । ଅଲିଅଳ ଭାବ ଦେଖାଇ ସ୍ତ୍ରୀ ଫରମାସ କରିଥିଲେ ପୁଅପାଇଁ ଅନେକ ପ୍ରକାରର ଜୀବନ । ପ୍ରତ୍ୟେକ ପ୍ରକାରର କାମନା, ଯୋଜନା ଓ ଆଶୀର୍ବାଦରେ ଷୋଳ କଳା ପରିପୂର୍ଣ୍ଣ ଉନ୍ନତିଶୀଳ ଜୀବନ ପୁଅପାଇଁ ସ୍ଵାମୀ ସ୍ତ୍ରୀ ଦୁହେଁ ମନାସିଥିଲେ ।

 

ଆଉ ପିଲା ହୋଇନାହାନ୍ତି । ତେଣୁ ଅସମ୍ପୂର୍ଣ୍ଣ ଜୀବନର ସମସ୍ତ କାମନା ଓ ଅଭିଳାଷ ସେହି ପୁଅଟିଠାରେ ରୂପ ପାଇଥିଲା ।

 

ସେ ତ ବହୁତ ଦିନ ତଳର କଥା । ଚାହୁଁ ଚାହୁଁ ସବୁଯାକ ଦିନ ଗଡ଼ିଯାଇଛି ଖାଲି ବଳିପଡ଼ିଛି ପୁଅଟି । ପୁଅ କଲେଜ ପାଠ ଶେଷ କରିଛି । ଖେଳ, ବୁଲ, ମଉଜ ମଜଲିସ୍ ମନ ଇଚ୍ଛା କରିଛି । ବାପାଙ୍କର ମାନମର୍ଯ୍ୟାଦା, ଧନସମ୍ପତ୍ତି ତା’ର ପାରୁପର୍ଯ୍ୟନ୍ତ ବ୍ୟବହାର କରିଛି । ସେ କ’ଣ କରିବ ସେତିକି ହେଉଛି ସମସ୍ୟା ।

 

ଆଉ ତ ବାପାଙ୍କର ଯୌବନର ତରଳତା ନାହିଁ । ତେଣୁ ଦୃଷ୍ଟିଶକ୍ତି ହଲଚଲ ହୁଏ ନାହିଁ । ତାଙ୍କର ସେହି କୌତୁକିଆ ପିଲାଟିକୁ ସମସ୍ତେ ଗେହ୍ଲା କରିପାରିଲେ ନାହିଁ । ଶ୍ରୀନାଥ ବାବୁଙ୍କର ମନ ପିତା ହୋଇଯାଏ । ବ୍ୟବସାୟରେ ଓକିଲ । କେତେ ଲୋକ ତାଙ୍କୁ ଯେମିତି ଦେବତା ପରି ପୂଜା କରନ୍ତି, ପୁଣି ସେମିତି ବି ସୟତାନ ବୋଲି ଘୃଣା କରନ୍ତି ।

 

ପିଲାମାନେ ଶ୍ରୀନାଥ ବାବୁଙ୍କର ସେହି ରୂପର ଦୋଷଗୁଣ ବୁଝନ୍ତି ନାହିଁ । ସେମାନେ ଜାଣନ୍ତି ଖାଲି ତାଙ୍କର ପଇସା ଅର୍ଜିବାରେ କେତେଦୂର ସଫଳତା । ସେତିକି ପଡ଼େ ତାଙ୍କର ଆଖି ଆଗରେ । ଆଉ ସେ ବି ଥୁଅନ୍ତି ସେତିକି ନେଇ ସେମାନଙ୍କ ଦୃଷ୍ଟି ଆଗରେ ।

 

ପୁଅ ଭାବେ ଯେ ତାଙ୍କର ବାପା ଖୁବ୍ ବଡ଼ ଲୋକ ଆଉ ଖୁବ୍ ଯୋଗ୍ୟ ଲୋକ । ତାଙ୍କ ପାଇଁ ଅପେକ୍ଷା କରୁଥିବା ଲୋକଙ୍କୁ ବସି ରହିଥିବାର ଦେଖିଲେ ତା’ର ଛାତି ଫୁଲିଉଠେ–ଏତେ ଲୋକ ବାପାଙ୍କ ଉପରେ ଭରସା କରି ରହିଛନ୍ତି ।

 

ପାଖ ଘରୁ ସେ ଶୁଣେ ସେମାନେ ବାପାଙ୍କୁ କେମିତି ମୁହଁଛଡ଼ା ପ୍ରଶଂସା କରୁଥାନ୍ତି । ବାପା ନ ହେଲେ ତାଙ୍କର କାମ ଅଚଳ । ବାପା ତାଙ୍କୁ କେଡେ଼ କେଡ଼େ ବିପଦରୁ ଉଦ୍ଧାର କରି ଆଣିଛନ୍ତି । ବାପାଙ୍କର ଅନୁରୋଧ ତାଙ୍କ ପାଖରେ ଆଦେଶପରି । ବାପାଙ୍କୁ ଖୁସି କରିବାକୁ କେତେ ଭେଟି ନ ଆସେ । ଏଇଟା ତ ସବୁଠାରୁ ସରସ ଜୀବନ । ସ୍ୱାଧୀନତା, ଯଥେଚ୍ଛାଚାରିତା ଆଉ ଧନ ସବୁ ଏକାଠି ଅଛି । ଏଡ଼େ ସୁନ୍ଦର ବ୍ୟବସାୟ ଛାଡ଼ି କିଏ କାହିଁକି ଆଉ କିଛି କରିବ ? ପୁଅଟି ବଡ଼ ନିଃଶଙ୍କ ହୋଇଥାଏ–ତା’ର ଆଖି ଆଗରେ ଗୋଟିଏ ଆଦର୍ଶ ଓ ଉଦାହରଣ ହେଉଛନ୍ତି ବାପା ଆଉ ତାଙ୍କର ଜୀବିକା ।

 

ବାପାମା’ ପରସ୍ପର ବିଚାର କରନ୍ତି ଯେ ପୁଅକୁ ସେମାନେ ସରକାରୀ ଚାକିରିରେ ଦେବେ । ସବୁ ଚେଷ୍ଟା ଥାଏ ସେହି ଗୋଟିଏ ମାର୍ଗରେ ।

 

ପୁଅ ମନକୁ ପାଏନାହିଁ । ଚାକିରି କ’ଣ କରିବ ?

 

–କିରେ ପରୀକ୍ଷା ଦେବାପାଇଁ ପଢ଼ାପଢ଼ି କରୁଛୁ ?

 

ଇଂରେଜି ଗୋଇନ୍ଦା ଗଳ୍ପ ବହିରୁ ମନ ଉଠାଇ ପୁଅ ବାପାଙ୍କ ଆଖିକୁ ଚାହିଁରହେ । ସେ ପଢ଼ା ତା’ର ଓକିଲାତିରେ କି କାମରେ ଲାଗିବ ? ବାପାଙ୍କୁ କହେ–ମୁଁ ପରୀକ୍ଷା ଦେବି ନାହିଁ ।

 

–ଦେଇ ଦେ । ନ ହେବ ବୋଲି କାହିଁକି ଭାବୁଛୁ ?

 

–ବର୍ଷଯାକ ଖଟି ବର୍ଷକୁ ଦଶ ପନ୍ଦର ଟଙ୍କା ଦରମା ବଢ଼ିବ । ବୁଦ୍ଧିର ମାପ ସରକାର ଘରେ ନାହିଁ ।

 

–ଚାକିରିର ଉନ୍ନତି ଅନ୍ୟ କୈଣସିଥିରେ ନାହିଁ । ସେଠି ଜଞ୍ଜାଳ କମ୍ ।

 

–କମ୍ ? ୟେ ଏକଦମ୍ ଭୁଲ୍ । ଯୋଉଠି ଦରମା ଯେତେ କମ୍, ସେଠି ଜଞ୍ଜାଳ ସେତେ ବେଶି । ଆଉ ସମସ୍ତେ ଚାହାନ୍ତି, ତଳୁଆ ଲୋକେ କାମ କରନ୍ତୁ । ତେବେ ଉପର ଲୋକେ ଟଙ୍କା ନେବେ ବେଶି ବେଶି ।

 

–ତୁ କ’ଣ ବଡ଼ ହୋଇଯିବୁ ନାହିଁ ?

 

–ସ୍ଵାଧୀନ ହୋଇ ବଡ଼ ହୋଇପାରିବି ନାହିଁ ତ । ସରକାରୀ ଚାକିରି ଗୋଟାଏ ଗତରେ ବନ୍ଧା । ସେଠି ଜ୍ଞାନ ଓ ବୁଦ୍ଧିର ଅଲଗା ମୂଲ ହୁଏ ନାହିଁ । ସ୍ଵାଧୀନ ହୋଇଥିଲେ ଅବଶ୍ୟ ଉପଯୁକ୍ତ ମୂଲ୍ୟ ମିଳିବ ।

 

–ଆରେ ପୁଅ, ବୁଝିନାହୁଁ କିଛି । ସ୍ଵାଧୀନ ବ୍ୟବସାୟ ଭାରି ପରାଧୀନ । ଆଉ ପରାଧୀନ ଜୀବିକା ବହୁତ ବେଶି ସ୍ଵାଧୀନ । ଯେତେ ଟଙ୍କା ବେଶି ମିଳେ ସେତିକି ଇଜ୍ଜତ ତଳକୁ ଯାଏ । ଚାକିରିରେ ଯାହା ବ୍ୟବସାୟରେ ବି ସେୟା ।

 

–ତେବେ ସ୍ଵାଧୀନ ହୋଇ ସେତିକି ନ ପାଇବି କାହିଁକି ?

 

–ସ୍ଵାଧୀନ ହେବା ସହଜ କଥା ନୁହେଁ । ସ୍ଵାଧୀନତା କଥା ଶୁଣିବାକୁ ଓ ଭାବିବାକୁ ଭାରି ସୁଆଦିଆ । ସ୍ଵାଧୀନ ମୁକ୍ତ ଜୀବନରେ ଦୁଃଖ ଅଭାବ ଖୁବ୍ ବେଶି ।

 

–ମୋର ମତ ୟାର ଓଲଟା ।

 

–ତୋ ସାଙ୍ଗରେ ମତ ପରୀକ୍ଷା କରିବାକୁ ଆସି ନ ଥିଲି । ଗୋଟିଏ ବୋଲି ପୁଅ । ଗେହ୍ଲା ହୋଇଥିଲୁ । ଜୀବନରେ ଦୁଃଖ ପାଇବୁ ଜାଣିଲେ ଭାରି ବାଧିବ । ପାଇବୁ ତ, ସେଇଥିପାଇଁ କହୁଥିଲି । ଓକିଲାତି କଥା ଛାଡ଼ ।

 

–ନା । ମୁଁ ବହୁତ ଭାବିଛି ଯେ ଚାକିରି କରି ଶାନ୍ତି ପାଇବି ନାହିଁ । ତେବେ ସମସ୍ତଙ୍କୁ ବୁଝାଇବାକୁ ଚାକିରିଟା ପାଇ ଛାଡ଼ିଦେବି । ତେବେ ନ ପାଇବାର କଳଙ୍କ ଚାଲିଯିବ । ଆଉ ମୁଁ ସ୍ଵାଧୀନ ବ୍ୟବସାୟରେ ରହିବି ।

 

ମୁହଁରେ ନୈରାଶ୍ୟ ଓ ବିରକ୍ତି ଦେଖାଇ ବାପା ଚାଲିଗଲେ । ପୁଅଟିର ମୁହଁ ଶୁଖିଗଲା । ତା’ର ଇଚ୍ଛା ବାପାଙ୍କ ମନକୁ ପାଉନାହିଁ ।

 

–ବୁଝିଲ ମା’, ବାପା ମତେ ଏଠୁ ତଡ଼ିଦେବାକୁ ଚାହୁଛନ୍ତି ।

 

Unknown

–ପାଗେଲା କିରେ ! ଆମର ଆଉ କିଏ ଅଛି କହିଲୁ ?

 

–କେଜାଣି ? ବାପା ମତେ ବାରମ୍ଵାର ବିରକ୍ତ କରୁଛନ୍ତି ଚାକିରି କରିବାକୁ । ଏ ଘରଦୁଆର ଭଡ଼ା ଲାଗିବ । ଆଉ ମୁଁ ତ ଚାକିରି କରୁଥିବି ।

 

–ଆମେ ମଲାବେଳକୁ ଦୁଃଖ ବାଧିକିରେ ପଡ଼ିଲାବେଳକୁ ଆମ ପାଖରେ ତୁ ରହିବୁ ନାହିଁ ? ମା’ର ସ୍ଵର ଛଳ ଛଳ ହୋଇଆସିଲା ।

 

–କେମିତି ରହିବି ? ବାପା ତ ଡରୁଛନ୍ତି । ସେ ତ ମତେ ନିଶ୍ଚୟ ନେଇ ଚାକିରିରେ ଲଗାଇ ଦେବେ । ମୁଁ କହୁଥିଲି ଓକିଲାତି କରିବି । ବାପାଙ୍କର ଜିଗର–ନା ।

 

–ବାପା କହୁଥିଲେ ଚାକିରିରେ ଏତେ ଦଡ଼ମଡ଼ ନାହିଁ । ଥରେ କୁଳ ଲାଗିଗଲେ ଆପଣାଛାଏଁ ବଢ଼ୁଥିବ । ଏ ବ୍ୟବସାୟ ହେଲା ପୋଖରୀର ଭସା ଦଳପରି । ସେଥିରେ କିଛି ନାହିଁ-

 

–ତେବେ ଏତେ ଲୋକ କାହିଁକି ସେହି ବ୍ୟବସାୟରେ ଅଛନ୍ତି ? ବାପା ତ ସେଇଥିରେ ଏତେବଡ଼ ହୋଇଛନ୍ତି । ତାଙ୍କ ପାଖରୁ ନେଇ କେତେ ଲୋକ ଚଳିଲେଣି ଭଲରେ । ଆଉ ମୁଁ ଯିବି ସରକାରୀ ଚାକର ହେବାକୁ ! ହଉ ଯିବି ।

 

–ତୁ କ’ଣ ପାରିବୁ ଏତେ ଛନ୍ଦ କପଟ ? ମିଛ ସତ କରିପାରିବୁ ? ବାପା ସିନା ପିଲାବେଳୁ ଦୁଃଖ ସହିଥିଲେ ଯେ ନଇଁପଡ଼ି କରିଗଲେ । ତୁ କ’ଣ ପାରିବୁ ?

 

–ପାରିବି ନାହିଁ କାହିଁକି ? ଅସୁବିଧାରେ ଥାଇଁ ବାପା ଯଦି ସବୁ ସୁବିଧା କରିପାରିଲେ, ମୁଁ ତ ସୁବିଧା ପାଇଲେ ତହିଁରୁ ଅଧିକ କରିପାରିବି । ବାପା ବୁଝିପାରୁ ନାହାନ୍ତି ।

 

ମା’ ପୁଅ ମୁହଁକୁ ଚାହିଁ ରହିଲେ–ପିଲାଟାର ସରାଗ ଭାଙ୍ଗି ଲାଭ କ’ଣ ? ସେ ତ କହୁଛି କରିପାରିବ । ବାପା ଭାବୁଛନ୍ତି ପାରିବ ନାହିଁ । ସେହି ମଣିଷ ତ–ତାଙ୍କରି ପୁଅ ତ ।

 

–ବୁଝିଛ ନା ? ଆମ ବାବୁ ଓକିଲାତି କରିବେ ।

 

–ଖରାପ କ’ଣ ?

 

–ଖରାପ ନୁହେଁ ଆଉ ଭଲ–ତମେ ବା ଜାଣୁଥିବ । ଯାହା ଟିକିଏ ହେଇଥିଲା, ସେତକ ଚାଲିଯିବ ।

 

–କାହିଁକି ? ଅସୁବିଧାରେ ଥିଲ ବୋଲି ତମେ ଉଠିପାରିଲ ନାହିଁ । ସେ ତ ସବୁ ସୁବିଧା ପାଇବ । ଉଠିବ ନାହିଁ କାହିଁକି ?

 

–ଅସୁବିଧା ସଂସାରର ଖତ ପରି । ଧକ୍‍କା ମିଳିଲେ ମଣିଷ ଉପରକୁ ଉଠେ । ଛାଇ ତଳେ ବସି ସର ଲହୁଣି ଖାଇ ଦେହ କେବେ ଟାଣ ହୁଏ ନାହିଁ । ଯେତିକି ଯାହା ଅଛି, ସେତକର ଆଶ୍ରା ଥିବାଯାଏ ପୁଅ ତାକୁ ବସି ଖାଇବ । ତା’ ପର– । ତା’ ପରେ–ଆମେ ତ ନ ଥିବା I

 

–ସେ କ’ଣ ସେତେବେଳକୁ ପାରି ନ ଥିବ ?

 

–ବଡ଼ ଲୋକ ପିଲା ଜୀବନରେ କେବେ ପାରି ଉଠନ୍ତି ନାହିଁ । ସେମାନେ ସେମିତି ରହିଲେ ରହିଯା’ନ୍ତି । ନ ହେଲେ ତଳକୁ ତଳ ଖସି ବଳ ବୟସ ସରିଲା ବେଳକୁ ହୁଅନ୍ତି କାଙ୍ଗାଳ ।

 

–ପିଲାଟା ଉପରେ କେଡ଼େ ଖରାପ କଥା କ’ଣ କହୁଛ ?

 

–ଖରାପ ନୁହେଁ । ପିଲା ଲୋକ । ବୁଝିପାରୁ ନାହିଁ କେମିତି ଜାଲ, ଠକେଇ, ମିଛ, ଫିସାଦି କରି ବାପା ଘରକୁ ଟଙ୍କା ଆଣୁଛି । ପୁଅ ବୁଝିଲା କେତେବେଳେ ? ଦେହଝାଳବୁହା ମେହନତରେ ଯେଉଁ ରସଗୋଲା ମିଳେ, ମାଗିଲେ ବି ସେହି ରସଗୋଲା ମିଳେ । ପୁଅ ତ ଖାଲି ଖାଇଛି–ଆଣିବା ବାଟ ପାଇ ନାହିଁ ।

 

–ଚାକିରି କଲେ କ’ ଣ ହେବ ?

 

–ନିଜ ଅର୍ଜନ ନିଜ ପାଇଁ ଖର୍ଚ୍ଚ କରିପାରିବ । ପେଟରୁ କାଟି ସଞ୍ଚିବା ଦରକାର ପଡ଼ିବ ନାହିଁ । ଯେତିକି ଯାହା ଅଛି ସେତିକି ତା’ ପିଲାପିଲିଙ୍କ ପାଇଁ ବହୁତ ହୋଇଯିବ ।

 

–ଆଉ ସେ କାହିଁକି ଜିଗର ଲଗେଇଛି କଚିରିଆ ହେବ ବୋଲି ?

 

–ବୁଝି ନାହିଁ । ମଣିଷ ସବୁବେଳେ ଭାରି ଅଳସୁଆ । ଯେଉଁ କାମରୁ ସହଜରେ ଟଙ୍କା ବାହାରିବା ଦେଖିଛି, ସେ କାମକୁ ଛାଡ଼ି ସେ ଆଉ କେଉଁଥିରେ ମନ ଲଗାଇ ପାରିବ ନାହିଁ । ସେଇଥିପାଇଁ ଧୋବାଘର ପୁଅ ଲୁଗା କାଚୁଛି, ବାରିକ ପୁଅ ବାଳ କାଟୁଛି ଆଉ ପୁଝାରି ପୁଅ ଭାତ ରାନ୍ଧୁଛି ।

 

–ନାହିଁ ମା’, ମତେ ଜୋର ଜବରଦସ୍ତି କଲେ ମୋ ଜୀବନ ନଷ୍ଟ ହୋଇଯିବ । ଆମର ସାଥିପିଲା ଗତ ବର୍ଷରୁ ଯୋଉ ଚାକିରି ପାଇଗଲେଣି, ମୁଁ ଏ ବର୍ଷ ସେହି ଚାକିରି କରି ତାଙ୍କରି ପଛେ ପଛେ ରହିବି । କେବେ ହେବ ନାହିଁ ।

 

–ବାପା କହୁଛନ୍ତି ଯେ ଏଥିରେ ବହୁତ ମିଛ ସତ କରିବାକୁ ପଡ଼େ । ତୁ କରିପାରିବୁ ନାହିଁ ।

 

–ମୁଁ ସେମିତି କାହିଁକି କରିବି ? ସବୁ ବ୍ୟବସାୟରେ ଭଲ ଉପାୟ ଆଉ ଖରାପ ଉପାୟ ଦୁଇଟାଯାକ ଅଛି । ଯେଉଁମାନେ ପାରନ୍ତି ନାହିଁ ଭଲ ବାଟକୁ, ସେହିମାନେ ଯାଇ ମିଛ, ସତ, ଠକାମି, ଭଣ୍ଡାମି ଆଦି କରି କୁହନ୍ତି ଯେ ବ୍ୟବସାୟ ଖରାପ । ସତ୍ ବାଟରେ ପରିଶ୍ରମ କଲେ ସେହି ବ୍ୟବସାୟରେ ବହୁତ ଉନ୍ନତି ହେବ । ସେ ଉନ୍ନତି ଆଗରେ ଚାକିରି କିଛି ନୁହେଁ ।

 

–ଯେବେ ନ ହେଲା ?

 

–ନ ହେବ କାହିଁକି ? ମଣିଷ ସବୁବେଳେ ଅସାଧ୍ୟ ସାଧନ କରେ । ଭଲ ବାଟରେ ରହି ଲୋକେ ଠାକୁରଙ୍କୁ ପାଇଛନ୍ତି । ପାହାଡ଼ ଭାଙ୍ଗିଛନ୍ତି । ଏ ଗୋଟାଏ ସାମାନ୍ୟ ପେଟ ପୋଷିବା ବ୍ୟବସାୟ ।

 

–ବାପା କହୁଛନ୍ତି ଯେ ନାନାପ୍ରକାରର ସୁବିଧା ନେଇ ସେହି ବ୍ୟବସାୟ ଆରମ୍ଭ କଲେ ଦିନକୁ ଦିନ ମୂଳରୁ ଖାଇବ ।

 

–ହଉ ତେବେ ବାପାଙ୍କର ସୁବିଧା ଛାଡ଼ିଦେଇ ମୁଁ ମନକୁ ମନ କରି ଦେଖେଇ ଦେବି ଯେ ଭଲ ବାଟରେ କେମିତି ବଡ଼ ହେଇହୁଏ ।

 

ଅଫିସ ଘରେ ସାକ୍ଷୀ ତାଲିମ ହେଉଥାଏ–ଏମିତି କହିବ । ଖାଲି ସତ କଥା କହିଲେ ମକଦ୍ଦମା ହେବ ନାହିଁ । ମିଛ ନ କହିବ ତ ସାକ୍ଷୀ କାହିଁକି ହେଲ ? ହାକିମଙ୍କୁ ଜାଣ ? ସେମାନଙ୍କର ସବୁ କଥାରେ ସନ୍ଦେହ । ପୁଳାଏ ମିଛ କହିଥିଲେ, ସେଥିରୁ ସେ ରୁଆଏ ସତ ବୋଲି ଧରିବେ । ଖାଲି ସତ କହିଲେ ସେମାନେ ତମ କଥାକୁ ଡାହା ମିଛ ବୋଲି ଫୋପାଡ଼ି ଦେବେ ।

 

–ହେଇ ମା’ ଶୁଣ । ବାପା କେମିତି ଭୁଲ କରୁଛନ୍ତି । ଇସ୍ ! ଲୋକଗୁଡ଼ାଙ୍କୁ କୁଶିକ୍ଷା ଦେଇ କେତେ କ୍ଷତି ନ କରୁଛନ୍ତି ! ସେଥିପାଇଁ ତାଙ୍କର ଡର ।

–କାହିଁକି ନ କହିବୁରେ ପୁଅ ! ଏମିତି ଶୁଣି ଶୁଣି କାନ ବଧିରା ହେଲାଣି । ସେ କହନ୍ତି–ବଥକୁ କାଟିଲେ ପୂଜ ବାହାରିବ ନାହିଁ–ଏମିତିକା କଟାକଟି ସୃଷ୍ଟିରେ ନାହିଁ । ମଣିଷ ମଣିଷର ଲଢ଼େଇ । ଲଢ଼େଇରେ ମିଛ, ଗାଲୁ, ଫିସାଦି, ତାକତର୍କ ସବୁ ଚଳେ । କଚେରିରେ ଏତେ ଧର୍ମ କୁଆଡ଼ୁ ଆସିବ ? ମଠ ମହନ୍ତମାନେ ତ ମକଦ୍ଦମା କଲେ । ମିଛ ନ କହି ବାଟ ନାହିଁ ।

–ଇସ୍ ! ଏମିତି ଲୋକେ ଏଇ ବ୍ୟବସାୟ ନଷ୍ଟ କରି ଦେଇଛନ୍ତି ।

–ଆରେ ପୁଅ ବୁଝିନାହୁଁ ? ବଡ଼ ଲୋକେ ଯାହା କରିଯାଇଛନ୍ତି, ସେହି ହେଉଛି ବାଟ । ତୁ କହୁଛୁ ଅଭିଲା କଥାଟାଏ କରିବୁ–ମଣିଷଙ୍କୁ ବଦଳାଇ ଦେବୁ ।

–କରି ଦେଖେ ! ନ ହେଲେ ଛାଡ଼ିଦେବି ।

–ମନ କଥା ଲୁଚେଇ କଥା କହିପାରିବୁ ? ପରର ମନ ନେଇ କାମ କରିପାରିବୁ ?

–ସେ ସବୁ କଥା ତମେ ବୁଝିପାରିବ ନାହିଁ ।

ଭାତ ଖାଇସାରିଲେ ସମସ୍ତେ ଉପବାସର ମାହାତ୍ମ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ବକ୍ତୃତା ଦେଇପାରନ୍ତି । ଜହ୍ନ ଆଲୁଅ ବିଞ୍ଚି ହୋଇପଡ଼ିଥିବାବେଳେ ସମସ୍ତେ ତା’ର ତିନିଟା ଦୋଷ କାଢ଼ିପାରନ୍ତି ।

 

ବାପା ସେହି ଛନ୍ଦକପଟ ଭିତରେ ବାଣୁଆ ବ୍ୟାଧପରି ଅବା ଗାଁ ମାମଲତକାରଙ୍କ ପରି ଯେତେବେଳେ ଆଣି ଭଲ ଭଲ ଜିନିଷ ଘରେ ଖୋଇଥିଲେ, ସେତେବେଳେ ସେଗୁଡ଼ିକର ମୂଳପିଣ୍ଡ ଭଲ ଆଲୋଚନା କରିହୁଏ ।

 

ନିଜର ତରୁଣସୁଲଭ ଉତ୍ସାହରେ ବାଧା ପଡ଼ିଛି । ସ୍ଵାଧୀନ ମୁକ୍ତ ଓ ନିର୍ଭୀକ ଜୀବନ କଟାଇବାରେ ଅନ୍ତରାୟ ହେଉଛି । ଏ ହେଉଛି ସୃଷ୍ଟିର କ୍ରୂରତା ।

 

ପୁଅ ବାହାରକୁ ଚାଲିଲେ । ଅଡ଼ୁଆ ତଡ଼ୁଆ ଚିନ୍ତାରେ ମୁଣ୍ଡ ଖୋଲା ଆକାଶର ଆଲୁଅ ପବନ ଖୋଜୁଛି–କଠିଣ ଚିନ୍ତା କରିବାକୁ ବହୁତ ନିର୍ମଳ ବାୟୁ ଆବଶ୍ୟକ ହେଲା ପରି ।

 

ପରାମର୍ଶ କରିବାକୁ ନିଜ ପରି ଆକାଶ କୟାଁ ଖୋଜୁଥିବା ସାଙ୍ଗସାଥି ଏକାବେଳକେ ଅମୂଲ୍ୟ ଧନ । ମନଦ୍ଵାରା ଯେମିତି ଦୁନିଆ ଜିଣିହୁଏ, ତୁଣ୍ଡର କଥାରେ ସବୁ କରିହୁଏ ।

 

–ବୁଝିଲୁ ଅଲେଖ ! ବାପା ମତେ ଚାକିରି କରିବାକୁ କହୁଛନ୍ତି ।

 

–ବିଡ଼ମ୍ବନା ! କେହି ତ କାହାରି ବ୍ୟବସାୟକୁ ପସନ୍ଦ କଲା ନାହିଁ । ତୋର ଯେତେ ସୁବିଧା ଅଛି, ତୁ ତ ଅଳ୍ପ ସମୟରେ ବହୁତ କରିପାରିବୁ । ବାପା ମନା କରୁଛନ୍ତି ?

 

–ମନା କଲେ ବି ମୁଁ ସେ କଥା ଶୁଣିବି ନାହିଁ । ଦରକାର ପଡ଼ିଲେ ଘର ଛାଡ଼ିଦେବି ।

 

–ଆରେ ଭାଇ ସେତିକି କରିବୁ ନାହିଁ । ମଣିଷ ଯେମିତି ତା’ର ଆଖି, କାନ, ହାତ, ଗୋଡ଼ ଫୋପାଡ଼ି ନ ଦେଇ ତାକୁ ଯତ୍ନ କରି ସମ୍ଭାଳି ରଖେ, ସେମିତି ବାପାଙ୍କର ସବୁ ସମ୍ପତ୍ତି ସୁବିଧା । ଶ୍ୱଶୁରଘରର ସବୁ ଯାନିଯୌତୁକ, ଦବାଲୋକର ସବୁ ଦାନ ଧରି ରଖିବୁ । ନ ହେଲେ ଆମେ ଯେମିତି ସବୁ ଥାଇ ଖାଇବା, ପିନ୍ଧିବା ଓ ରହିବା କଷ୍ଟରେ ଅଛୁ, ତୁ ବି ସେମିତି ହୋଇଯିବୁ । ସ୍ୱାଧୀନତା ସୁବିଧା ପାଇଲେ ଯେଡ଼େ ବଢ଼ିଆଳ ହୁଏ, ଅସୁବିଧା ଭିତରେ ସେତିକି କାର୍ଯ୍ୟ ହୋଇଯାଏ ।

 

–ତୁ ଏଡ଼େ ବୋକା ବୋଲି ମୁଁ ଜାଣି ନ ଥିଲି ।

 

–ଜାଣିବୁ କେମିତି ? ଯେବେ ଟଙ୍କା ପଇସା ଅଭାବ, ମେସ୍ ଖିଆର, ମେସ୍ ରହଣିର ଦୌରାତ୍ମ୍ୟ ନିଜ ଅଙ୍ଗେ ଲିଭେଇଲା ପରି ହୋଇଥାନ୍ତା, ତେବେ ଜାଣିଥାନ୍ତୁ ଯେ ଅଭାବପରି ଯନ୍ତ୍ରଣାଦାୟକ ବିଷୟ ଏହି ସୃଷ୍ଟିରେ ଆଉ କିଛି ନାହିଁ । ମନ ଭିତରୁ ଦର୍ଶନ ଲୁଚିଯିବ । କଳ୍ପନାର ଆତ୍ମସମ୍ମାନ ଗଛ ଉପରର କାକର ପରି ମାଟିକୁ ଖସି ପଡ଼ିବ–ସେଥିରେ ମାଟିବି ତିନ୍ତିବ ନାହିଁ । ଗଛ ବି ପୂରାପୂରି ଓଦା ହେବ ନାହିଁ । ଯାହା କରୁଛୁ ଭାଇ କର । ହାତ ପାଖରେ ଥିବା ସୁବିଧାକୁ ଗୋଇଠା ମାରି ଠେଲିବୁ ନାହିଁ । ସେ ସବୁ ଆଉ ଫେରେ ନାହିଁ ।

 

–ତେବେ ମୁଁ କ’ଣ ଚାକିରି କରିବି ?

 

–ଚାକିରି ଯାହା, ବ୍ୟବସାୟ ସେୟା–ଯାହାକୁ ଯାହା ମିଳିଲା । ବାପାଙ୍କ କଥା ଅତିରିକ୍ତ ମାନିଲେ ମୁଁ ତ କଲେଜରେ ପଢ଼ି ନ ଥାନ୍ତି । ଗାଁରେ ରହି ବାଳୁଙ୍ଗା ବାଛୁଥାନ୍ତି ନଇଲେ ତେଲ ପେଡ଼ୁଥାନ୍ତି ।

 

–ସେ ସୁବିଧା ଛାଡ଼ିଲୁ କାହିଁକି ?

 

–ସେତିକି ପରା ତଫାତ୍ । ଅଭାବୀ ଲୋକର କଥା କେଭେଁ ମାନିବ ନାହିଁ । ସେ ସାହାଯ୍ୟ ବି କରିପାରିବ ନାହିଁ । ବାଟ ବି ଦେଖାଇ ପାରିବ ନାହିଁ । ଥିଲା ଲୋକଙ୍କର, କରିବା ଲୋକଙ୍କର କଥାକୁ ଏଡ଼ି ଦେବ ନାହିଁ–ସେ ବାଟ ପାଇଛି, ସେତିକି ପରା ଫରକ ।

 

–ତେବେ ତୁ କ’ଣ କହୁଛୁ ?

 

–ମୁଁ ? ମୁଁ କ’ଣ କହିବି ? ମୁଁ କହୁଛି ଯେ ଅଲିଅଳରେ ବଢ଼ିବା ଲୋକ ତେବେ ସୁବିଧା ଛାଡ଼ିବା ଉଚିତ୍ ନୁହେଁ । ଏମିତି ତ ଖରାରେ ଦେହରୁ ଝାଳ ବୋହୁଛି । ଆଉ ଖାଲି ଗୁଡ଼ାଏ ଝାଳ ବୁହାଇବା ଯୋଜନା କଲେ କ’ଣ ଲାଭ । ମୋ ଭାଇ ପୁତୁରା କେତେ ଝାଳ ଧାନ ବିଲ ଉପରେ ଅହରହ ଢାଳୁଛନ୍ତି । ଧୋଇ ମରୁଡ଼ି ବି ତା’ର ପତିଆରା ରଖେ ନାହିଁ ।

 

–ପୁଅ କ’ଣ ସତେ ଘର ଛାଡ଼ି ଚାଲିଯିବ ? ଭାରି ଜିଦ୍‌ଖୋର ସିଏ । ମା ମୁହଁରେ ବହୁତ ପ୍ରକାରର ଆଶଙ୍କା । ଆଗକୁ ପଛକୁ କେହି ନାହିଁ । ସେଇ ଗୋଟିଏ ପୁଅ ।

 

–ଖାଇ ସାରିଲେ ସମସ୍ତଙ୍କର ଜିଦ୍‍ ବଢ଼େ । ମହକିଲ ଯେଉଁ ଦିନ ନୂଆ ମକଦ୍ଦମା କରି ଆସନ୍ତି ବହୁତ ଲମ୍ବା ଲମ୍ବା କଥା ଶୁଣାନ୍ତି । ଅଣ୍ଟାରୁ ପଇସା ଖସିଲେ ସେମାନେ ରଫାଦଫା କ’ଣ ନ କରନ୍ତି ।

 

–ସେମିତି ଗୁଡ଼ାଏ କୁହ ନା । ସେ ଯେବେ ଜିଦ୍ ଧରିଛି ଚାକିରି ନ କରିବାକୁ–ନ କରୁ । ତା’ ଭାଗ୍ୟରେ ଥିଲେ ସେ ତା’ରି ପରି ହେବ ।

 

ପୁଅପାଇଁ ବାପମା’ଙ୍କ ଭିତରେ କଳି । ମା’ କହୁଛି ବାପାଙ୍କର ହିମତ୍ ନାହିଁ । ପୁଅ କହୁଛି ବାପାଙ୍କର ଅକଲ ନାହିଁ ।

 

–ଛାଡ଼ ନିଜ ଦୁଃଖରେ ରହିବା । କଚିରିକୁ ଗଲେ କାହାର ଗୋଟାଏ କିଛି କାମ ହେବ । ଏଣେ ଘରେ ତମେମାନେ ଯେମିତି ଚାହୁଁଛ ସେମିତି କର ।

 

–ଭଲ କରି କୁହ । ସତେ କ’ଣ ପୁଅ ପାରିବ ନାହିଁ ?

 

–ଆମର କିଛି ନ ଥିଲେ ସେ ପାରନ୍ତା । ସବୁ ପାଇ ସବୁ ଦେଖି ସେ ତ ଦିନକୁ ଦିନ କଅଁଳିଆ ହୋଇଯାଉଛି । ହଉ କରୁ, ଶିଖିଲେ ଶିଖିଯାଇପାରେ ।

 

ବାପାଙ୍କର ବିଶେଷ ଯୋଗ୍ୟତା କଅଣ ? ପୁଅ ବସି ବସି ଦେଖିଲେ ।

 

ବାପା ଉଠନ୍ତି ଡେରିରେ । ଆସି ମହକିଲମାନଙ୍କୁ ଏଣୁତେଣୁ କଥା କହି ହସାଇବାରେ ଲାଗନ୍ତି । ହସ ଯେତିକି ଅଧିକ ହୁଏ, ମହକିଲମାନଙ୍କର ଆସ୍ଥା ସେତେ ଅଧିକ ବଢ଼େ । ସେମାନେ ସେମିତି ସୁବିଧାରେ ଟଙ୍କା କାଢ଼ନ୍ତି ।

 

ବଡ଼ ମଜା ତ । ଘରେ ଗୁଡ଼ାଏ ରଙ୍ଗରସ କରି ବାପା ଏଇଠୁ ଟଙ୍କା କାଢ଼ି ନେଉଛନ୍ତି । କଚିରିରେ ସେମିତି ରହସ୍ୟ କରୁଥିବେ । ଦୁନିଆଯାକ ଲୋକଙ୍କୁ ଭାଇ ବନ୍ଧୁ କୁଟୁମ୍ବ କରି ନିଜର ଦିନଟିକୁ ପାର ଉତାର କରି ଦେଉଥିବେ ।

 

ମହକିଲମାନେ ସେଥିରେ ଆସି ଶୁଣାଉଛନ୍ତି ଯେ ବାପାଙ୍କ ଯୋଗୁଁ ବାପାଙ୍କ କାମରେ ଭାରି ଯଶ ତାଙ୍କୁ ମିଳିଲା–କଚିରି ପାଖର ସାମୁଦ୍ରିକ ଯେମିତି ମକଦ୍ଦମା ଜଣାଉଥାଏ । ବାପା ବି ସେମିତି ନିଜେ ଖୁସି ରହି, ଅନ୍ୟକୁ ଖୁସି କରି ପୁରସ୍କାର ଅସୁଲ କରିନେଇ ପାରୁଛନ୍ତି ।

 

ବହିଗୁଡ଼ିଏ ଥୁଆ ହୋଇଛି । ବାପା ପଢ଼ୁନାହାନ୍ତି । ନ ପଢ଼ି କାମ ଚଳାଇ ନେଉଛନ୍ତି–ମାନଚିତ୍ର ନ ଥାଇ ଆକାଶର ପକ୍ଷୀ, ସାରୀ, ବଜାର, ଘର ଚିହ୍ନିଲାପରି ।

 

ଏତେ ଅସମ୍ପୂର୍ଣ୍ଣତା ଥାଇ ବାପାଙ୍କର ଉନ୍ନତି ହୋଇଛି ଖାଲି ସେ ଲୋକପ୍ରିୟ ବୋଲି । ଏଇ ଲୋକପ୍ରିୟତା ତାଙ୍କୁ କୋଠାବାଡ଼ି, ବାଗ୍‍ବଗିଚା, ଘିଅ, ମାଛ ଆଉ ଟଙ୍କା ସବୁ ଆଣି ଦେଉଛି । ବାପା ତ ଓକିଲ ନୁହନ୍ତି, ବାପା ଜଣେ ଲୋକପ୍ରିୟ ।

 

ତାଙ୍କରି ପୁଅ ଓକିଲ ହେବ ।

 

ହବା କଥା–ଅବଶ୍ୟ ଘଟିବାର କଥା ବି ସମସ୍ତଙ୍କର ଘମାଘୋଟ ଆଲୋଚନାର ସରଞ୍ଜାମ ହୁଏ । ଅତି ମାମୁଲି କଥା ବି ସେମିତି ପ୍ରତି ପରିବାରରେ ପ୍ରତ୍ୟେକ ପରିବାରର ଆପଣାଲାଖି ପରିସର ଭିତରେ ସେମିତି ବାକ୍‍ବିତଣ୍ଡା ପାଇଁ ଖୋରାକ ଯୋଗାଏ ।

 

ପୁଅ ଓକିଲ ହେବେ ।

 

ସମସ୍ତଙ୍କର ଦୃଷ୍ଟିକୋଣ ବଦଳିଗଲା । ପାଠପଢ଼ା କାମ ସରିଛି । ଏଣିକି କଚିରି କାମ ଆରମ୍ଭ ହେବ ।

 

–ଖାଲି ପଢ଼ିଲେ ହେବ ନାହିଁ । ଟିକିଏ ଅନୁଭବ ରହିବା ଦରକାର ।

 

–ବାପା ମୁଁ ବୁଲି ବୁଲି ଦେଖୁଛି ବହୁତ ଲୋକ ବହୁତ ପ୍ରକାରରେ କରୁଛନ୍ତି ।

 

–କୋଉଠିକି ଗଲେ କାମ ଶିଖନ୍ତୁ । ଶୀଘ୍ର ଶୀଘ୍ର ଶିଖିନେ । ପ୍ରଥମେ ନ ଶିଖିଥିଲେ ପଛକୁ ସେହି କାମ ଶିଖିବା ଯେମିତି କଷ୍ଟ ଆଉ ସେମିତି ବି ଅସୁବିଧା ।

 

–ପର ଘରକୁ ନ ଯାଇ ନିଜ ଘରେ କ’ଣ ଶିଖି ହେବ ନାହିଁ ?

 

–ଆରେ ଏକାଠି ଆମେ ବାପପୁଅ ଦିହେଁ ବ୍ୟବସାୟ କଲେ କ’ଣ ସୁବିଧା ହେବ ?

 

–କେତେ ଲୋକ ତ କରୁଛନ୍ତି ?

 

–ସେମାନେ କରନ୍ତୁ । ଆରେ ସେମିତି କରିବା ନାହିଁ ।

 

–ତେବେ ମୁଁ ଅନ୍ୟଠାକୁ ଯିବି ?

 

ସ୍ଵଭାବସୁଲଭ ସ୍ନେହର ଅଧିକାରେ ସେ ପୁଅ କଥା ଭାବୁଥିଲେ–କେମିତି ସବୁପ୍ରକାରର ଆବର୍ଜନା ଶିଖାଇବି ? ଶିଖାଇଲେ ସେ ହୁଏତ ଶିଖିବ । କିନ୍ତୁ ବାପାକୁ କ’ଣ କେବେ କ୍ଷମା ଦେବ-? ପୁଅ କ’ଣ ତା’ର ବାପାକୁ କୁଟିକ, କୁଚକ୍ରୀ, ହୀନ ବୋଲି ମନେ କରିବ ନାହିଁ ?

ବାପ ପୁଅଙ୍କ ଭିତରେ କେତେ ତଫାତ୍ । ମନ, ଦେହ ଓ ଆରମ୍ଭ ସବୁଥିରେ ପ୍ରଭେଦ । ପୁଅ ଏବେଯାଏ ଅସ୍ପଷ୍ଟ ଭାବରେ ବାପାଙ୍କୁ ଓ ବାପାଙ୍କର ବ୍ୟବସାୟକୁ ଦେଖି ଆସିଛି । ସେ ଦେଖିବ–ବାପା କେମିତି କିଛି ନ କରି ସବୁ କଲାଭଳି ପ୍ରମାଣ କରିଦେଇଛନ୍ତି ।

ମୁହଁ ଶୁଖାଇ ସ୍ତ୍ରୀ ଆସି ଫିରାଦ ହେଲେ ।

–ଏଇଟା କ’ଣ ଠିକ୍ ହେଲା–ପୁଅ ବାପା ପାଖରେ କାମ ଶିଖିବ ନାହିଁ ? ଏଥିରେ କ’ଣ ଏମିତି ଲୁଚାଛପା କଥା ଅଛି ?

ସ୍ତ୍ରୀଙ୍କର ସେହି ବିଷଣ୍ଣ ମୁହଁକୁ ଚାହିଁ ସେ କହିଲେ–ବ୍ୟବସାୟ ଭିତରେ ପୁଅ ଯଦି ତା’ର ବାପାର ସବୁପ୍ରକାରର ଛୋଟ, ବଡ଼ କଦର୍ଯ୍ୟତା ଦେଖେ, ତେବେ ସେ ଶିଖିବ ସେତିକି । ଆଉ ବାପାକୁ ହୀନ ଚକ୍ଷୁରେ ସେତିକି ମନେ କରିବ ।

–ଏଠି କ’ଣ କିଛି ଭଲ ନାହିଁ ? ତମଠାରୁ କ’ଣ କିଛି ଭଲ କଥା ପୁଅ ଶିଖିବ ନାହିଁ ?

–ଅତି ଜଣାଶୁଣା ଲୋକ, ଅତି ଚିହ୍ନାପରିଚୟ ପ୍ରିୟ ଅନ୍ତରଙ୍ଗ ଲୋକ ଗୁରୁ ହେବା ଉଚିତ ନୁହେଁ । ମୋର ଇଚ୍ଛା ବିରୁଦ୍ଧରେ ସେ ଏହି ବ୍ୟବସାୟ ଭିତରକୁ ଆସିଲା । ଆଉ ତାକୁ ନଷ୍ଟ କରିବା ଭାରି ଅପରାଧ ହେବ ।

ପୁଅ ବାପଙ୍କର ଅଲଗା ଶିରସ୍ତା । ପୁଅ ତାଲିମ୍ ହୁଅନ୍ତି ଅନ୍ୟଠାରେ ।

ପୁଅ ଆଖିରୁ ପାଣି ଗଡ଼ି ଆସେ–ସ୍ଵାଧୀନ ଜୀବନର ପହିଲି ପାହାଚରେ ପରର ମନ ନେବାକୁ ହେବ । ସେ ନିଜର ଲୋକ ନୁହେଁ ।

–ନାହିଁ ବାପା, ସେଠି ଭଲ ହେଉନାହିଁ । ସେ ମୋଟେ କଥା କହନ୍ତି ନାହିଁ । ଦେଖି ଦେଖି ଶିଖିବାକୁ କହୁଛନ୍ତି । ଏଠି ହେଇଥିଲେ…

–ନାହିଁ ବାବୁ, ଏଠି ସେତକ ବି ହୁଅନ୍ତା ନାହିଁ । ବଡ଼ ଦୁଃଖରେ ମୁଁ ସେହି ମୀମାଂସାରେ ପହଞ୍ଚିଥିଲି । ଯାହା ଯାହା କରି ନିଜର ଅଳପସଳପ କରିଥିଲି ସେଥିରେ ମୋ ମନରେ ତୃପ୍ତି ନ ଥିଲା । ଆଉ ତୁ ନିଜ ଖୁସିରେ ଆଦରିଛୁ । ମୋ ଠାରୁ ଅଲଗା ପ୍ରକାରର ହେଲେ କେଜାଣି ଅବା ସୁବିଧା ହୋଇପାରେ ।

–ବାପା ସ୍ଵାଧୀନ କରିନାହାନ୍ତି–ଛାଡ଼ି ଦେଇଛନ୍ତି ପାଣି ମୁହଁକୁ । ପହିଲି ପାହାଚରେ ସଂସାରର ଜଡ଼ତା, ନିଷ୍ଠୁରତା ଦେଖାଇ ଦେଇଛନ୍ତି । ପରଠାରୁ କେମିତି ପଇସା ନେଇ ନିଜର ମେହନତ ବିକି ହୁଏ ସେତେକ ଶିଖାଇବାକୁ ଅନ୍ୟଠାରେ ଛାଡ଼ି ଦେଇଛନ୍ତି ।

ଅଲେଖ ଶୁଣି ଖୁସି ହେଲା–ବାପା ଠିକ୍ କରିଛନ୍ତି । ଯେଉଁମାନଙ୍କ କାଖରେ କୋଳରେ କରାଯାଏ, ସେମାନଙ୍କୁ ଶିଷ୍ୟ କରି ହୁଏନାହିଁ । କଲେ ଏକବୁଦିକିଆ କଦଳୀ ଗଛପରି ଗଛ ଉଧାଏ ନାହିଁ ।

☆☆☆

 

ଜଣେ ଲୋକ

 

ଶୀତ ଚାଲିଗଲା ପରେ ଗଛରୁ ଛେଲି ଛାଡ଼ିଲାବେଳେ ଯେମିତି ଜଣାଯାଏ–ଗଛକୁ ପୋଷାକ ମାନୁନାହିଁ, ବିଶାଳାକୃତିର ମଣିଷ ପୋଷାକ ପିନ୍ଧିଲାବେଳେ ସମୟ ସମୟରେ ସେହି ଚିତ୍ର ଆଗକୁ ଆସେ–ଏଇ ମଣିଷର ପୋଷାକ ନ ଥିଲେ ଭଲ ଦିଶନ୍ତା ।

 

ସେ ସେମିତି ଜଣେ ମଣିଷ । ବସିଲେ ଚୌକି ପୂରିଯାଏ । ଠିଆ ହେଲେ ଘର ଚୌକାଠ ଛୋଟ ଦିଶନ୍ତି । କିନ୍ତୁ କଥା କେଇପଦ ଭାରି ଧୀର । ଆକୃତି ସାଙ୍ଗରେ ସ୍ୱରର ସାମଞ୍ଜସ୍ୟ ନାହିଁ । ଦେଖିଲେ ଜଣାଯାଏ ବେଖାପ ମଣିଷ ।

 

ସେ ବି ସବୁଥିରେ ବେଖାପ । ସ୍ୱର ଯେମିତି ଧୀର, ମନର ଭାବନା ସେମିତି ଉଗ୍ର । ତେଣୁ ତାଙ୍କୁ ବାନ୍ଧି ରଖିବା ସମ୍ଭବ ହେଉ ନ ଥିଲା ପ୍ରଚଳିତ ଧାରାରେ ।

 

ସେଇ ତାଙ୍କର ବିସ୍ଫାରିତ ଆଖି ଦୁଇଟିରେ ଚାହିଁ ରହନ୍ତି । ଆଖିରେ ସ୍ନେହ, ସହାନୁଭୂତି ଆଉ ସେବାର ଇଙ୍ଗିତ । ନିରିଖି ଦେଖିଲେ ବୁଝି ହୁଏ । ନଇଲେ ଜଣାପଡ଼େ ନାହିଁ ଯେ ସେହି ଆୟତ ଆଖି ଦୁଇଟିରେ ଅନ୍ୟପ୍ରତି ଅବଜ୍ଞା ନାହିଁ, ହତାଦର ନାହିଁ–ଖାଲି ଅଛି ଅସୀମ ସହାନୁଭୂତି, ଯେଉଁ ସହାନୁଭୂତି ନିଜର ସୁବିଧା ଅସୁବିଧାକୁ ଖାତିର ନ କରି ଏଡ଼ି ହୋଇଯାଏ ।

 

ତାଙ୍କ ସାଙ୍ଗରେ ପରିଚୟ ସରକାରୀ ଦପ୍ତରରେ । ସେ ବସି ବସି ଚିଠିର ଆସିବା ଯିବାର ଗତିପଥ ଲେଖିଥିଲେ–ଏତେ ନମ୍ବର ଚିଠି ଏତେ ତାରିଖରେ ଅମୁକ ମହକୁମାରୁ ଆସିଲା । ଆଉ ସେମିତି ନମ୍ୱର ଓ ତାରିଖଦିଆ ହୋଇ ଅନ୍ୟ ମହକୁମାକୁ ଗଲା । ସେମାନଙ୍କ ପାଖରେ ବହୁତ କାମ ବାହାର ଲୋକଙ୍କର । କାରଣ ନାଲି ଫିତାର ଆରମ୍ଭ ଓ ଶେଷ ସେଇଠି । ସେଇଠୁ ପରିଚୟ । ସେଦିନ ବି ଆକୃତି ସାଙ୍ଗରେ ତାଙ୍କର ଦୈନନ୍ଦିନ କର୍ତ୍ତବ୍ୟର କୌଣସି ମେଳ ନ ଥିଲା ।

 

ଛୋଟିଆ କର୍ମଚାରୀର ଚୌକିରେ ବସି ସେ ଦିନ ସେ ଅସୀମ ସହାନୁଭୂତିରେ ସଂସାରର ଧନବାନ୍, ବଳବାନ୍ ଓ ଦରିଦ୍ର ଲୋକଙ୍କର ଆବେଗ ମାପି ପାରୁଥିଲେ । କିଛି କରି ନ ପାରିଲେ ବି ଚିଠି ଆସିଛି ବା ଯାଇଛି–ସେତିକିର ସଠିକ ସମ୍ବାଦ ଦେଇ ସେ ଅନେକ ଲୋକଙ୍କର କୃତଜ୍ଞତା ପାଉଥିଲେ । ସବୁବେଳେ ବଡ଼ ହାକିମଙ୍କ ପାଖକୁ ଯାଇ ହୁଏ ନାହିଁ । ଗଲେ ବି ତାଙ୍କୁ କହି ହୁଏ ନାହିଁ । ବଡ଼ ଆସନରେ ବସିବା ଲୋକ ପଥର ପାଲଟି ଯାଆନ୍ତି । ପବନ ପାଣି ଉପରକୁ ହାଲୁକା ଲାଗନ୍ତି । କିନ୍ତୁ ଚୌକିର ଉପର ବେଶି ଭାରି ।

 

ସେଥିପାଇଁ ଲୋକେ ଠାକୁରଙ୍କ ସାଙ୍ଗରେ କଥା କହି ନ ପାରି, ହାକିମଙ୍କୁ ଭରସି ନ ପାରି ସେବକ ସାଙ୍ଗରେ ଅଧସ୍ତନଙ୍କ ସହିତ ସବୁବେଳେ ନିଜର ଫାଟି ପଡ଼ୁଥିବା ଦୁଃଖକୁ ଶୁଣେଇ ଶୁଣେଇ ଯାଆନ୍ତି ।

 

ନଟବର ବାବୁଙ୍କର ସେଇ ଛୋଟିଆ ଆସନ ତାଙ୍କ କାନରେ କେତେ ଦୁଃଖ କାହାଣୀର ଗୋପନ କଥା, କେତେ ମର୍ମଭେଦୀ ଦୁଃଖ ଆଣି ପହଞ୍ଚାଇଥିଲା । ସମସ୍ତଙ୍କ ପ୍ରତି ସମାନ ଭାବ । କାହାରି ପ୍ରତି ବିରକ୍ତି ନ ଥିଲା । କେହି ସେ ବିଷୟ ପଚାରିଲେ ନଟବାବୁ କହନ୍ତି–ଏଇଠି ମୋର ଚାକିରିର ଆରମ୍ଭ ଆଉ ଶେଷ । ଚାକିରିର ଆରମ୍ଭ ଏଇ ପାହାଚରୁ । ଲୋକଙ୍କର ଦୁଃଖ ନେଇ ହେବ ନାହିଁ । ତେବେ ତାଙ୍କୁ ପଦେ ମିଠା କଥା କହିଥିଲେ କେଜାଣି କାଳେ ମୁହୂର୍ତ୍ତକ ପାଇଁ ତାଙ୍କର ଦୁଃଖ ହୁଏତ ସେମାନେ ଭୁଲିଯିବେ । ଦରିଦ୍ରର ଏଇ ଏତକ ସେବା ଗ୍ରହଣ କରିବାର ଇଚ୍ଛା ସେମାନଙ୍କର ଥିଲେ ମୁଁ ଭାବେ ଏତକ ମୋର ପରମ ସୌଭାଗ୍ୟ । ନ ହେଲେ ମୁଁ ବିରକ୍ତ ହେବି କାହିଁକି । ଦୁଃଖୀ ଲୋକ ସଦାବେଳେ ଦୁଃଖୀ । ଦୁଃଖର ଉପଶମ କରିବାର ସମୟ ନାହିଁ ।

 

ଏକାଥରକେ ନୁହେଁ, ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଲୋକଙ୍କର ନାନା ପ୍ରକାରର ପ୍ରଶ୍ନ ଭିତରେ ସେ ଯାହା କହୁଥିଲେ ସେଥିଭିତରେ ଦୈନିକ ଅଢ଼େଇ ଟଙ୍କା ରୋଜଗାର କରୁଥିବା ଲୋକର ପ୍ରକୃତ ପରିଚୟ ନ ଥିଲା । ସେଇ କଥା ଓ କାମ ଭିତରେ ତାଙ୍କର ଆକାଶଚୁମ୍ବୀ କଳ୍ପନାର କୌଣସି ଛବି ଫୁଟି ଦିଶୁ ନ ଥିଲା ।

 

ସେଠି ସମସ୍ତଙ୍କୁ ସେ ସ୍ନେହ–ବନ୍ଧନରେ ବାନ୍ଧି ନିୟମର ବ୍ୟତିକ୍ରମ ନ କରି ଚାକିରିର ମାନ ଓ ଗୁରୁତ୍ୱ ବଜାୟ ରଖି କାମ କରିଯାଉଥିଲେ । ସେଇ ବଡ଼ ଅଫିସ ଭିତରେ ସେ ଥିଲେ ଜଣେ ଦରଦୀ ଲୋକ–ଯାହାର ବୁଝିବାପାଇଁ ହୃଦୟ ଥିଲା ଆଉ ଦୁଃଖ ଦୂର କରିବାପାଇଁ ଚେଷ୍ଟା ଥିଲା ।

 

ସେଇଥିପାଇଁ ଈଶ୍ୱର ତାଙ୍କୁ ଗୋଡ଼ତଳର ଘାସ କରି ଛାଡ଼ି ଦେଇଥିଲେ । ଚାଲିଗଲା ପଥଶ୍ରାନ୍ତ ବାଟୋଇର ପାଦର ଦୁଃଖ ହରିନେବାକୁ, ତା’ର ଅବସନ୍ନ ଆଖିରେ ଚିର ଜୀବନ୍ତ ଚିର ସବୁଜ ରେଖାପାତ କରାଇବାକୁ ଆଉ ସେଇ ଅବସରରେ ଦୁନିଆର ସବୁ ଅବିଶ୍ୱାସୀ, କୃତଘ୍ନ, ସ୍ୱାର୍ଥଭିକାରୀ ଲୋକଙ୍କୁ କହି ଦେବାକୁ–ଏଇ ପ୍ରକାରର ଜୀବନରେ ବି ମହତ୍ତ୍ୱ ଅଛି ।

 

ସେ ଚୌକି ନଟବାବୁଙ୍କୁ ବାନ୍ଧି ପାରି ନ ଥିଲା । ସେଠି ରହିଥିଲେ ଅବଶ୍ୟ ସେ ବଢ଼ିଥାନ୍ତେ–ସଂସାରର ସବୁ ଜୀବନ୍ତ ପଦାର୍ଥ ବଢ଼ିଲା ପରି । ଦରମା ବଢ଼ିଥାନ୍ତା । ଆସନ ଉପରକୁ ଉଠିଥାନ୍ତା । କାରଣ ତାଙ୍କ ମନରେ ବିକାର ନ ଥିଲା । ଶିକ୍ଷାର ଅଭିମାନ ନ ଥିଲା । ପଦମର୍ଯ୍ୟାଦାର ଅଶ୍ରଦ୍ଧା ନ ଥିଲା । ତାଙ୍କର ସେବା ଓ ସ୍ନେହକୁ ତାଙ୍କର ଉପରର ଲୋକେ ବିଭିନ୍ନ ପ୍ରକାରର ଘରୋଇ କାମରେ ଲଗାଉଥିଲେ । ସେଥିରେ ବି ତାଙ୍କର ଆପତ୍ତି ନ ଥିଲା ।

 

ଏଇ ଦେହକୁ ଆଉ ତା’ର ଶକ୍ତିକୁ କେହି ଯଦି ନିଜ କାମରେ ଲଗାଇ ନିଜକୁ ବୁଦ୍ଧିମାନ୍ ବୋଲି ବଡ଼ାଇ କରନ୍ତି ତେବେ ଭଗବାନ ସେମାନଙ୍କୁ ସେହି ବୁଦ୍ଧି ଅଧିକରୁ ଅଧିକ ଦିଅନ୍ତୁ । ଯେତିକି ବୁଦ୍ଧି ବଢ଼ିବ, ସେତିକି ବୁଦ୍ଧି ଆହାର ଖୋଜିବ । ନିର୍ଜୀବ ଆହାର ସିନା ପ୍ରତିବାଦ କରେ ନାହିଁ । ମଣିଷ ସେମିତି ନୁହେଁ । ମଣିଷ ନିଜ କାମରେ ବି ଅଳସୁଆ । ପର କାମରେ ସେ ସହଜରେ–

 

ଏଇ ତତ୍ତ୍ଵ କଥା ସେ କାହାରିକୁ କହିବାକୁ ଚେଷ୍ଟା କରନ୍ତି ନାହିଁ । କହୁ କହୁ କହନ୍ତି ଆଉ ହସନ୍ତି । ଶୁଣିବା ଲୋକେ ଭାବନ୍ତି ସେ ଗୋଟିଏ ମୂର୍ଖ । କିନ୍ତୁ ତାଙ୍କର ଓଠ କୋଣରେ ସେ ହସ ଟିକକ ଲାଗିରହେ । ସେଇ ବିଶାଳ ଆକୃତିର ଦେହ ନିଃଶ୍ୱାସ–ପ୍ରଶ୍ୱାସରେ ଥରି ଉଠେ ।

 

ବୁଦ୍ଧିଆ ଲୋକେ ଯାହାକୁ କାମରେ ଲଗାନ୍ତି ସେ ତ ନିର୍ବୁଦ୍ଧିଆ ଲୋକ । ଏଥିରେ ନୂଆ କଥା କ’ଣ ହେଲା ! ସେ କିଛି କହନ୍ତି ନାହିଁ ।

 

ଉପରର ହାକିମ ତାଙ୍କୁ ଉପରକୁ ଉଠାଇବାକୁ ସୁପାରିଶ୍ କରନ୍ତି । ସେ ଖବର ସେ ସେମାନଙ୍କଠାରୁ ପାଆନ୍ତି । ତାଙ୍କରି ଭଳି ସମାନ ଆସନରେ ବସୁଥିବା ଲୋକେ ସେତେବେଳେ ବୁକୁଫଟା ଘୃଣା ଓ ବିଦ୍ୱେଷ ନେଇ ନଟବାବୁଙ୍କ ବିରୁଦ୍ଧରେ ପ୍ରଚାର କରନ୍ତି । ତାଙ୍କ ସହିତ କଥା କହନ୍ତି ନାହିଁ । ସେମାନେ ନଟବାବୁଙ୍କୁ ଦେଖନ୍ତି ଗୋଟିଏ କପଟୀ ବେଶରେ ।

 

ହସି ସେମାନଙ୍କ ଆଡ଼କୁ ଚାହିଁ ନଟବାବୁ କହନ୍ତି–ଏ ଅଫିସ ଛାଡ଼ିବାବେଳ ପାଖେଇ ଆସିଲା । ଏଇ କାମ କହିବାକୁ କଲେଜରେ ପଢ଼ିବା କିଛି ଦରକାର ନ ଥିଲା । ଇୟାଦ୍ଵାରା ସରକାର ହୁଏତ ବେକାର ସମସ୍ୟା ଦୂର କରୁଛନ୍ତି । କିନ୍ତୁ ମଣିଷ ମନରୁ ଅଳ୍ପ ଶିକ୍ଷାର ଆଲୋକ ଟିକକ ଲିଭେଇ ଦେଉଛନ୍ତି ।

 

–ନ କହିବ କାହିଁକି ! ତୁମକୁ ସୁପାରିଶ ମିଳୁଛି ନା । ସେଥିପାଇଁ ଗୁଡ଼ାଏ ଘଷିମାଜି କଥା କହୁଛ ।

 

ନଟବାବୁଙ୍କ ମୁହଁ ଉପରେ ଅସୀମ ବିଷାଦ ଅଜାଡ଼ି ହୋଇପଡ଼େ । ସୂର୍ଯ୍ୟକୁ କଳା ମେଘ ଢାଙ୍କିଲାପରି ଓଠ କଣରୁ ସେହି ହସର କ୍ଷୀଣ ରେଖାଟି ଲୁଚିଯାଏ । ତାଙ୍କର ଆଖି ଆଗରେ ନାଚିଯାଏ ଅତୀତର ବର୍ଷଗୁଡ଼ିକ । କେତେ କଳ୍ପନା ନେଇ ସେ ପାଠ ପଢ଼ିଥିଲେ । ତା’ର ସମାପ୍ତି ଓ ଉପସଂହାର ହେଲା ଏଇ ନିରାଡ଼ମ୍ବର କ୍ଷୁଦ୍ର ଜୀବନରେ–ଯାହାର ସ୍ଥିତି ଅଛି କିନ୍ତୁ ଭବିଷ୍ୟତ୍ ନାହିଁ ।

 

ଅଫିସ ଘରର ସହଜସୁଲଭ କୋଳାହଳ ଆଣି ସେ କହନ୍ତି–ଏଠିକି ଆସିଥିଲି କିଛିଦିନପାଇଁ ଦେହକୁ ବଞ୍ଚାଇବାକୁ । ମନ ମାନି ନ ଥିଲା । ଏବେ ବି ମାନି ନାହିଁ । ଏଣିକି ଛାଡ଼ିଦେବା ଏଇଟାକୁ । ଇଏ ଭୁଲାଇବାକୁ ଚେଷ୍ଟା କଲାଣି । ଛୋଟ ମଣିଷକୁ ବଡ଼ କରିବାର ପ୍ରଲୋଭନକୁ ଉନ୍ନତି ବୋଲି ମଣିଷ ଯେତେବେଳେ ମନେ କରେ, ସେତିକିବେଳେ ତା’ର ଆତ୍ମାର ମରଣ । ଦେହକୁ ବଞ୍ଚାଇବାକୁ ଯଦି ଆତ୍ମାକୁ, ଭିତରର ମଣିଷ ପଣିଆକୁ ମାରିଦେବାର ପ୍ରୟୋଜନ ଆସେ, ତେବେ ସେ ଦେହକୁ ବଞ୍ଚାଇ ରଖିବା ଅକାରଣ ।

 

–ତେବେ କ’ଣ ନଟବାବୁ ରେଲ ଲାଇନ୍ ତଳେ ଶୋଇବେ ! ଲୋକେ ହାରିଗଲେ ରେଲ ଲାଇନ୍ ପାଖକୁ ଯା’ନ୍ତି । ଆଉ ସେ–

 

–କ’ଣ କହିବି ବାବୁ ! ବଡ଼ ଜାଗାରେ କଥା କହିଲେ ସିନା ସୁନ୍ଦର ଶୁଭେ । ଛାଡ଼ । ମିଳିଥିବା ପାଇଟି ଧରିବା । ଛୋଟଙ୍କର ଜୀବନ ଅଛି । କିନ୍ତୁ ତାଙ୍କର ସୂକ୍ଷ୍ମ ଅନୁଭବ ନାହିଁ । ଛୋଆ ଜୀବ ସଂସାରର ନିର୍ବେଦ ପଥର । ଅନ୍ୟ ଲୋକର ହତିଆର ଧାବ କରିବାପାଇଁ, ତାଙ୍କର ଯାତ୍ରା ପଥ ସରଳ ସୁଗମ କରିବାପାଇଁ ତା’ର ଜୀବନ । ସେ ଲୋକର ଅନୁଭୂତି ଥାଇପାରେ, କିନ୍ତୁ ସେ ମୂକ–ନିଜ ଇଚ୍ଛାରେ ନୁହେଁ, କେବଳ ଶ୍ରୋତା ଅଭାବରୁ।

 

–କାହିଁକି ? ବହୁତ ଲୋକ ତୁମ ପାଖରେ ସବୁବେଳେ ହାଟ ବସାଇଛନ୍ତି ।

 

ଆଖି ଦୁଇଟି ପୁଣି ଚଞ୍ଚଳ ହୋଇଉଠେ । ନିପୀଡ଼ିତ, ଦରିଦ୍ର, ଅସହାୟ ଲୋକଙ୍କର ଦୁଃଖ ପାଇଁ ନଟବାବୁ ଫାଇଲ ଉପରେ ଝୁଙ୍କି ପଡ଼ନ୍ତି । ସେଇ ଦପ୍ତରଖାନା ଭିତରେ ସେ ଯେପରି ଜଣେ ବାହାରର ଲୋକ, ରାସ୍ତାର ବୁଲା କୁକୁର ଅବା ଚଢ଼େଇ ପରି ବିନା ଅଧିକାରରେ ପଶି ଆସିଛନ୍ତି ।

 

ବଡ଼ ବଡ଼ ହାକିମଙ୍କର ହୁକୁମନାମା ଖାତାରେ ଚଢ଼ାଇଲାବେଳେ ତାଙ୍କୁ ତାଙ୍କ ନିଜ ଜୀବନର ବ୍ୟର୍ଥତା ଦେଖାଇଦିଏ–ଏଇ ହେଉଛି ବିଚାର ଆଉ ଏୟା ହେଉଛି ସଂସାର । ଏଇ ବିଚାରର ଧାରାକୁ ମୂଳଦୂଆ କରି ସଂସାରର ଲୋକେ ଧନଦୌଲତ ଓ ଖ୍ୟାତିପ୍ରତିପତ୍ତର ଦେଉଳ ତୋଳନ୍ତି ।

 

ପାଟିରୁ ବାହାରିପଡ଼େ–ଆହା, କଲା ଲୋକ ଓ ଭୋଗିଲା ଲୋକ ଉଭୟଙ୍କ ପାଇଁ ବଡ଼ ହାକିମଙ୍କର ସୁପାରିଶ ତାଙ୍କୁ ବିଦ୍ରୁପ ପରି ଲାଗେ ।

 

ଯେଉଁଦିନ ନଟବାବୁ ଅଫିସରେ ଇସ୍ତଫା ଦେଲେ ସେଦିନ ସେଇ ଛୋଟିଆ ଅଫିସ ଘରେ ତରଙ୍ଗ ଖେଳିଯାଇଥିଲା ତାଙ୍କର ବୋକାମି ବିଷୟରେ । ତାଙ୍କୁ ଭାତ ସୁଖ ଲାଗୁନାହିଁ । ଉନ୍ନତି କଲାବେଳେ ଲୋକ ଏମିତି ପଳାଏ ! ହାକିମ ଡାକି ପଚାରିଥିଲେ–ପାଗଳ ନା କ’ଣ ? ଇଏ କି କାଗଜ ?

 

ଓଠରେ ଜିଭ ବୁଲାଇ ନଟବାବୁ କହିଥିଲେ–ମତେ ଏ କାମ ସୁଖ ଲାଗୁନାହିଁ ।

 

–ଏଇ କାମ ଦୁନିଆରେ ବାରଣା ଲୋକ କରୁଛନ୍ତି । କାମ ତ ଯେମିତି ହେଲେ କିଛି ପ୍ରକାରର ହେବ । ଅଭ୍ୟାସ ହୋଇଗଲେ ଭଲ ଲାଗିବ ।

 

–ଆପଣଙ୍କ ଦୟାରୁ ଉପରକୁ ସିନା ଉଠିଲି, ତେବେ ଏଥିରେ ମୋ ଜୀବନର କ’ଣ ପରିପୂର୍ଣ୍ଣତା ଆସିବ ?

 

–ଆଉ ଆମେ ସବୁ କ’ଣ ଅସମ୍ପୂର୍ଣ୍ଣ ?

 

ଆଖିରେ ସହାନୁଭୂତି ମିଶା ଚାହାଣି ଝଟକି ଉଠିଲା–ସତେ ଯେପରି ପଚାରିବ କି ପରିପୂର୍ଣ୍ଣତା ଆସିଛି । ପୁଣି ଆଖି ନଇଁଗଲା ତଳକୁ । ବଡ଼ ହାକିମ ହେଲେ ବି ବୁଦ୍ଧିରେ ପିଲା । ନିଜର ପୋଷାକ ଆଉ ଦରମାରୁ ସେ ମାପୁଛନ୍ତି ସଂସାରକୁ । ସେ ବୁଲି ଚାହିଁଲେ ଝରକା ଆଡ଼କୁ–ପ୍ରକାଣ୍ଡ ଦେବଦାରୁ ଗଛ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି ।

 

ନିଜକୁ ନିଜେ ପଚାରିଲାପରି ଉପରର ହାକିମ ଗୁଣୁଗୁଣୁ ହୋଇ କହିଲେ–ଏଥିରେ ଜୀବନର ପରିପୂର୍ଣ୍ଣତା ଆସିବ ନାହିଁ । ତୁମେ ପ୍ରକୃତରେ ବଡ଼ ମୁଣ୍ଡବୁଲା ଲୋକ ।

 

ସେମିତି ମେଲା ଆଖିରେ ଚାହିଁ ନଟବାବୁ ଠିଆହୋଇ ରହିଲେ । ବଡ଼ ଓ ସାନ କେହି କାହାକୁ ବୁଝିପାରୁ ନାହାନ୍ତି ।

 

ହାକିମ ସହାନୁଭୂତି ଦେଖାଇଲେ । ସେଇଟା ତ ବଡ଼ଙ୍କର ଧର୍ମ । ଯାହାକୁ ଦୁନିଆର ସମସ୍ତେ ସହାନୁଭୂତି ଦେଖାନ୍ତି, ସେଇ ଲୋକ ବଡ଼ ଆସନରେ ଥିଲେ ଅନ୍ୟର ଭାଗ୍ୟ ନିୟନ୍ତ୍ରଣ କରେ, ମତାମତ ଦିଏ, ସହାନୁଭୂତି ଦେଖାଏ, ସୁପାରିସ୍ କରେ । କରିବା କଥା ତ । କିନ୍ତୁ ହୃଦୟବାନ୍ ଲୋକର ମନର ଆବେଗକୁ ସେ ବୁଝିପାରେ ନାହିଁ ।

 

ନଟବାବୁ ଅଫିସରୁ ଚାଲିଗଲେ । ଗଲାବେଳେ ତାଙ୍କୁ ସୁପାରିସ୍ କରିଥିବା ହାକିମ ଭାବିଥିଲେ ଯେ ସେ ପାଗଳ । ଆଉ ସେହି ପାଗଳାମିପାଇଁ ସେ ଜୀବନରେ ଦୁଃଖ ପାଇବେ । କିନ୍ତୁ ତାଙ୍କର ଉନ୍ନତିରେ ପୋଡ଼ିଯାଉଥିବା ସମାନ ଆସନର ଅଧିକାରୀ ପ୍ରତିଦ୍ଵନ୍ଦ୍ୱୀମାନେ ଭାବିଥିଲେ, ପ୍ରକୃତରେ ସେ ଦେବତା । ଦେବତା ନ ହେଲେ ବି ତାଙ୍କ ପରି ଅପଦାର୍ଥ ନୁହନ୍ତି । ସେ ମୁକ୍ତ ଆକାଶର ବିହଙ୍ଗ ।

 

ଏଇ ପ୍ରକାର ଆଶୀର୍ବାଦ ଓ ଅଭିଶାପ ନେଇ ଅନ୍ୟମାନଙ୍କର ବିଚାର ଗ୍ରହଣ କରି ସେ ଅଫିସ ଦୁଆର ଛାଡ଼ି ଦେଇଥିଲେ । ଗଲାବେଳେ ହସି କହିଥିଲେ–ଭାରି ମନ ଦୁଃଖ ହେଉଛି ଏଇ ଚୌକିରେ ଛାରପୋକଗୁଡ଼ିକ ପାଇଁ । ସେଗୁଡ଼ାକ ମୋତେ ବଳୁଆ ଦେଖି ବେଶ୍ ଖାଇପିଇ ସୁସ୍ଥ ଥିଲେ । ଏଣିକି ଯଦି ରୁଗୁଡ଼ା ଲୋକଟିଏ ଆସିବ, ଲାଗିବ ଭଲ ଯୁଦ୍ଧ । ନିଶ୍ଚେ ନିପାତ ହେବେ ।

 

ସମସ୍ତେ ଚାହିଁଥିଲେ ନଟବାବୁଙ୍କ ମୁହଁକୁ । ଭୟ ଆସୁନାହିଁ ଲୋକଟାର । ଚାକିରି ପାଇବାର ଆଶଙ୍କାଠାରୁ ଚାକିରି ଚାଲିଯିବାର ଭୟ ବହୁଗୁଣରେ ଗରିଷ୍ଠ । ଗଲାବେଳେ ହାହାକାର ନ କରି ସେ ବ୍ୟଙ୍ଗ କରୁଛି । ସବୁ ଜିଦିଆ ମଣିଷ ଏହି ପ୍ରକାରର ହୁଅନ୍ତି । ନିଜର ଖିଆଲ ସେମାନଙ୍କୁ ଠେଲି ଠେଲି ଚଳାଏ ।

 

–ଆପଣ ସ୍କୁଲରେ ପଢ଼ାଇ ପାରିବେ ? ସରକାରୀ ଚାକିରି କରିବା ଲୋକ–

 

ସେକ୍ରେଟେରୀ ଡକାଇ ପଠାଇଥିଲେ । ଚାକିରି ଛାଡ଼ିବା ପରେ ନଟବାବୁ ବିଜ୍ଞାପନ ଦେଖୁଥିଲେ । ମାଷ୍ଟର ଚାକିରି ଖାଲି ହେଉଛି ବହୁତ । କେହି ପଢ଼ାଇବାକୁ ଖୋଜୁ ନାହାନ୍ତି ବୋଧହୁଏ । ନ ହେଲେ ଏତେ ଚାକିରି ଖାଲି ହୁଅନ୍ତା କେମିତି । ସେ ସ୍ଥିର କରିଥିଲେ ଯେ ଯେଉଁଠୁ ପ୍ରଥମେ ଡକରା ଆସିବ ସେଇଠିକି ସେ ଯିବେ । ସେକ୍ରେଟେରୀ ଡକାଇଥିଲେ । ଆଉ ତାଙ୍କର ପ୍ରଶ୍ନ ସରକାରୀ ଚାକିରି ବିଷୟରେ ।

 

–ସରକାରୀ ଚାକିରି କଲେ କ’ଣ ଲୋକ ଶିକ୍ଷକ ହେବାକୁ ଆଯୋଗ୍ୟ ?

 

–ତା’ ନୁହେଁ ଯେ, ଧରାବନ୍ଧା ବେଳ ସରକାରୀ କୋଠାରେ, ସହର ମହକୁମାରେ କଟେଇଲାବେଳେ ଗାଁରେ ରହିବାକୁ କେହି ସୁଖ ପାନ୍ତି ନାହିଁ । ପୁଣି ଆମ ସ୍କୁଲ ଧୋୟା ଅଞ୍ଚଳରେ-

 

ଭାରି ଉତ୍ସାହରେ ନଟବାବୁ କହିଲେ–ଭାରି ଭଲ ହେଲା । ମୁଁ କାଲି ଖବରକାଗଜରେ ବଢ଼ି କଥା ଦେଖିଛି । ଆଖିରେ ଦେଖିନାହିଁ । ନୂଆ ଅନୁଭବ ଗୋଟିଏ ହେବ ।

 

–ଦେଖି ନାହାନ୍ତି ?

 

–ନା । ଆମ ଘର ପାହାଡ଼ିଆ ଅଞ୍ଚଳରେ । ସେଠି ଆମେ ବାଘକୁ ଜାଣୁ । କିମ୍ଭୀରକୁ ଚିହ୍ନୁନାହିଁ । ପାହାଡ଼ ଦେଖିଛୁ । କିନ୍ତୁ ତ୍ରିକୋଣଭୂମି ଦେଖିନାହୁଁ । ଶୁଣିଛି ଧୋୟା ଅଞ୍ଚଳରେ ପଥର ମିଳେ ନାହିଁ । ମୋ ପାଇଁ ସ୍କୁଲ ହେବ ନୂଆ–ଆଉ ଧୋୟା ଅଞ୍ଚଳର ବଢ଼ି ଆଦି ବହୁତ ଜିନିଷ ।

 

ହସି ପଚାରିଲେ–କେତେ ଟଙ୍କା ନେବେ ?

 

–ଯାହା ଦେବେ । ସରକାରୀ ଚାକିରିଠାରୁ ବେଶି ନ ହେଲେ ବି ଯାଏ ଆସେ ନାହିଁ । ପିଲାମାନେ ସାଙ୍ଗରେ ରହୁ ନାହାନ୍ତି । ଖର୍ଚ୍ଚ କମ୍ ହେବ ।

 

–ଚଳିବାକୁ କେତେ ଲୋଡ଼ା ?

 

–ହାତରେ ରାନ୍ଧେ । କୁକର ଅଛି । ଦିନକୁ ଆଠ’ଣା ହେଲେ ଚଳିବ ।

 

–ଆପଣ କ’ଣ ପାଗଳ କି ?

 

–ପାଗଳ ! କାହିଁ ନାହିଁ ତ ।

 

–ତେବେ ଏତିକି ଟଙ୍କା କେହି କେବେ ଚାକିରି କଲାବେଳେ ମାଗି ନାହିଁ । ସବୁବେଳେ ବେଶି ଦାବି କରିଛି ଆଉ ଅଳ୍ପ ପାଇଛି । ଆପଣ ନିଜେ କହୁଛନ୍ତି ଯେ ଯାହା ପାଉଥିଲେ ତହିଁରୁ ଊଣା ହେଲେ ଚଳିବ ।

 

–କ’ଣ ଆଉ କହନ୍ତି । ଟଙ୍କାପାଇଁ ଚାକିରି କରୁଥିଲେ ସରକାରୀ ଚାକିରି ଛାଡ଼ନ୍ତି କାହିଁକି-? ଚାକିରିରେ ଟଙ୍କା ମିଳେ । ସରକାର ଯାହାକୁ ଯାହା ହେବା କଥା ଦେଉଛନ୍ତି-। ଆପଣଙ୍କର ଯାହାକୁ ଯାହା ଦେବା କଥା ଦେଉଥିବେ–ଦେବେ ତ । ମୋର ଉପକାର କଲେ ମତେ ଖଣ୍ଡିଏ ଚାକିରି ଦେଇ । ସାନ ପିଲାଙ୍କୁ ମଣିଷ କରାଇବାର ସାମାନ୍ୟ ଚେଷ୍ଟାର ସୁବିଧା ପାଇଲି । ଏ ମୋର ବଡ଼ ଭାଗ୍ୟ ।

 

ସେକ୍ରେଟେରୀ ହସିଥିଲେ । ଏବ କାଳରେ ଏହି ପ୍ରକାରର କଥା ଦୁର୍ଲ୍ଲଭ । ସେ ଚାହିଁଥିଲେ ନଟବାବୁଙ୍କ ଆଡ଼କୁ । ତାଙ୍କର ମୁହଁରେ ଚାକିରି ପ୍ରାର୍ଥୀର ବ୍ୟାକୁଳତା ନ ଥିଲା । ସେଠି ଥିଲା ଗଭୀର ଆତ୍ମବିଶ୍ୱାସ ।

 

ନଟବାବୁଙ୍କର ଚାକିରି ହେଲା । ସେଇ ସେତିକି ଦେଖାରେ ସେକ୍ରେଟେରୀ ପଚାରିଥିଲେ–କେବେ ଯାଇପାରିବେ ?

 

–କାଲି ସକାଳେ ।

 

–ଜିନିଷପତ୍ର ?

 

–ସେମିତି କିଛି ନାହିଁ । ରଖିନାହିଁ ଜାଣି ଜାଣି । ନିଜେ ନବା ଆଣିବା କରିପାରିଲା ଭଳି ଯାହା କିଛି ଅଛି ।

 

–ବଡ଼ ଆଶ୍ଚର୍ଯ୍ୟ ଲୋକ ଆପଣ । ଏମିତି ଲୋକ ଦୁନିଆରେ ବଢ଼ିଲେ ଅନର୍ଥ କମନ୍ତା ।

 

ମଟରରୁ ଓହ୍ଲାଇ ସ୍କୁଲରେ ପହଞ୍ଚିବାକୁ ଯେଉଁ ପାଞ୍ଚ କୋଶ ବାଟ ନଟବାବୁଙ୍କୁ ଚାଲିବାକୁ ପଡ଼ିଥିଲା ସେଥିରେ ସେ ବହୁତ ଥର ପଡ଼ିଥିଲେ । ଝୁଣ୍ଟିକରି ନୁହେଁ–ଗୋଡ଼ ଖସିବା ଯୋଗୁଁ । ସାଙ୍ଗରେ ଯାଉଥିବା ବାଟକଢ଼ାଳି କେତେବେଳେ ସହାନୁଭୂତିରେ, କେତେବେଳେ ବିଦ୍ରୂପରେ ହସିଥିଲା–ବାବୁ ବାଟ ଚାଲିପାରୁ ନାହାନ୍ତି । ବଡ଼ ଲୋକ ।

 

–ଆପଣଙ୍କର ଚାଲିବାର ଅଭ୍ୟାସ ନାହିଁ ।

 

ରାସ୍ତାକୁ ଚାହିଁ ନଟବାବୁ କହିଥିଲେ–କାଦୁଅରେ ଚାଲିବା ଅଭ୍ୟାସ ନାହିଁ । ପଥୁରିଆ ମାଟି ଚାଲିବାକୁ ସହଜ ।

 

–ଏଁ ! କଙ୍କରିଆ ମାଟିରେ ଗୋଡ଼ରୁ ଚମ ଉଠିଯିବ । ମଣିଷ ଖାଲି ଲହୁଲୁହାଣ ହେବ । ଚାଲିବ କେମିତି ? ଆପଣ ତ ଏଡ଼େ ନରମ ବାଟରେ ଚାଲିପାରୁନାହାନ୍ତି !

 

ହସି କହିଥିଲେ ଟାଣ ବାଟରେ ଚାଲିବା ଲୋକ ନରମ ବାଟରେ ଚାଲିପାରେ ନାହିଁ । ଆଉ ସ୍କୁଲ କେତେ ବାଟ ?

–ହେଇ ହେଲା ଆସି । ସେଇ ଯୋଉଁ ତୋଟା ଆରପାଖେ ନଡ଼ିଆ ଗଛ ଦିଶୁଛି ତା’ରି ଭିତରେ ।

–ଆଗରେ ଯେ ପାଣି; ଯିବା କେମିତି ?

–ପଶାବାଟ ଅଛି । ତେବେ ତଳେ କାଦୁଅ ।

–ଯାଇ ହେବ ନାହିଁ । ଗୋଡ଼ରେ କାଦୁଅ ବାଜିଲେ କେମିତି ଅଡ଼ୁଆ ଲାଗୁଛି । ମୋଟେ ପାଦ ସିଧା ବସୁନାହିଁ ।

–ଆପଣ ଚଳିବେ କେମିତି ? ଏ ଅଞ୍ଚଳରେ ଖାଲି ପାଣି ଆଉ କାଦୁଅ–ପଥର ନାହିଁ ।

–ଆଉ ଯିବାର କିଛି ଉପାୟ ନାହିଁ ?

–ନା ।

–ତେତେ ଏଠି ମଣିଷ ଚଳନ୍ତି କିପରି ପାଣି ଭିତରେ ?

–ଅଭ୍ୟାସ । ବାପ ଅଜାଙ୍କ ବେଳୁ ଚଳିଆସୁଛୁ ।

ନଟବାବୁଙ୍କୁ ହଠାତ୍ ବାଟ ଦିଶିଲା–ଠିକ୍ କଥା । ମଣିଷ ଯେଉଁ ଜିନିଷକୁ ନିଜର କରିନିଏ, ସେହି ତାକୁ ଚଳେଇନିଏ । ମନର ଶ୍ରଦ୍ଧା ସବୁ ଅସୁବିଧା ଦୂର କରିଦିଏ । ଶ୍ରଦ୍ଧାର ଅଭାବ ହେଉଛି ସବୁଠାରୁ ବଡ଼ ଅସୁବିଧା । ସେ ହସି କହିଲେ–ହଁ, ମୁଁ ବୁଝିଗଲି ଏଥର । ଚାଲ ପହଞ୍ଚିଯିବା-

ଆଉ ସେ ପଡ଼ିନାହାନ୍ତି । ଗୋଡ଼ ଖସିଲା ନାହିଁ । ନଟବାବୁ ସେହି ନଈ–ପାଟ–ଘେରା ଗାଁଟିକୁ ମନ ଭିତରେ ଆଦରି ନେଲେ ।

–ଏଇ ତେବେ ସ୍କୁଲ । କୋଠା ନାହିଁ ?

–ଆଗେ କେହି ଆମେ କୋଠା କରୁ ନ ଥିଲୁ ଅନିଷ୍ଟ ହେବ ବୋଲି । ଏବେ ବିଗିଡ଼ା କାଳକୁ କୋଠା ହବାର ସୁରୁ ହେଲାଣି ।

–ତେବେ ଏଇ ହେଉଛି ମୋର ନୂଆ ସଂସାର !

ସ୍କୁଲରେ କାମ କଲାବେଳେ ହୁକୁମ୍ ଆସିଥିଲା ପାଠ ପଢ଼ିବାକୁ । ପାଠ ପଢ଼ିଥିବା ଲୋକ ପଢ଼ାଇବାର ପଦ୍ଧତି ନ ଜାଣିଥିଲେ ଶିକ୍ଷକ ହେବାକୁ ଅଯୋଗ୍ୟ । ନଟବାବୁ ଆସିଥିଲେ ପାଠ ପଢ଼ିବାକୁ ।

ସ୍କୁଲରୁ ଆସିବାବେଳେ ସ୍କୁଲର ମମତା ତାଙ୍କୁ ବଡ଼ ବିବ୍ରତ କରିଥିଲା । ସେଠି ଥିଲାବେଳେ ସେ ଛୋଟକୁ ବଡ଼, କରିବାରେ, ମନକୁ ବଢ଼ାଇବାରେ ସବୁ ସମୟ ଦେଇ ନିଜକଥା ଭାବିବାକୁ ବେଳ ପାଉ ନ ଥିଲେ । ସେଇ ଚାଳଘର ତାଙ୍କୁ ବହୁତ ପ୍ରକାରରେ ଖଟାଇଥିଲା । କିନ୍ତୁ ସେ ଦୈନ୍ୟ ଦେଖିନାହାନ୍ତି । ଛୋଟ ଛୋଟ ଛାତ୍ରଙ୍କ ମନରେ ସେ ସରକାରୀ ଅଫିସ୍‍ର ଅନୁଗ୍ରହପ୍ରାର୍ଥୀମାନଙ୍କର ମନର ଅଭାବ ପାଇନାହାନ୍ତି ।

ସ୍କୁଲରେ କଳି ଲାଗେ ବିଭିନ୍ନପ୍ରକାରର ବିଷୟ ନେଇ । ସେଇ କଳିକନ୍ଦଳ ନଟବାବୁଙ୍କୁ ଆଘାତ ଦେଇ ନ ଥିଲା । ସେ ଜାଣିଥିଲେ ଯେ ମଣିଷ ସ୍ଥିର ହୋଇ ବସିପାରେ ନାହିଁ । ନିଜର ଉନ୍ନତି କରି ନ ପାରିଲେ ଅନ୍ୟର କ୍ଷତି କରେ । ନିଜର ମତ ଜାହିର କରି ନ ପାରିଲେ ଚୁଗୁଲି କରେ । ବଡ଼ ହାକିମ ହେବାକୁ ସବୁବେଳେ ଚେଷ୍ଟା କରେ ।

ସ୍କୁଲର ପରିଚାଳକମାନେ ଠିକ୍ ଉପର ହାକିମଙ୍କ ପରି ନାଟବାବୁଙ୍କୁ କାମରେ ଲଗାନ୍ତି । ସେଥିରେ ବି ତାଙ୍କର ଆପତ୍ତି ନାହିଁ । ସେ ମନେ କରନ୍ତି ଯେ ଶିଖିବାକୁ ଆସୁଥିବା ଲୋକକୁ ସେ ପାରୁପର୍ଯ୍ୟନ୍ତ ଶିଖାଉଛନ୍ତି । ଆଉ ତାକୁ ଚିରଦିନପାଇଁ ଗୋଟିଏ ଅଭାବରୁ ଉପରକୁ ଉଠାଉଛନ୍ତି ।

ସବୁ ଚେଷ୍ଟା ତାଙ୍କର ମନ ଅନୁସାରେ ଫଳ ଦିଏ । କେହି କେବେ କୃତଘ୍ନ ହୋଇନାହାନ୍ତି-। ଶିଖାଇବା ଲୋକ ଶିଖାଇଲାବେଳେ ସ୍ନେହ ସହାନୁଭୂତି ଦେଖାଇ ପାରିଲେ, ତା’ର ପରିଶ୍ରମ ବିଫଳ ହୁଏ ନାହିଁ । ସେଥିପାଇଁ ସରକାରୀ ହୁକୁମନାମା ବଳରେ ନଟବାବୁ ପଢ଼ିବାକୁ ଆସିଲାବେଳେ ସେହି ସ୍କୁଲରେ ସମସ୍ତେ ହସିଥିଲେ । ସରକାରୀ ନିୟମ କେମିତି ଭ୍ରାନ୍ତି ଆଣିପାରେ ! ଜାଣିଥିବେ ଲୋକକୁ ଜାଣି ନାହିଁ ବୋଲି କେମିତି ବୁଝାଇପାରେ ।

ଛୁଟି ନେଇ ଆସିବା ଦିନ ସେ ଛାତ୍ରମାନଙ୍କ ସାଙ୍ଗରେ ଛାତ୍ରପରି ବ୍ୟବହାର ଦେଖାଇଥିଲେ । –ଆଜି ମୁଁ ପଢ଼ିବାକୁ ଯାଉଛି । ଯେମିତି ମନ ଦେଇ ପଢ଼ିବି ! ଫେରିଆସିଲେ ପୁଣି ଆମେ ଗୁରୁ–ଶିଷ୍ୟ ହେବା ।

 

ସହକର୍ମୀ ଶିକ୍ଷକମାନେ ଆପଣା ଭିତରେ କୁହାକୁହି ହୋଇଥିଲେ–ନଟବାବୁ ଶିକ୍ଷକର ମାନ ତଳେ ପକାଇ ଦେଇଗଲା । ସ୍କୁଲର ଅପରିଣତ ଛାତ୍ରମାନେ ଏଇ ଗୁରୁତର କଥା କ’ଣ ବୁଝିବେ ?

 

କିନ୍ତୁ ସ୍କୁଲର ଅଧିକାଂଶ ଛାତ୍ର ଭାବର ଆବେଗରେ ନଟବାବୁଙ୍କୁ ବିଦାୟ ଦେଇଥିଲେ । ତାଙ୍କ ଜୀବନରେ କୌଣସି ଶିକ୍ଷକ ତାଙ୍କୁ ତାଙ୍କ ସହିତ ସମାନ ଆସନରେ ବସାଇ ନ ଥିଲା । ସମସ୍ତଙ୍କୁ ଯେ ନିଜ ସହିତ, ଛୋଟ ସହିତ ସମାନ କରିପାରେ, ସେହି ହୃଦୟ ଜୟ କରେ । କିନ୍ତୁ ଏହି ବିଷୟଆଶ୍ରୟର ପ୍ରବୃତ୍ତି ସମ୍ପୂର୍ଣ୍ଣଭାବରେ ଜାଗି ନାହିଁ, ସେମାନେ କେବଳ ଜୟର କଥା ବୁଝନ୍ତି ।

 

ଗଲାବେଳେ କେତେକ ଶିକ୍ଷକ କହିଥିଲେ–ଏଇଟା ଠିକ୍ ହେଲା ନାହିଁ । ସାନକୁ ଉପରକୁ ଉଠାଇବା, ଛୋଟକୁ ବଡ଼ ସାଙ୍ଗରେ ସମାନ କରିବାର ଚେଷ୍ଟା କରିବା ସଂସାରର ନୀତି ବିରୁଦ୍ଧରେ ଯାଏ ।

 

ସେ ହସିଥିଲେ । ଭୁଲ ହୋଇଗଲା । ଜାଣି ଜାଣି କରିନାହିଁ । କରୁ କରୁ ଭୁଲ ହୋଇଯାଇଛି । ଆଉ ଏ ସ୍କୁଲକୁ ଫେରିବି ନାହିଁ ।

 

–ପ୍ରକୃତରେ ନଟବାବୁ ପାଗଳ । ନ ହେଲେ ସରକାରୀ ଚାକିରି ଛାଡ଼ି ଆସନ୍ତେ କାହିଁକି-?

 

–ଆମେ ତ ଖୋଜି ହେଉଛୁ କେମିତି ଏ ଘରୋଇ ଅନୁଷ୍ଠାନରୁ ପଳାଇବାକୁ । ଆଉ ସେ ଏହି ଅନୁଷ୍ଠାନ ଖୋଜି ଆସୁଛନ୍ତି ।

 

–ପାଗଳ ନ ହେଲେ, କିଏ ଏମିତି ଆସନ୍ତା ? ଆସିଲେ ସେଥିରେ ପୁଣି ୟାଠୁଁ ଛୋଟ, ତା’ ସାଙ୍ଗରେ ସମାନ–ସତେ ଯେମିତି ପାହାଡ଼ରୁ ଓହ୍ଲାଇ ଆସିଲେ ବାବାଜୀ ।

 

–କି ବାବାଜୀ ? ବାବାଜୀ କ’ଣ ହଠାତ୍ ଏମିତି ଶିକ୍ଷକରୁ ପ୍ରଧାନ ଶିକ୍ଷକ ହୋଇଯାଏ ? ଲୋକଟା ଭଲ । କାମ ବାଗେଇ ଜାଣେ । ସ୍କୁଲରୁ ଗଲାବେଳେ ଏକାବେଳକେ ଲୋକପ୍ରିୟ ହୋଇଯାଇଛି । ପିଲାମାନେ ଝୁରିବେ–ଜଣେ ମହାତ୍ମା ଚାଲିଗଲେ ବୋଲି ।

 

–ହଁ, ହେଲେ ଚାକିରିଟା ଶିକ୍ଷକ ତ । ନ ହେଲେ ସେ ତ ଏଠି ଗାଦିମାଡ଼ି ବସିଥାନ୍ତେ ନୂଆ କମିଟି ଆସିବାଯାକେ । ସେଇ ତାଙ୍କୁ କଚିରି ପିଣ୍ଡାରେ ଠିଆ କରି ତାଙ୍କର ମହାପୁରୁଷପଣିଆ କାଢ଼ିଥାନ୍ତା । ଭାଗ୍ୟ ଭଲ ।

 

ଦିନକର ଶିକ୍ଷକ ଆଜି ଛାତ୍ର । ତାଙ୍କୁ କିଏ ଗୁରୁ ବୋଲି ମାନୁଥିଲା । ସେ ଏବେ ସାର୍ ସାର୍ ହୋଇ ଚାରିଆଡ଼େ ଧାଉଁଛନ୍ତି ।

 

ତଥାପି ମନରେ ବିକାର ନାହିଁ । ସେମିତି ଏକାଗ୍ର ମନ ନେଇ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ସାଙ୍ଗ ପଢ଼ୁଆ ଛାତ୍ରମାନେ କେହି କେହି ଘୃଣା କରୁଥିଲେ ବି ଶିକ୍ଷକମାନେ ତାଙ୍କୁ ଆଦର କରୁଥିଲେ ।

 

ପ୍ରିନ୍‍ସିପାଲଙ୍କ କୋଠରୀ ଭିତରେ ଦିନେ ତାଙ୍କରି କଥା ପଡ଼ିଥିଲା । ଏଇ ପ୍ରକାରର ଶିକ୍ଷକ ବଢ଼ିଲେ ଶିକ୍ଷାର ଉନ୍ନତି ହୁଅନ୍ତା ।

 

ନଟବାବୁ ସେ ବାଟେ ଗଲାବେଳେ ତାଙ୍କୁ ଡକରା ଆସିଥିଲା । ସେ ଯାଇ ସେମିତି ନିର୍ବୋଧ ପରି ଚାହିଁଥିଲେ ।

 

–କ’ଣ ପଢ଼ା ସରିଲା ଏଥର ? ଆଉ ବର୍ଷେ ପଢ଼ିଲେ ଅଧ୍ୟାପକ ହୋଇପାରିବ । ପ୍ରିନ୍‍ସିପାଲ କହିଲେ ଭାରି ଉତ୍ସାହରେ ।

 

ସେ ଚାହିଁରହିଲେ ତାଙ୍କ ମୁହଁକୁ ।

 

ପ୍ରିନ୍‍ସିପାଲ ପଚାରିଲେ–କ’ଣ କହୁଛ ?

 

–ମୁଁ ଅଧ୍ୟାପକ ହୋଇ କ’ଣ କରିବି ?

 

–କଲେଜରେ ପଢ଼ାଇବ । ବେଶି ଦରମା ପାଇବ ।

 

–ଅଣ୍ଟିବ ନାହିଁ । ପିଲାମାନେ ବଡ଼ ହୋଇଗଲେଣି ।

 

–ହେଲେ ଟଙ୍କା ପାଇବ ତ ।

 

–ସହରରେ ରହିବି । ଦରମା ଯାହା ବଢ଼ିବ ଖର୍ଚ୍ଚକୁ ନିଅଣ୍ଟ ହେବ । ଅଧ୍ୟାପକ ହେଲେ ଛୋଟ ପିଲା ମିଳିବେ ନାହିଁ ପଢ଼ାଇବାକୁ । ବଡ଼ ପିଲା କ’ଣ ଶିଖନ୍ତି ?

 

ସମସ୍ତଙ୍କ ମୁହଁରେ ଗୋଟାଏ ଅସ୍ଵସ୍ତିର ଛାପ ଲାଗିଗଲା । ଜୀବନର ଉନ୍ନତି ବିଚିତ୍ର ପ୍ରକାରରେ ମାପୁଛି ଏହି ଲୋକଟା ।

 

ଅଧ୍ୟାପକମାନଙ୍କୁ କହୁଛି ଯେ ତାଙ୍କର ଚାକିରିରେ ମାନ ନାହିଁ କି ଅର୍ଥ ନାହିଁ ।

 

–ତେବେ କ’ଣ ଆମେ ସବୁ ଭୁଲ କରୁଛୁ ?

 

–ନାହିଁ ସାର୍, ଆପଣଙ୍କ ପାଇଁ ଯେଉଁଟି ଭଲ, ଆମପାଇଁ ସେଇଟା ଭଲ କେମିତି ହେବ-?

 

–ତମେ ତାହାହେଲେ ସବୁଦିନେ ସେମିତି ମାଷ୍ଟର ହୋଇ ରହିବ ?

 

–ନ ରହିବି କାହିଁକି । ନିଜ ଇଚ୍ଛାରେ ତ ଆସିଛି ।

 

–ତମକୁ ଉପରକୁ ଉଠାଇଲେ ?

 

–ବଡ଼ ଦୁଃଖ ପାଇବି । ସହକର୍ମୀମାନଙ୍କୁ ଶାସନ କରିବାକୁ ହେବ । ସେମାନେ ମୋର ଶତ୍ରୁ ହେବେ । ବନ୍ଧୁ ହେବେ ନାହିଁ । ଛାତ୍ରମାନେ ମୋତେ ସ୍ନେହ ନ କରି ଭୟ କରିବେ ।

 

–ଆମେ କ’ଣ ତୁମକୁ ଭୟ ଦେଖାଉଛୁ ? ପ୍ରିନ୍‍ସିପାଲ ପଚାରିଲେ ।

 

–ନାହିଁ ସାର୍ ।

 

–ତେବେ ?

 

–ଛୋଟ ପିଲା ଭୟକୁ ଡରନ୍ତି । ସ୍ନେହ ଖୋଜନ୍ତି । ସେମାନେ ଶାସନ ଚାହାନ୍ତି ନାହିଁ । ଆଉ ଆମେ ଚାହୁଁ ଶାସନ ।

 

–ତେବେ ବଡ଼ ହେବାକୁ ତମର ଡର କାହିଁକି ?

 

–ଆମେ ଛୋଟ ମଣିଷ । ଶାସନକୁ ଅକ୍ଷମ । ସେବାକୁ ଯୋଗ୍ୟ ।

 

ସେଦିନ ନଟବାବୁ ଚାଲିଗଲାପରେ ସେଠି ଆଲୋଚନା ହୋଇଥିଲା ଯେ ନଟବରଙ୍କ ପରି ପାଗଳ ଲୋକ କିଛି ବୁଝନ୍ତି ନାହିଁ । ସେମାନେ ବୁଝନ୍ତି ଯେ ଖାଲି ତଳେ ବଡ଼ ପଣିଆ ଅଛି । ଆଉ ମଣିଷ ବଡ଼ ହେଲେ ଛୋଟ ହୋଇଯାଏ ।

 

ଏ ପ୍ରକାରର ଲୋକ ବଡ଼ ବିପଦ ସମସ୍ତଙ୍କୁ । ସେମାନଙ୍କର ଧାରଣା ତଳିଆ ଲୋକଙ୍କୁ ଉତ୍ତେଜନା ଦିଏ ।

 

ପ୍ରିନ୍‍ସିପାଲ ହସି କହିଥିଲେ–ଏ ପ୍ରକାରର ଲୋକକୁ କଳକାରଖାନାରେ ଲଗାଇବା ଉଚିତ । ଖଟିବେ ଖାଇବେ । ମଣିଷ ଗଢ଼ିବାରେ ଲଗାଇଲେ ଏମାନେ ମଣିଷକୁ ସଂସାରର ଯୁଦ୍ଧପାଇଁ ତିଆରି ନ କରି ସେମାନଙ୍କୁ ବିରୋଧୀ ଅସ୍ତ୍ରପରି ଗଢ଼ିବେ ।

 

–ଏ କ’ଣ ଠିକ୍ ? ଅଧ୍ୟାପକମାନେ ପରସ୍ପର ଯୁକ୍ତି ଦେଖାଇ ଆଲୋଚନା କରିଥିଲେ ନଟବର ବାବୁଙ୍କ ବିଷୟରେ ।

 

ପ୍ରକୃତରେ ସେ କ’ଣ ପାଗଳ !

☆☆☆

 

ବାବୁ

 

ପେନସନ୍ ପାଇବାର ପାଞ୍ଚ ବର୍ଷ ହୋଇଗଲାଣି । ପଢ଼ିଲାବେଳେ ମୁରବି ଦି’ବର୍ଷ ବୟସରୁ ଲୁଚେଇ ଦେଇଥିଲେ । ଏମିତି ହେଲା ବା’ଷଠି । କଳିଷଠା ଟପି ବୟସ ଯମକୁ ଦି’ବର୍ଷ ଆଖିମିଟିକା ମାରିଲାଣି । ଚାକିରିରେ ଉନ୍ନତି କରିଥିଲେ । ଚାକିରି ସରିବା ପରେ ବି ନାନାପ୍ରକାର କାର୍ଯ୍ୟରେ ଲାଗିରହି ସେ ଭଲ ଚାରି ପଇସା କମାଉଛନ୍ତି । ପିଲାମାନେ ପାରି ଗଲେଣି । ସଂସାରର ବିଷୟ ଆଶ୍ରୟ ତାଙ୍କୁ ଚାହିଁ ହୋଇଛି ।

 

କିନ୍ତୁ ପ୍ରକୃତି ବଦଳି ନାହିଁ । କଥା ଅଛି ମଣିଷ ମଲାବେଳକୁ ପ୍ରକୃତି-ଛଡ଼ା ହୁଏ । ଭଲ ମଣିଷ ଖରାପ ହୋଇଯାଏ । ସେମିତି ଖରାପ ମଣିଷ ବି ଭଲ ହୁଏ । ସେ ତ ବଦଳି ନାହାନ୍ତି । ତେଣୁ ତାଙ୍କର ବୟସର ଥାଳ ଖାଲି ହୋଇନାହିଁ ।

 

ତାଙ୍କୁ ଦେଖିଲେ କେହି ଶ୍ରଦ୍ଧା କରୁ କି ନ କରୁ ସେ ସମସ୍ତଙ୍କ ସାଙ୍ଗରେ ମିଶି ପାରନ୍ତି । ଦେହରେ ତରୁଣସୁଲଭ ବଳ ଓ ଉତ୍ସାହ ଅଛି । ପରିଶ୍ରମୀ, ନିରଳସ, ଉତ୍ସାହୀ, ଓ ଉଦ୍ୟମୀ ।

 

ସବୁ ଭଲ । ଖାଲି ଗୋଟିଏ ଗୁଣ ଛାଡ଼ି–ବଡ଼ ହିଂସାପରାୟଣ । ବଡ଼ ପ୍ରତିଶୋଧପ୍ରିୟ । ମନର ଗତି କୁଟିଳ । ଅନ୍ୟଠାରୁ ସବୁ ଅସୁଲ କରିନେବାରେ ବଡ଼ ଧୁରନ୍ଧର ।

 

ଏସବୁ ନ କଲେ କେହି ତା’ର ଜୀବନରେ ସାଂସାରିକ ପରାକାଷ୍ଠା ଦେଖାଇପାରେ ନାହିଁ-। ସଂସାରର ଉନ୍ନତି ବିଷୟରେ ଯେଉଁ ଆଇନକାନୁନ ଚଳେ, ଗଛଲତା, ପଶୁପକ୍ଷୀଙ୍କ ଜୀବନ୍ତ ସମାଜରେ ଠିକ୍ ସେଇ ଆଇନକାନୁନ ଚଳେ । ବଳୁଆ ଅଧିକ ବଳିୟାର ହୁଏ, ଆଉ ଦୁର୍ବଳ ଆଉରି ନିକମା ହୋଇଯାଏ ।

 

ସେ ଚାକିରିରେ ଏମିତି କୁଟିଳତା ଓ ଦୁର୍ଗଣର ସିଡ଼ିରେ ଗୋଡ଼ ଦେଇ ଧାସେ ଧାସେ ହୋଇ ଉଠିଯାଉଥିଲେ । ଯେତିକି ଯିବା କଥା ସେତିକି ଯାଇଛନ୍ତି । ମନ୍ତ୍ରୀଙ୍କୁ ଚିହ୍ନନ୍ତି–ମନ୍ତ୍ରୀ ହସି କଥା କହନ୍ତି । ଲାଟସାହେବ ଡାକନ୍ତି–ସେ ଯା’ନ୍ତି ଆଉ ଫେରିଆସନ୍ତି ବିଜୟୀର ଉଲ୍ଲାସ ନେଇ । ତାଙ୍କର ସମାଜରେ ଖ୍ୟାତି ଅଛି । କିନ୍ତୁ ମଣିଷ ପାଖରେ କିଛି ନାହିଁ ।

 

ତାଙ୍କ ପାଖରେ ଚଳୁଥିବା ତଳିଆ ଲୋକେ ବଡ଼ ହରବର ହୁଅନ୍ତି । ସେ ସେମାନଙ୍କୁ ବୁଝାନ୍ତି ଯେ ସମସ୍ତେ ନିୟମ ମାନି କର୍ତ୍ତବ୍ୟ କରିବା ଉଚିତ । ସେ କାମ କୁଆଡ଼େ ହୁଏ ନାହିଁ । ଚାକରମାନେ ଟଙ୍କା ନିଅନ୍ତି ବେଶି । ଏଣେ କାମକୁ ଖଇଚା ରଖନ୍ତି । କର୍ମଚାରୀମାନେ ଖଟନ୍ତି କମ୍ ଆଉ ଦାବିି କରନ୍ତି ବେଶି । ବନ୍ଧୁମାନେ ଦିଅନ୍ତି କମ୍ ଆଉ ନିଅନ୍ତି ବେଶି ।

 

ତାଙ୍କର ସମସ୍ତଙ୍କ ଉପରେ ଅଭିଯୋଗ । ସେଥିପାଇଁ ସମସ୍ତେ ତାଙ୍କୁ କେଁ–କେଇଁଆ ବୋଲି କହନ୍ତି । ମୁଣ୍ଡର ଧଳା ବାଳରେ କଲପ ଲଗାଇ, ପାଲିସ ଖିଅରରେ ଧଳା ଦାଢ଼ି ଲୁଚାଇ, କ୍ଷୀପ୍ର ଚାଲିରେ ପ୍ରୌଢ଼ତ୍ୱ ଛପାଇ ସେ ନିଜକୁ ଯେତିକି ସୁନ୍ଦର ସୁଠାମ କରିବାକୁ ଚେଷ୍ଟା କରନ୍ତି, ତାଙ୍କର ମନ ସେତିକି ଅସୁନ୍ଦର ରହିଯାଏ ।

 

ଭିତରର କୁତ୍ସିତ ରୂପ ସବୁବେଳେ ଦିଶେ ନାହିଁ । ଅତି ନିକଟକୁ ଆସିଲେ ବ୍ୟବହାର ଭିତରେ ରେସାରେସି, କଷାକଷି ଅଧିକ ହେଲେ ଯାହା ଜଣାପଡ଼େ । ନିଜେ ବି ନିଜର ଖରାପ ଗୁଣ ବୁଝିବା କଷ୍ଟ । ପସାରୁଣୀ ପତ୍ରର ଗନ୍ଧପରି ଶିରା ପ୍ରଶିରାରେ ଭେଦ ଥାଏ । ହିଂସ୍ର ଜନ୍ତୁଙ୍କ ହିଂସାପରି ସେଇଟା ତ ଜୀବନର ଧର୍ମ–ସେଇ ପ୍ରାଣୀର ଭୂଷଣ । ତେଣୁ ଯେଉଁ ମଣିଷର ଯାହା ଖରାପ, ତାକୁ ସେ ତ ବୁଝେ ନାହିଁ ।

 

ସେହି ରକ୍ତରୁ ଯେଉଁମାନଙ୍କ ଉତ୍ପତ୍ତି–ସେମାନେ ବି ବୁଝନ୍ତି ନାହିଁ । ମନର ମନ ସାଙ୍ଗରେ କଷାକଷି ହେଲେ ଯାହା ଟିକିଏ ଜାଣି ହୁଏ । ଗଧିଆ ପରସ୍ପର ଚିହ୍ନିଲା ପରି–ଏକା ଫଳର ମଞ୍ଜି ।

 

ଏମିତି ଅତ୍ୟାଚାରର ଛତା ଧରି କେତେ କୁଟିଳମନା ଲୋକ ଏଇ ପୃଥିବୀର ସବୁ ସ୍ଥାନଅସ୍ଥାନରେ ଠିଆହୋଇ ରହିଛନ୍ତି । ସେଥିଭିତରୁ ଆମ ବାବୁ ବି ଜଣେ । ତାଙ୍କର ଭୟ ବହୁତ ବେଶି–ଅଭିଯୋଗ ଯେତିକି ଭୟ ସେତିକି । ଭୟ ଯେତିକି କୁଟିଳତା ସେତିକି । ପିଲାଦିନରୁ ଯାହା ଅଭ୍ୟାସ କରିଥିଲେ ସେ ସବୁ ପାକଳ ହୋଇଛି । ପରର ପରିଶ୍ରମ ଲୁଟି କରି ତାଙ୍କର ପୁଞ୍ଜି ବଢ଼ିଛି-। ପରର ସୁବିଧା କରି ନିଜର ସୁବିଧା କରିଛନ୍ତି । ପରର ମାନ ସମ୍ମାନ ଖାଇ ନିଜକୁ ମଣିଷ ବୋଲାଇଛନ୍ତି । ସବୁ କରି ସେ ହୋଇଛନ୍ତି ବାବୁ । ବାବୁ ହେଲା ପରେ ସେ ପାଇଛନ୍ତି ଆଧିପତ୍ୟ ।

 

ମଣିଷର ପ୍ରକୃତି ହେଲା ବାବୁ ପଛରେ ଧାଇଁବା । ସଂସାରର କଟକଣା ଏମିତି ତିଆରି ହୋଇଛି ଯେ ବାବୁ ପଛରେ ନ ଧାଇଁଲେ ମଣିଷକୁ ମଣିଷ କୁହାଯାଏ ନାହିଁ । ଅତ୍ୟାଚାର କରି ନ ଜାଣିଲେ କେହି ବାବୁ ହୁଅନ୍ତି ନାହିଁ । ଅତ୍ୟାଚାର ବିରୁଦ୍ଧରେ ସଦାସର୍ବଦା ଆନ୍ଦୋଳନ ଚାଲିଥାଏ । କବି, ଲେଖକ, ଚିତ୍ରକର, ବକ୍ତା ସମସ୍ତେ ସବୁଦିନେ ଲେଖୁଥାନ୍ତି ଓ କହୁଥାନ୍ତି । କିନ୍ତୁ ସମସ୍ତଙ୍କ ଆଖି ବାବୁଙ୍କ ଆଡ଼େ । ଆଉ ଆକର୍ଷଣର ମୂଳ ସୂତ୍ର ହେଲା ଅତ୍ୟାଚାର ଓ ଉତ୍ପୀଡ଼ନ ।

 

ଆମ ବାବୁ ବି ସେମିତି ସେଇ ଅଠାରେ ସଂସାରର ସବୁ ଜିନିଷ ଧରି ନେଇଛନ୍ତି । ମନ ଯେତିକି କୁଟିଳ, ହସ ସେତିକି ସରଳ ।

 

ଘରେ ଗୋଟିଏ ଚାକର ଥିଲା । ତାକୁ ସୁପାରିଶ୍ କରିଥିଲେ ବାବୁଙ୍କର ଜଣେ ବନ୍ଧୁ । ଲୋକଟି ସରଳ, ପରିଶ୍ରମୀ ଓ ସଚ୍ଚୋଟ । ଏମିତି ଲୋକଗୁଡ଼ିକ ସବୁବେଳେ ବାବୁଙ୍କର ଲୋଡ଼ା । ଏମିତି ଲୋକଙ୍କୁ ଯେ ପାଇଥାଏ ସେ ସବୁବେଳେ ନିଜର ବଡ଼େଇ କରେ । –ସେ ଭଲ ମଣିଷ ଚଳେଇ ପାରୁଛି ।

 

ମଣିଷ ପାଣିରୁ ବିଜୁଳି କାଢ଼େ । ଗଛକୁ କଲମ କରେ । ମାଟିରୁ ଫସଲ କାଢ଼େ । ଗାଈଠାରୁ ଦୁଧ, ବଳଦଠାରୁ ମେହନତ, ଛେଳିଠାରୁ ମାଂସ, କୁକୁଡ଼ାଠାରୁ ଅଣ୍ଡା–ସବୁ କାଢ଼ି ନେଇପାରେ । ଅଳ୍ପ ପରିସର ଭିତରେ ତାକୁ କୁହାଯାଏ ଚାତୁରୀ, କୌଶଳ, କୁଟିଳତା । ବଡ଼ ପରିସରରେ ସେଇଟା ହୁଏ ବୁଦ୍ଧି, ଉପାୟ ଆଉ ଯୋଜନା ।

 

ସଂଘବଦ୍ଧ ହୋଇ ସେଇ ନିରୀହର ଶୋଷଣ ସବୁବେଳେ ସମ୍ଭବ ହୁଏନାହିଁ । ତେଣୁ ସାଧାରଣ ଗୃହରୁ ତା’ର ସାଧାରଣ ବୁଦ୍ଧିରେ ନିଜ ଘରେ ଗାଈ ରଖୁଆଳ, ବଗିଚା ମାଳି, ଭାଗଚାଷୀ, ଘରୋଇ ମାଷ୍ଟର, ଦରିଦ୍ର ବନ୍ଧୁ, ପରାଶ୍ରୟୀ କୁଟୁମ୍ବ, ଆଉ ଦରମାଭୋଗୀ ଚାକରକୁ ଏଇ ଯନ୍ତ୍ରରେ ପକାଇ ନିଜର ସୁଖ ସୁବିଧା ଅସୁଲ କରୁଥାଏ ।

 

ଦାସିଆ ସେଥିଭିତରୁ ଜଣେ । ଯେଉଁଦିନ ଦାସିଆ ଆସି ବାବୁଙ୍କ ପାଖରେ ଦେଖାଦେଲା, ଦାସିଆର ମୁହଁରେ ସରଳ ହସ–ସବୁ ଜିନିଷରେ ତା’ର କୌତୂହଳ । ବାବୁଙ୍କର କୋଠା, ବାଗବଗିଚା, ଗାଈ, କୁକୁର, ପିଲାପିଲି ସମସ୍ତେ ।

 

ଅଶିକ୍ଷିତ ଲୋକ ସବୁ କଥାକୁ ଆଖି ତରାଟି ଚାହେଁ । ସବୁ କଥାରେ ଦାନ୍ତ ଦେଖାଏ । କିଛି ତ କହିପାରେ ନାହିଁ । ଅଳ୍ପ ବୁଝେ । ସେଥିପାଇଁ ନିଜର ଅକୁହା କଥା, ପଚାରି ନ ଥିବା ପ୍ରଶ୍ନ ତା’ର ଅଶିକ୍ଷିତ ମୁହଁରେ, ସରଳ ଆଖିରେ କୌତୂହଳ ରୂପରେ ଦେଖାଦିଏ । ସେଥିପାଇଁ ସେ ହସେ-

 

ବହୁତ ଉତ୍ସାହରେ ଦାସିଆ ହସୁଥିଲା ଘରେ । ଘରେ ତିଅଣର ସୁଆଦ ପାଉନଥିଲା । ପେଟପୂରା କରି ଖାଇପାରୁ ନ ଥିଲା । ଏସବୁ ମିଳୁଛି, ଖାଇବାପାଇଁ ଭାବିବାକୁ ହେଉନାହିଁ । ଭାବିବାକୁ ନ ଥିଲେ ଆଉ କିଛି ଭୟ ନାହିଁ । ଭୟ ସିନା ସେଇ ଭାବନାରୁ, ଆଶଙ୍କାରୁ, ଅନିଶ୍ଚିତ ଭବିଷ୍ୟତରୁ ।

 

ଟଙ୍କା ମିଳୁ ନ ଥିଲା–ମିଳିବ । ପେଟ ପୋଡ଼ି ଯାଉଥିଲା ଟୁମୁକେଇ ଖାଇହେବ । ଗାଳି ମିଳୁ ନ ଥିଲା ମିଳୁଛି–ମିଳୁ, କ୍ଷତି ନାହିଁ । ପେଟପାଇଁ ବାବୁମାନେ ନିଜର ମାନ ମହତ, ବୁଦ୍ଧିସୁଧି, ଶିକ୍ଷା ସଂସ୍କୃତି ସବୁ ବିକିଦେଇ ଯାଉଛନ୍ତି–ଭଲ ଖାଇବେ ଆଉ ଭଲ ପିନ୍ଧିବେ ବୋଲି । ଦାସିଆକୁ ଯେତେ ଖଟେଇଲେ ବି, ଯେତେ କଥା ଶୁଣେଇଲେ ବି ଦାସିଆ ସେମାନଙ୍କଠାରୁ ଊଣା କେଉଁଥିରେ-!

 

କୋଠାର ସିମେଣ୍ଟ ଚଟାଣ ଉପରେ ଦାସିଆ ଗୋଡ଼ ଦେଇ ମନେମନେ କହିଥିଲା–ବାବୁ ହେଉଛନ୍ତି ଦେବତା । ଏଇଟା ହେଉଛି ଠାକୁର ଘର । ବେକରେ ପଣତ ପକାଇ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଥିଲା । ତାର ଦୁଃଖ ଠାକୁରେ ଶୁଣିଛନ୍ତି, ତାଙ୍କୁ ଆଣି ବାବୁଙ୍କ ପାଖରେ ପହଞ୍ଚେଇ ଦେଇଛନ୍ତି । ବୁଦ୍ଧି ଥିଲେ ସିନା କୁଟିଳ ହୁଅନ୍ତା । ବାବୁଙ୍କ ପରି ଜାଲ୍ ଫିସାଦି, ହଟ୍‍ଚମଟ ଦେଖନ୍ତା । ଉପାୟ ଜଣାଥିଲା ସିନା ଚୋର ତସ୍କର ହୋଇଯାନ୍ତା । କିଛି ତ ନାହିଁ, ସବୁଥିରେ ନିଃସ୍ୱ । ସବୁ ଚାଲିଗଲା ପରେ ଯେତିକି ବଳିପଡ଼େ ସେତିକି ହେଉଛି ମଣିଷର ଦେବତ୍ଵ । ଦାସିଆର ସେତକ ଥିଲା–ସରଳ ମନ, ମେହନତି ଧିଅ, ଆଉ ସଚ୍ଚୋଟ ପଣିଆ ।

 

ମାଉଁସିଆ ଛେଳି ଅଡ଼ା ହୋଇ ଆସନ୍ତି ସହରକୁ । ବଡ଼ କୁକୁଡ଼ା ଅଣ୍ଡା, ପୁରାସାଳିଆ ଫଳ, ଅଉଲ ନମ୍ବର ତଟକା ପରିବା, ବଡ଼ ମାଛ ଆଉ ଆସନ୍ତି ଏମିତି ଦାସିଆ ପରି ଲୋକ ।

 

ଦାସିଆ ପରି ହୋଇ ନ ଥିଲେ, ସହରକୁ ତ ଆସି ପାରନ୍ତା ନାହିଁ । ଆସି ନାହିଁ । ଅବକାରୀ ସିପେହୀ ଛକ ମୁଣ୍ଡରେ ଦରାଣ୍ଡନ୍ତା । ଥାନାର ସିପେହୀ ଜାତିଗୋତ୍ର ବୁଝନ୍ତା । ବାବୁମାନେ ଚଷମା ଭିତରୁ, କୋଟ ପ୍ୟାଣ୍ଟ୍ ଭିତରୁ ଆସୁ ନ ଆସୁ ଜେରା ଆରମ୍ଭ କରିଦିଅନ୍ତେ । ସହର ତଳରୁ ବାସ ଉଠନ୍ତା । ଦାସିଆ ଆସିଛି–ସୁପାରିସ୍ ପାଇ । ଦାସିଆ ନିଶ୍ଚୟ ଭଲ ମଣିଷ ।

 

କଳିଯୁଗ ହେଲେ ବି ଭଲ ମଣିଷ ସଂସାରରୁ ସରିନାହାନ୍ତି । ଠାକୁରମାନଙ୍କର ସମ୍ପତ୍ତି ସରକାର କାଢ଼ିନେବା ପରେ ସହରରେ କଟୁଆଳ ବଢ଼ିବା ପରେ, ସାହିକୁ ସାହି ଥାନା ଫାଣ୍ଡି ଖୋଲିବା ପରେ, ସହରଭଳି ପେଣ୍ଠ ଜାଗାରେ ଆସି ରହିଯାଇଛନ୍ତି ପୁରାଣ ଯୁଗର ରାକ୍ଷସ ପରି ଗୁଡ଼ାଏ ଲୋକ । ଆଉ ସହରର କଇଦିଖାନା ଭିତରେ ରଖା ହୋଇଛନ୍ତି ଗଦାଏ ଲୋକ । ତାରି ଭିତରକୁ ଠେଲି ଦେବାକୁ ଦଳେ ଲୋକ ବାହାରୁ ଲାଗିଛନ୍ତି । ଆଉ ଭିତରେ ରହି ବାହାର ଲୋକକୁ ତଳିତଳାନ୍ତ କରିଦେବାକୁ ସେମିତି ପୁଳାଏ ଅହରହ ପାଞ୍ଚୁଛନ୍ତି । ସଂସାରଟା ତ ଖାଲି ରାକ୍ଷସଙ୍କ ଦ୍ଵାରା ଚଳିବ ନାହିଁ । ସେଠି ଦରକାର କେତୋଟି ଦେବତା । ସେଇ ଦେବତାରୁ ଜଣେ ହେଉଛି ଦାସିଆ । ଯେଉଁ ଘରକୁ ଠାକୁର ମନ୍ଦିର ବୋଲି ଭାବି ନିଜକୁ ପାପୀ, ପତିତ ବୋଲି ମନେ କରି ଦାସିଆ ଆସି ଛିଡ଼ା ହୋଇଥିଲା, ସେଇଟା ପ୍ରକୃତରେ ଗୋଟିଏ ରାକ୍ଷସର ଘର । ବାବୁ ହେଉଛନ୍ତି ରାକ୍ଷସ । ତାଙ୍କର ଖିଜିମତ୍ କରିବାକୁ ସେ ଖୋଜୁଥିଲେ ଗୋଟିଏ ଠାକୁର । ସେ ହେଉଛି ଦାସିଆ ।

 

ଖରାପ ରାଜ୍ୟରେ ଅନୀତି ବେଶି । କଳିକାଳର ଧନୀ ଅନୁସରି ଦାସିଆ ତା’ର ସଦ୍‍ଗୁଣ ଯୋଗୁ ବାବୁଙ୍କ ଗୋଡ଼ତଳେ ପଡ଼ିଥିଲା । କିନ୍ତୁ ତା’ର ମୂର୍ଖ, ଅନାହାରୀ, ଅଭାବୀ ଜୀବନରେ ସେ ଏତେ ଭଲ ଗୁଣ ଏତେ ଖାଣ୍ଟି ମନ ରଖିପାରିଥିଲା ଯେ ବାବୁ ତାଙ୍କର ଉଞ୍ଚା ସିମେଣ୍ଟ ପିଣ୍ଡା ଉପରୁ ଓହ୍ଲାଇ ଦାସିଆକୁ ଓଳଗି ହୋଇଥାନ୍ତେ ସିନା ।

 

ସେମିତି ତ ହେବାର କଥା ନୁହେଁ । ଟଙ୍କା ପାଇଲେ ସବୁ ଜିନିଷ କିଣି ହୁଏ । ଭଲ ମଣିଷ କାହିଁକି କିଣି ନ ହେବ ? ଦାସିଆ କିଣା ହୋଇ ଆସିଛି । ତାହାର ବଳ ବୟସ ସେ ବାବୁଙ୍କ ଗୋଡ଼ତଳେ ଝାଡ଼ିଝୁଡ଼ି ଦେଇଯିବ । ତେବେ ବି ବାବୁ ତାଙ୍କ ଟିପାଖାତାରେ ଲୁଚେଇ ଲୁଚେଇ ସବୁ ଲେଖି ଦେଇଥିଲେ । ଯେବେ ଦାସିଆ ତାଙ୍କର ଘଡ଼ି, କଲମ, ମଇଳା ମୋଜା କି ଛିଣ୍ଡା ଗେଞ୍ଜି ଚଚୋରି କରେ ତେବେ ସେ ତାକୁ ନେଇ କଇଦିଖାନାରେ ଠୁଙ୍କିବେ ।

 

ଦାସିଆର ସେଥିପ୍ରତି ନଜର ନାହିଁ କାରଣ ବାବୁଙ୍କର କୁଟିଳ ମନର ଗୋଟିଏ ଧାସ, ଟିକିଏ ଛପା ତା’ଉପରେ ଲାଗି ନାହିଁ ।

 

ଦାସିଆ ମୁହଁରେ ହସ । ସେ ହସରେ ମାଧୁର୍ଯ୍ୟ ନାହିଁ, କମନୀୟତା ନାହିଁ, ସଂକ୍ରାମକ ହିଲ୍ଲୋଳ ନାହିଁ, ହସରେ ଅନ୍ୟକୁ ପଟେଇ ନେବା ପାଇଁ କୌଣସି କୌଶଳ ନାହିଁ । ଛେଦା ଲୁଗାପରି, ସଫା ପାଣିପରି ସରଳ କଥାପରି ଏକାବେଳକେ ନିରସ ।

 

ଦାସିଆ ବାବୁଙ୍କ ଘରେ ତା’ର ଜୀବନର ଗୋଟିଏ ଅଧ୍ୟାୟ ଆରମ୍ଭ କରିଦେଲା । ଦିଏ ବହୁତ, ନିଏ କମ୍ । ଯେତେ ବଳିପଡ଼େ ଦାସିଆ ହୁଏ ସେତିକି ଭଲ ।

 

ବାବୁଙ୍କ ତୁଣ୍ଡରେ ସବୁବେଳେ ଦାସିଆ ବସା ବାନ୍ଧିଥାଏ । ବାବୁ କହନ୍ତି ଯେ ଦାସିଆ କାମ ନ କଲେ ତାଙ୍କୁ ସୁଖ ଲାଗେ ନାହିଁ । ସମସ୍ତେ ବି ସେଇ କଥା କହନ୍ତି । ସମସ୍ତଙ୍କର ଦାସିଆ ପ୍ରିୟ । ସବୁରି କାମ ଦାସିଆ ଉଠାଏ । ଦାସିଆର ଫୁରସତ ନାହିଁ । ତା’ର ଦାୟିତ୍ଵ ବେଶି । ସେଇ ଘର ଜଗିବ । ଘର ଝାଡ଼ିବ । ଆଉ ଘରକୁ ସଜାଡ଼ିବ । ସେ ସାଧୁ, ବିଶ୍ଵାସୀ, ଆଉ ଭଲ ।

 

ବାବୁ ମନେମନେ ଖୁସି ହୋଇ ଭାବନ୍ତି–ମୋ କପାଳ ଯୋଗୁଁ ଭଲ ଲୋକଟିଏ ମିଳିଲା-। ଜୀବନରେ ସେ କାହାକୁ ବାଧ୍ୟ ନ ହେଲେ ସୁପାରିସ୍ କରୁ ନ ଥିଲେ । ତାଙ୍କରି କୁଚକ୍ରୀ ମନ ଭିତରୁ ଦାସିଆ ତାଙ୍କର ଶତଗୁଣ ପ୍ରଶଂସା ଅସୁଲ କରିନେଇଥିଲା ।

 

ବାବୁଙ୍କ ପାଖରେ ଦାସିଆ ବଡ଼ ମୂଲ୍ୟବାନ୍ । ନିଜର ଆଉ ସବୁ ଧନ ସମ୍ପାଦିଲା ପରି ଦାସିଆ ବାବୁଙ୍କର ମନଭିତରେ ପେଡ଼ିସାଇତା ହୋଇଥିଲା ।

 

ଦାସିଆ ବୁଝୁ ନ ଥିଲା ନିଜର ମୂଲ୍ୟ । ବୁଝିପାରିଥିଲେ ସେ ତା’ର ମୂଲ ଅସୁଲ କରି ନେଇଥାନ୍ତା । ଆଉ ସେ ବାବୁଙ୍କ ପାଖରେ ସେତେ ଉଚ୍ଚ ସେତେ ମୂଲ୍ୟବାନ୍ ହୋଇପାରନ୍ତା ନାହିଁ । ୟେ ବି ସଂସାର ଚକ୍ରର ଗୋଟିଏ ପଇ ।

 

ବାବୁଙ୍କର ଦୂର ଜମି ଉଜୁଡ଼ି ଯାଉଛି । ମାଣେ ପଇସା ଫୋପାଡ଼ି ଜମି କରିଛନ୍ତି । ଆମଦାନୀ ହେଉନାହିଁ । ଏତେ ଦୂରରେ ବୁଝାସୁଝା କରିବାକୁ ଲୋକ ନାହାନ୍ତି । ମୂଲିଆଯାକ ଠକୁଛନ୍ତି । ବାବୁଙ୍କର କ୍ଷତି ପଡ଼ୁଛି । କ୍ଷତି ହେବାର ଦେଖିଲେ ବାବୁମାନେ ଏକାବେଳକେ ଚିଡ଼ିଯାନ୍ତି-। ବାବୁଙ୍କର ମନ ଭାରି ଖରାପ ହୋଇଯାଇଥିଲା ।

 

–ଗୋଟିଏ ଉପକାର କରନ୍ତୁ ନାହିଁ ଦାସିଆ ?

 

–କ’ଣ ଆଜ୍ଞା ? ସେମିତି ଦାନ୍ତ ଦେଖାଇ ଦାସିଆ ପଚାରିଲା ।

 

–ଆରେ ସେଇ ଜମି ବାଟିକ ଏକଚକିଆ । କିଛି ଆମଦାନୀ ହେଲା ନାହିଁ । ତୁ ପରା ଚାଷକାମ ଜାଣୁ ?

 

–ଜାଣେ ନାହିଁ ? ଭଲ ଜାଣେ ।

 

–ହଳ ବଳଦ ଅଛି, ରହିବାକୁ ଘର ଅଛି, ତୁ ହବୁ ମାଲିକ–ଦି’ଜଣ ଲୋକ ଅଛନ୍ତି । ଯିବୁ-?

 

–ତେମେ ଯେବେ କହିବ ?

 

–ତୋ’ର କିଛି ଅସୁବିଧା ହେବନି । ଭଲରେ ରହିବୁ । ଆଉ ଏତେ ନଟଖଟ୍ କାମ ନାହିଁ-

 

–ତମ ଇଚ୍ଛା । ଦାସିଆର ଦାନ୍ତ ଚାରୋଟି ସେମିତି ତା’ର ଓଠ ଭିତରୁ ବାହାରି ଆସିଲା-। ବାବୁଙ୍କ ଭଲପାଇଁ ତା’ର ଜୀବନ ।

 

ଦାସିଆ ସେହି ହପ୍ତାରେ ଜମିକୁ ଚାଲାଣ ହୋଇଗଲା ।

 

ସେଠି ଆଉ ଯୋଡ଼ିଏ ଲୋକ–ସେମାନେ ଦେବତା ନୁହନ୍ତି । ଦିନେ ଦାସିଆ ପରି ଦେବତା ଥିଲେ । ଦେହରୁ ବେଶ୍ ଝାଳ–ନିଗିଡ଼ିଲା ବଳଦ ଯେତିକି ଆଦର ପା’ନ୍ତି ତହିଁରୁ ଊଣା ପାଇଲେ । ମୂଲ ବଢ଼ିଲା ନାହିଁ, ପିଲା ବଢ଼ିଲେ । ବାବୁଙ୍କର ଆମଦାନୀ ଯେତିକି ଭଲ ହେଲା, ତାଙ୍କର ଦୟା ସେତିକି ଊଣା ହେଲା । ସବାର ସାଙ୍ଗକୁ ଯୋଡ଼ପରି ସେମାନେ ବି ବଦଳିଲେ । ବାବୁ ସେମାନଙ୍କୁ ପୁଅ କରିଥିଲେ, ଏବେ ଘୃଣା କଲେ । ସେଇ ତ୍ୟାଜ୍ୟପୁତ୍ର ଦୁଇଟି ଏବେ ଦାସିଆର ସାଙ୍ଗ ।

 

ସେମାନେ ଦାସିଆକୁ ଖଟେଇଲେ ଆଉ ନିଜେ କଲେ ଚୋରି । ଖାଲି ଧାନ ଚାଉଳ, ହାତ ହତିଆର ଚୋରିକୁ ପୁଲିସ୍ ଜଗେ । ମେହନତ ଚୋରି, ଚୋରିତଳେ ସୁମାରି ହୁଏ ନାହିଁ । ଦାସିଆ ଖଟେ ।

 

ମଣିଷର ଥରେ ଅଭ୍ୟାସ ହୋଇଗଲେ ସେ ଆଉ ଅଭ୍ୟାସ ଭାଙ୍ଗିବାକୁ ଚାହେ ନାହିଁ । ପାଠ ପଢ଼ିଗଲେ ଯେମିତି ଯେଉଁ ପାଠ ମନକୁ ଘେନିଥାଏ, ସେ ପାଠ ଛଡ଼ା ଆଉ ପାଠ ସୁଖ ଲାଗେ ନାହିଁ । ବିଡ଼ି, ପାନ, ସିଗ୍ରେଟ୍, ବିଜୁଳି ଆଲୁଅ, ବିଜୁଳି ପଙ୍ଖା, ଆରାମ ଖଟ, ଚପରାସି, ଟେଲିଫୋନ, ଘଡ଼ି, କଲମ, ଯାହା ମନକୁ ଯେମିତି ଘେନେ ସେଥିରୁ ବ୍ୟତିକ୍ରମ ହେଲେ ଆଉ ତ ଲେଉଟି ଯାଇ ହୁଏ ନାହିଁ । ସେମିତ ଥରେ ଦେବତ୍ଵ କଟିଯାଇ ପାପୀ ହୋଇଗଲେ ଆଉ ତ ସେଇ ଖୋଳ ଛାଡ଼ି ହୁଏ ନାହିଁ ।

 

ଲୋକ ଦୁଇଟି ଦାସିଆ ପରି ହେଲେ ନାହିଁ । ଏକା ବାବୁଙ୍କର ଏକା ବିଲରେ ହଳ କଲେ ବି ସେମାନେ ହେଲେ ଦୁଇ ଦଳ ।

 

ବାବୁଙ୍କ ଜିନିଷ ଚୋରି ହୁଏ, ବାବୁ ଗୁଇନ୍ଦା ଲଗେଇଥାନ୍ତି । ଥରେ ପାଇଲେ ଗୋଟିଏ ଚୋରିର ସୁରାକ । ବାବୁ ରଖିଥିବା ଦହୁଡ଼ା ଲୁହାଖଣ୍ଡେ ଚୋରି ହୋଇଯାଇଛି ।

 

ଦାସିଆ ଖବର ଦବା ଆଗରୁ ବାବୁ ଖବର ପାଇଲେ ଯେ ତିନିହେଁ ମିଶି ଛ’ଅଣା ପାଇଛନ୍ତି–ପାଖ ବଜାରରେ ଲୁହା ଖଣ୍ଡିକ ବିକ୍ରି ହୋଇଥିଲା ଛ’ଅଣାରେ । ବାଣ୍ଟକୁଣ୍ଟ ନେଇ କଳି ହେଲା, ସେଥିପାଇଁ ବାବୁ ଜାଣିଲେ ।

 

ବାବୁଙ୍କର ତ ବୁଦ୍ଧି ବହୁତ । ସେ ଜୀବନଯାକ ମଣିଷ ଚରାଇ ଆସିଛନ୍ତି । ସେ ଆସି ବହୁତ ଜେରା, ଧମକ ଚମକ ଦେଲେ । ଦାସିଆର ସେହି ପଦେ କଥା–ସେମାନେ ଚୋରି କରିଛନ୍ତି-

 

ସତ ସିନା କହିଲା । ସତଟାକୁ ତ ଭଲ କରି ବାବୁଙ୍କର ମନକୁ ଘେନିଲାପରି କହିପାରିଲା ନାହିଁ । ବାବୁଙ୍କର ସନ୍ଦେହୀ, କୁଟିଳ, ଲାଟିଖିଆ ମନ ନିରୋଳା ସତ ଧରିପାରିଲା ନାହିଁ-। ସେ କହିଲେ–ତିନିହେଁ ଚୋର । ଆଉ ଦାସିଆ ଚୋରି କରିଛି ।

 

–ଆମେ ଚୋର ନୋହୁ ।

 

–ଆଉ ତେମେ କ’ଣ ? ଜିନିଷ ଗଲା କେମିତି ? ମୋ ଲୁହା ସେଠୁ ବାହାରିଲା କେମିତି ? ଛ’ଣା ପଇସା କୁଆଡ଼େ ଗଲା ?

 

–ଚୋରି କରୁଥିଲେ କେତେ ହୁଅନ୍ତାଣି ।

 

–ଚୋରଙ୍କର ବେଶି ଦିମାକ୍ ।

 

–ହଉ ବାବୁ ଛୁଟିଦିଅ । ତମ ପାଖରେ ରହିଲି ଯେ ଶେଷକୁ ଚୋର ହେଲି ।

 

–ହଉ ଯା’ । ଦିନେ ତୁ ଯିବୁ ଯେ ଜେଲଖାନା ।

 

ଆଖିରେ ଭୟ ନାହିଁ । ସେମିତି ଲୋକପାଇଁ ସିନା ଜେଲଖାନା, ହକ ଖଟି ପେଟ ପୋଷିବା କଥା ।

 

ଦାସିଆ ଚାଲିଗଲା ପୁଣି ତା’ର ଗାଁକୁ । ମନ ଭିତରେ ରହିଗଲା ଗୋଟିଏ ଖେଣ୍ଟା । ଏଇ ବାବୁକୁ ସେ ଏତେ ଦେବତା ବୋଲି ପୂଜା କରୁଥିଲା । ସେଇ ଶେଷକୁ ଦେଲେ ନିନ୍ଦା । କପାଳ ମନ୍ଦ । କାହାକୁ ସେ କହିବ ।

 

ପୁଣି ଗାଁକୁ ଫେରିଯାଇଛି । ଆଉ ସୁଖ ଲାଗେ ନାହିଁ ସେଇ ମାଟି ଘର, ଓଦା ଭୂଇଁ, ଧୋଇ ମରୁଡ଼ି, ପୋକ ମାଛି । ସେ ଦେବଲୋକରୁ ପୁଣି ନରକକୁ ଫେରିଛି । କପାଳ ପୋଡ଼ା, ଗାଁରେ ରହିଲା ବର୍ଷେ ।

 

ଭଲ ଲୋକ ସେମିତି ଖୋଜା ପଡ଼ିଛନ୍ତି । ଚୋରି କରୁ ନ ଥିବା ଲୋକ, ସେଇ ପ୍ରକାର ଲୋକଙ୍କର ଅଭାବ ଏତେ ବେଶି ଯେ ହୁଲିଆଜାରି ହେଲାପରି ମୌଜାକୁ ମୌଜା ଖୋଜା ଲାଗିଛି । ମିଛ ଏତେ ବଢ଼ିଯାଇଛି ଯେ ହନୁମାନ ବିଶଲ୍ୟକରଣୀ ଆଣିଲା ପରି ଚାରିଆଡ଼େ ଖୋଜା ପଡ଼ିଛି ଭଲ ଲୋକ ।

 

ଦାସିଆକୁ ପୁଣି ଡାକରା ଆସିଲା ଆଉଜଣେ ବାବୁଙ୍କ ଘରୁ । ସେ ଗୋଟିଏ ଘର ତିଆରି କରିବେ । ସେଠି ଜଗି ରହିବାକୁ ଜଣେ ଭଲ ଲୋକ ଲୋଡ଼ା ।

 

ଦାସିଆର ମୁହଁରେ ହସ ଫୁଟି ଉଠିଲା–ସେ ବାବୁ କହିଥିଲେ ଚୋର । କହିଲେ କହନ୍ତୁ । ମୁଁ ତ ଚୋର ନୁହେଁ । ଚୋର ହୋଇ ନ ଥିଲି ବୋଲି ସିନା ପୁଣି ଥରେ ମତେ ଲୋକ ଡାକୁଛନ୍ତି ।

 

ଭାରି ଉତ୍ସାହରେ ଦାସିଆ ନୂଆ ବାବୁଙ୍କ ପାଖକୁ ଆସିଲା । ସେଇଠି ଥାଏ, ସବୁ ସଜିଲ ହେଲେ ସେ ଯିବ । ମନଟା ଛକପକ ହେଉଥାଏ ପୁରୁଣା ବାବୁଙ୍କୁ ଥରେ ଦେଖିବାପାଇଁ ।

 

ଦିନେ ତା’ର ଆଖି ଖୋଷି ହୋଇଗଲା । ସେଇ ବାବୁ ଆସିଛନ୍ତି କୁଣିଆ ହୋଇ । କୋଉଠି ଯାଉଥିଲେ ମଟର ପାଇଲେ ନାହିଁ ବୋଲି ଦି’ଘଡ଼ି ବସିଯିବେ ।

 

ଗାଧୋଇ ଆସି ଲୁଗା ଶୁଖାଇଲା ବେଳେ ଦାସିଆ ବାବୁଙ୍କୁ ଦେଖି ସେମିତ ଦାନ୍ତ ଦେଖାଇ ଓଳଗି ହେଲା ।

 

ବାବୁ ହଠାତ୍‍ ଚିହ୍ନି ପାରିଲେ ନାହିଁ । ସେ କ’ଣ କଥା ହେଉଥିଲେ । ଟିକକ ପରେ କହିଲେ–ତୁ–

 

ଆଜ୍ଞା । ମୁଁ ପରା ଆପଣଙ୍କ ପାଖରେ ଥିଲି ।

 

–ଆରେ ସତେ ତ । ତୁ ସେଇ ଚୋର ନା ?

 

–ଆଜ୍ଞା ମୁଁ ଚୋରି କରି ନାହିଁ । ମୁଁ ଚୋର ନୁହେଁ ।

 

ନୂଆ ବାବୁ ପଚାରିଲେ–ଚୋର କ’ଣ ?

 

ଦାସିଆ କହିଲା ତାଙ୍କ ଲୋକେ ଚୋରି କରିଥିଲେ ଖଣ୍ଡେ ଲଙ୍ଗଳ ଲୁହା ।

 

–ତମେ ତିନିହେଁ ବାଣ୍ଟି ନେଇଥିଲ କହି ଇଂରାଜୀରେ ବୁଝେଇ ଦେଲେ ନୂଆ ବାବୁଙ୍କୁ ଯେ ଦାସିଆ ଗୋଟିଏ ଚୋର ।

 

ଚିନ୍ତିତ ହୋଇ ନୂଆ ବାବୁଟି କହିଲେ–ମତେ ଜଣେ ପଠେଇ ଦେଇଛନ୍ତି ତାକୁ–ଭଲ ଲୋକ ବୋଲି ।

 

ହସି ପୁରୁଣା ବାବୁଟି କହିଲେ–ମୁଁ ତ ସେମିତି ଜଣକ ସୁପାରିସରେ ତାକୁ ଆଣିଥିଲି, ପାନେ ପାଇଲି ।

 

–ସତେ ? ଏମିତି କଥା !

 

ଦାସିଆ ଶୁଣୁଥାଏ । ବଡ଼ଲୋକଙ୍କୁ ଉତ୍ତର ନାହିଁ । ସେ ଫେରିଗଲା । କଂସାଏ ପଖାଳ ଆଉ ଯୋଡ଼ିଏ ଲଙ୍କା ଧରି ଖାଇ ବସିଛି, ବାବୁମାନେ ଫେରିଲେ ।

 

ସଫା ଚାଉଳର ଭାତ । ପେଜ କମ୍ ଥିବାରୁ ଥୋଡ଼ାଏ ପାଣି ମିଶା ପଖାଳ । ଦାସିଆ ଖାଉଛି । ଦୁଇ ବାବୁଙ୍କ ଆଖିରେ ସେହି ସତର୍କ ଚାହାଣୀ–ଦାସିଆ ଚୋର । ଜଣେ ବାବୁ ଆଉ ଜଣକୁ ମତେଇ ତାଙ୍କ ମନକୁ ବଦଳେଇ ଦେଇଛନ୍ତି । ବାବୁ ବାବୁଙ୍କ କଥାକୁ ବିଶ୍ୱାସ କରେ ।

 

ପୁରୁଣା ବାବୁ ଫେରିଗଲେ । ଗଲାବେଳେ ଦାସିଆର ମୁହଁ ପାଖରୁ ଥାଳି ଖଣ୍ଡକ ଖସେଇ ଦେଇ ଯାଇଛନ୍ତି ।

 

ନୂଆ ବାବୁଟି ଫେରିଆସି ତାଙ୍କ ସ୍ତ୍ରୀଙ୍କୁ କହିଲେ–ଦାସିଆ ସୁବିଧା ହେବ ନାହିଁ । ନୂଆ ଲୋକ ଆଣିବା, ସେ ପରା ଚୋରି କରିଥିଲା ।

 

–ସତେ ? ତେବେ ତାଠି ଆଉ କାମ କ’ଣ ? ସବୁ ତ ନେଇଯିବ ।

 

–କ’ଣ କରିବା ? ସେ ଯାଉ ।

 

–ଅକାରଣ ତାକୁ ସାତବକ୍ତ ଖୁଆଇଲି । ଅକାରଣ–

 

–ଯାହା ହେଲା ହେଲା, ସେ ଯାଉ ।

 

ଦାସିଆ ଖାଇ ସାରିଲା ପରେ ଯେତେବେଳେ ଦାନ୍ତ ଦେଖାଇ ଆସି ଠିଆହେଲା ବାବୁ କହିଲେ–ଆରେ ଦାସିଆ, ତତେ ମୁଁ ରଖିପାରିବି ନାହିଁ ।

 

–କାହିଁକି ? କ’ଣ ହେଲା ?

 

–ତୁ ତାଙ୍କ ଘରେ ଚୋରି କରିଥିଲୁ ?

 

–ନାଇଁ ବାବୁ, ମୁଁ ଚୋର ନୁହେଁ । ଦାସିଆର ଆଖି ଚଞ୍ଚଳ ହୋଇଉଠିଲା । ମିଛ ଅପବାଦ, ସେ ବାବୁ କେଡ଼େ ଖରାପ ଲୋକ ।

 

–ନାଇଁରେ ହବ ନାହିଁ । ମନ ଯେତେବେଳେ ବାରିଲାଣି, ଆଉ ତୋଠି କାମ ନାହିଁ । ତୁ’ଯା ।

 

ସଞ୍ଜବେଳେ ଦାସିଆ ବାବୁଙ୍କୁ ଶୁଖିଲା ମୁହଁରେ ଚାହିଁ ପୁଣି ଫେରିଗଲା ଗାଁକୁ । ଗଲାବେଳେ ତା’ର ଅଭିଯୋଗ–ସତ କଥାଟାକୁ ସତ ବୋଲି ଜଣେ ବାବୁ ବି କହିଲା ନାହିଁ । ସେ କିଛି ନ କରି ବୃଥାରେ ଅର୍ଜିଛି ଗୁଡ଼ାଏ ଅପବାଦ–ତା’ର କପାଳ ପୋଡ଼ା ।

 

ଉପରକୁ ଚାହିଁ ସେ ବୁଡ଼ିଯାଉଥିବା ସୂର୍ଯ୍ୟକୁ ଦେଖି କହିଲା–ଠାକୁରେ, ସଂସାରରୁ ସତ ଲୁଚିଯାଉଛି । ଆଉ ତାରି ପଛେ ପଛେ ଆମପରି ଅଭାଗା ସରିଯିବେ । ହଉ ।

☆☆☆

 

କାକର

 

ଆନନ୍ଦ ବାବୁ ଡାକ୍ତର । କାଠଯୋଡ଼ି କୂଳରେ ତାଙ୍କର ଘର । ଡାକ୍ତରୀ କରି କରି ବୁଢ଼ା ହୋଇଗଲେଣି । ଡାକ୍ତର ହିସାବରେ ନାଁ ଅଛି । ଲୋକ ହିସାବରେ ସମସ୍ତେ ତାହାଙ୍କୁ ଭଲ ପାଆନ୍ତି-। ତାଙ୍କର ବ୍ୟବହାର ସ୍ନେହମିଶା ମିଠାଳିଆ ।

 

ତାଙ୍କର କେହି ନାହିଁ । ସେ ତାଙ୍କର ବାପା ମା’ଙ୍କର ଗୋଟିଏ ପିଲା । ସେମାନେ ମରିଗଲେଣି । ଆନନ୍ଦ ବାବୁ ନିଜେ ବାହା ହୋଇ ନାହାନ୍ତି । ତେଣୁ ତାଙ୍କର ପରିବାର କେହି ନାହିଁ ।

 

ସନ୍ଧ୍ୟାବେଳେ ଆନନ୍ଦ ବାବୁ କାଠଯୋଡ଼ି କୂଳରେ ବୁଲନ୍ତି । କେତୋଟି ବୁଢ଼ା ତାଙ୍କର ସାଙ୍ଗ । ସେମାନେ ପୂର୍ବମୁହାଁ ହୋଇ ବସି ରହନ୍ତି–ଆଗରେ ଟିକିଏ ଦୂରରେ ମଶାଣି ଦିଶୁଥାଏ ।

 

ତାଙ୍କ ଭିତରେ ଗପ ପଡ଼େ–ସମସ୍ତଙ୍କ ମୁଣ୍ଡବାଳ ଧଳା ରୂପେଲି ରଙ୍ଗ ହୋଇଗଲାଣି । କିଏ ଆଗେ ଯିବ, କାହାର ସମୟ ହୋଇଗଲାଣି, କାହାର କେତେ ଜଣ ଲୋକ ନିଆଶ୍ରା ହୋଇଯିବେ, କାହାର କି ସୁଖ ଭୋଗ ବାକି ରହିଲା ।

 

ପାଚିଲା ବାଳରେ ହାତ ମାରି ଲେଚା ଆଖିପତାକୁ ସାଉଁଳି ସେମାନେ ଏହିସବୁ ପ୍ରଶ୍ନ ଉତ୍ତର କରନ୍ତି ।

 

ମଢ଼ ପୋଡ଼ା ରଡ଼ ଦିଶୁଥାଏ–ଆଗାରେ ଖାନନଗର ମଶାଣି । ସେହି ମାଟି ଉପରେ ଏମାନେ ଜଣ ଜଣ ହୋଇ ପୋଡ଼ା ହେବେ ।

 

ଆଉ କ’ଣ ରହିବ ?

 

ଏହିସବୁ କଥା ନୂଆ ନୁହେଁ । ବହୁତ ଥର ଏହି ଜଟିଳ କଥାର ମୀମାଂସା ହୋଇଛି । ବହୁତ ଥର ଏହି ପ୍ରଶ୍ନ ଉତ୍ତର ହୋଇଛି । ଆନନ୍ଦ ବାବୁ ଏହି ବିଷୟରେ ବହୁତ କହିଛନ୍ତି । ବହୁତ ଶୁଣିଛନ୍ତି ।

 

ସେମିତି ଦିନେ ଶୁଣି ଫେରିଆସିଲେ ।

 

ଭାବି ଦେଖିଲେ–ରାଜମିସ୍ତ୍ରୀ ମକରା ତାଙ୍କର ରହିବା କୋଠାଘରଟି ତୋଳିଛି । କୋଠା ଥିବାଯାଏ ହୁଏତ ମକରା ବଞ୍ଚିରହିବ । କେଶରୀ ରାଜା କାଠଯୋଡ଼ି ପଥର ବନ୍ଧ ତିଆରି କରିଥିଲେ; ଆଜିଯାଏ ସେହି କଥା ପଥର ବନ୍ଧ ଘୋଷୁଛି । ତାଙ୍କର ଚାକର ଦୀନା ତିନୋଟି ପିଲା ରଖିଯାଇଛି । ବୁଢ଼ା, ବୈଠକର ଯିଏ ବଡ଼ ପଣ୍ଡା ପ୍ରତିଦିନ ସେ କହନ୍ତି ଯେ, ବୟସ ହିସାବରେ ତାଙ୍କର ପରୱାନା ଆଗ ଆସିବ । ସେ ରଖିଯାଇଛନ୍ତି–ବାଇଶ ବର୍ଷର କନ୍ୟାଭାର୍ଯ୍ୟା ଆଉ ଗୋଟିଏ ବର୍ଷକର ଝିଅ ।

 

ଆନନ୍ଦବାବୁ କିଛି ରଖି ନାହାନ୍ତି । ଏହି ନ ରଖିପାରିବା ହୁଏତ ଭୁଲ୍ । ଖିଆଲ ପଛରେ ଏତେଦିନ କଟେଇ ଦେଲେ ।

 

କାନ୍ଥରେ ଆରିଶି ଟଙ୍ଗା ହୋଇଥାଏ । ମୁଣ୍ଡବାଳ ଝୋଟ ହୋଇଯାଇଛି । ଗାଲ ଉପରେ ହାଡ଼କୁ ଚମ ଢାଙ୍କିଛି ।

 

ଟିକିଏ ଛାଡ଼ି ତାଙ୍କର ଘର କାନ୍ଥରେ ପିଲା ଦିନର ଫଟୋ ରହିଛି । ସେ ସୁନ୍ଦର ଥିଲେ । ମୁହଁ ଉଜ୍ଜ୍ୱଳ ଥିଲା । ଆଖିରେ ତେଜ ଥିଲା । ସେ ସବୁ ଆଜି ଲିଭି ଯାଇଛି ।

 

ଆଗରେ କାଠଯୋଡ଼ିର ଶୁଖିଲା ବାଲି । ମଝିରେ ଛୋଟିଆ ପାଣି ଧାରରେ ଅଳ୍ପ ପାଣି-

 

ଖରାଦିନର ଗରମରୁ ସେତିକି ପାଣି କାଠଯୋଡ଼ି ନଈ ଯେମିତି ବଞ୍ଚେଇ ରଖିପାରିଥିଲା, ଆନନ୍ଦବାବୁ ମନେ କରନ୍ତି ଯେ ସେ ବି ସେମିତି ତାଙ୍କର ସରିଆସୁଥିବା ଜୀବନର ଶେଷ କେଇଟା ଦିନ ସଞ୍ଚି ରଖି ପାରିଛନ୍ତି ।

 

ସେତିକି ନିଶ୍ଵାସ ମାରି ମାରି କଟେଇ ଦେଲେ, ସେ ଛୁଟି ପାଇଯିବେ ।

 

‘ସତରେ କ’ଣ ଛୁଟି ?’ ଏହି ପ୍ରଶ୍ନ ତାଙ୍କର ମନରେ ରକ୍‍କା ପରି ରହିଯାଏ ।

 

ଦୁର୍ବଳ ଦେହ ଭିତରେ ମନ ଦୁର୍ବଳ ହୋଇଯାଇଥାଏ । ସେହି ଦୁର୍ବଳତାକୁ ଏହିସବୁ ଦୁର୍ଭାବନା ସତେ ଯେମିତି ଆଉରି ଚାପି ରଖିଦିଏ ।

 

ତଥାପି ସେ ତାଙ୍କର ପ୍ରତିଦିନ କାମ କରିଯାଆନ୍ତି । ଯେଉଁ ନିୟମରେ ଏତେ ଦିନ ସେ କଟେଇଥିଲେ, ସେଥିରୁ ବ୍ୟତିକ୍ରମ ହୁଏ ନାହିଁ ।

 

ଚଉଧୁରୀ ବଜାରର ହାଟ । ପ୍ରତିଦିନ ନିଜେ ଯାଇ ବଜାର ଆଣିବା ତାଙ୍କର କାମ ଭିତରୁ ଗୋଟିଏ ।

 

ଦିନକରେ ସେ ମାଉଁସ ଦୋକାନରେ ମାଉଁସ କିଣୁଥାନ୍ତି । ରବିବାରିଆ ଗହଳି ଆରମ୍ଭ ହେଇ ନ ଥାଏ ।

 

ଆଉ ଜଣେ ବୟସ୍କା ସ୍ତ୍ରୀଲୋକ ଆସିଲେ । ବୟସ ପଚାଶ ଆରପାଖ । ମୁଣ୍ଡର ବାଳଗୁଡ଼ିକ ବାରପଣ ଧଳା ହୋଇଗଲାଣି । ଆଖିରେ ଚଷମା ।

 

ଦେଖିଲେ ମନେହୁଏ ଟିକିଏ ରୁକ୍ଷ ପ୍ରକୃତିର, ଦେହ ଭାରି ଦୁର୍ବଳ ।

 

ଯୌବନ ପାର ହେଇଯାଇଛି । କାଠ ଜଳିଗଲେ ଯେମିତି ଖାଲି ପାଉଁଶତକ ରହିଯାଏ, ସେମିତି ତାଙ୍କର ବୟସ ଗଡ଼ି ଗଡ଼ି ଚାଲିଯାଇଛି, ଖାଲି ହାଡ଼ ଚମ ରଖିଯାଇଛି ।

 

ସେତକ ସେ ଅଭ୍ୟାସ ଅନୁସାରେ ଭଲ ଶାଢ଼ିରେ ସଜେଇଛନ୍ତି । ଦାମିକା ଜୋତା ପିନ୍ଧିଛନ୍ତି । ବାସନା ମହକରେ ନିଜକୁ ବୁଡ଼େଇ ରଖିଛନ୍ତି ।

 

ଏହିସବୁ ଏକାଠି କରି ସୁଦ୍ଧା ସେ କାହାରି ଆଖି ତେଣିକି ଟାଣି ପାରନ୍ତି ନାହିଁ ।

 

ତାଙ୍କର ଏହି ଅନୁଭୂତି ଅତି ପୁରୁଣା ।

 

ଅନେକ ଦିନ ପରେ ନୂଆ କଥା ପୁରୁଣା ହୁଏ, ସୁନ୍ଦର ଜିନିଷ ସୌନ୍ଦର୍ଯ୍ୟ ହରାଏ । ସେ ଦିନେ ଯୁବତୀ ଥିଲେ–ସେହି ଯୌବନ ଚାଲିଯାଇଛି । ରସିକା ଥିଲେ–ସେହି ରସିକତା ଆଜି ଅର୍ଥହୀନ ।

 

ଆନନ୍ଦ ବାବୁ ମାଂସ ଦୋକାନରୁ ବାର ଅଣାର ମାଂସ କିଣି ଟଙ୍କାଟିଏ ଦେଇ, ପଇସା ଫେରସ୍ତ ନ ଆଣି ଚାଲି ଆସିଲେ । ଟିକିଏ ଯେପରି ଭୁଲ୍ ହୋଇଗଲା ।

 

ଏତିକି ସେହି ବୟସ୍କା ସ୍ତ୍ରୀଲୋକ ଜଣକ ଲକ୍ଷ୍ୟ କରିଥିଲେ । ସେ ପଇସା ଆଣି ଭଦ୍ରତା ଅନୁରୋଧରେ ପଛେ ପଛେ ଆସିଲେ ଦେଇଯିବାପାଇଁ ।

 

ସେତେବେଳେ ସେ ଗାଡ଼ିରେ ବସିଥିଲେ । ଗାଡ଼ି ସ୍ତ୍ରୀଲୋକଟିର ଇସାରାରେ ବନ୍ଦ ରହିଲା । ଆଗ୍ରହରେ ଆନନ୍ଦ ବାବୁ ଅପେକ୍ଷା କରୁଥିଲେ ।

 

ସେଠି ଆଳାପ ହେଲା । ସେ ବି ବଡ଼ ସଂକ୍ଷେପରେ ।

 

ଆନନ୍ଦ ବାବୁ କହିଲେ, “ଆପଣଙ୍କୁ ଧନ୍ୟବାଦ । ତେବେ ଆପଣଙ୍କ ପରିଚୟ ମୁଁ ପାଇଲି ନାହିଁ ।’

 

ସେହିପରି ଦୁର୍ବଳ ସ୍ଵରରେ ଉତ୍ତର ପାଇଲେ ‘ମୋର ନାଁ ହେମପ୍ରଭା ଦେବୀ ।’

 

ଟିକିଏ ପରେ ସେ ଆନନ୍ଦ ବାବୁଙ୍କ ପରିଚୟ ନେଲେ ।

 

ଆଶ୍ଚର୍ଯ୍ୟ ହେଲାପରି କହିଲେ, ‘ଆପଣ ହେଉଛନ୍ତି ଆନନ୍ଦ ବାବୁ । ମୁଁ ଆପଣଙ୍କ ପାଖକୁ ଯିବାପାଇଁ ମନେମନେ ଠିକ୍ କରିଥିଲି–ମୋର ଦେହ ବିଷୟରେ ପଚାରିବାପାଇଁ ।’

 

ଆନନ୍ଦ ବାବୁ ଦିନ ଠିକ୍ କରିଦେଲେ । ସେତିକିରେ ବିଦାୟ ।

 

କିନ୍ତୁ ସେତିକିରେ ସବୁ କଥା ଛିଡ଼େ ନାହିଁ ।

 

ଆନନ୍ଦ ବାବୁଙ୍କର ଜୀବନରେ ନୂଆ ଅଧ୍ୟାୟର ଉପକ୍ରମ ହଉଥିଲା । 

 

ସେହିଦିନରୁ ସେ ତାଙ୍କର ଉଦବେଗ ନେଇ ଅପେକ୍ଷା କରି ରହିଥିଲେ ।

 

ହେମପ୍ରଭା ଆସିଲେ । ସେ ରୋଗୀ ହିସାବରେ ଆସିଥିଲେ ।

 

ଆନନ୍ଦ ବାବୁ ଦୁର୍ବଳତା କେବେ ଦେଖାଇ ନାହାନ୍ତି । ତାଙ୍କ ମନ ଭିତରେ ଦୁନିଆଯାକର ଯେତେ କଥା ପ୍ରତି ଦୁର୍ବଳତା ରହିଥିଲା ସବୁ ସେ ଢାଙ୍କି ଢାଙ୍କି ରଖିଦେଇ ଆସିଥିଲେ । ସେହି ଅଭ୍ୟାସ ଅନୁସାରେ ତାଙ୍କର ଲୋକଦେଖାଣିଆ ବାହାରଟା ବଦଳିଯାଇଛି ।

 

ହେମପ୍ରଭା ଦେବୀଙ୍କୁ ଦେଖି ସେ ଖୁସି ହେଲେ । ଅନେକ ସମୟରେ ଜଣେ ଜଣେ ଲୋକଙ୍କୁ ଦେଖିଲେ ମନରେ ଉଲ୍ଲାସ ଆସେ ।

 

ତଥାପି ସେ ଡାକ୍ତର ହିସାବରେ କହିଲେ, ‘ଆପଣଙ୍କୁ ମୁଁ ତିନି ସପ୍ତାହ ଦେଖିବି–ରୋଗର ଗତିବିଧି ବୁଝି ତିନି ସପ୍ତାହ ପରେ ଔଷଧ ଦେବି । ପ୍ରତି ସପ୍ତାହରେ ଦୁଇଥର କରି ଆସିବେ ।’

 

ହେମପ୍ରଭା ଆସନ୍ତି । ତାଙ୍କ ଦେହର ଭଲ ମନ୍ଦ କହିଯାଆନ୍ତି । ଡାକ୍ତର ବାବୁ ବସି ଶୁଣନ୍ତି–ଦୁହଁଙ୍କର ମନ ସ୍ଥିର ଓ ଅବିକୃତ ।

 

ତିନି ସପ୍ତାହ ପରେ ସେ କହିଲେ, ‘ଆପଣଙ୍କ ରୋଗ ଜାଣିଲି । ତେବେ ଏହିଟା ଔଷଧରେ ଭଲ ହେବ ନାହିଁ । ଆପଣ ବିବାହ କରି ନ ଥିବାରୁ ଏହି ରୋଗ ହୋଇଛି–ବିବାହ ଛଡ଼ା ଏହାର ପ୍ରତିକାର ନାହିଁ ।

 

ହେମପ୍ରଭା ଦୁଃଖିତ ହୋଇ କହିଲେ, “ଆନନ୍ଦ ବାବୁ, ଆପଣ ମୋର ଯୌବନ ଦେଖୁଛନ୍ତି–ଆଉ ଏହି ଦିନରେ କ’ଣ ମୁଁ ବିବାହ କରିପାରିବି ? ...ଯଦି କରେଁ, ତେବେ କାହାକୁ ?’

 

ଡାକ୍ତର କହିଲେ, ‘ଆଚ୍ଛା–ଆଉ ପନ୍ଦର ଦିନ ପରେ ଆସିବେ–ମୁଁ ହୁଏତ କାହାରି ନାଁ କହିପାରେ ।’

 

ପୁଣି ପନ୍ଦର ଦିନ–

 

ହେମପ୍ରଭା ଯାଇଥିଲେ । ମନ ଭିତରେ ଅନେକ ଦିନ ତଳର ଚାପିଦିଆ ମାତୃତ୍ଵ ଓ ନାରୀତ୍ଵ ମୁଣ୍ଡ ଟେକି ଉଠୁଥିଲା । ତାହାରି ଡାକ ସେ ଏଡ଼େଇ ପାରୁ ନ ଥିଲେ ।

 

ଆନନ୍ଦ ବାବୁ ଟିକିଏ ଚାହିଁ ତରତର ହୋଇ କହିଲେ, ‘ହଁ ଠିକ୍ କରିଛି । ମୁଁ ଯଦି ନିଜେ–-।’

 

ସେତିକି–ହେମପ୍ରଭା ଗମ୍ଭୀର ହୋଇ ବସି ରହିଲେ । ଟିକିଏ ପରେ କହିଲେ, ‘ସାତ ଦିନ ସମୟ ନେଇ ମୁଁ ଭାବି କହିବି ।’

 

ସାତ ଦିନ–

 

ଦୁହିଁଙ୍କର ମନ ଅନିଶ୍ଚିତ ଉତ୍କଣ୍ଠା ଭିତରେ ଯାଇଛି ।

 

ଦେବାଳିଆ ସେଠ ଯେମିତି ତାହାର ବିକାକିଣା କାରବାର କରିଯାଏ ।

 

ଆସିଲେ–ହେମପ୍ରଭା ଠିକ୍ କରିଛନ୍ତି ଯେ ତାହାଙ୍କର ସ୍ଵୀକୃତି ଦେଇଯିବେ ।

 

ସେମିତି ଅତି ସଂକ୍ଷେପରେ । ସେଦିନ ବି ଦୁଇଜଣ ଗମ୍ଭୀର ।

 

ବିବାହ ବୟସ ଦୁଇ ଜଣ ପାର ହୋଇଛନ୍ତି । ପାଣି ମାଠିଆ ନିଗାଡ଼ି ହୋଇଗଲେ ଯେଉଁ ବଳକା ଟିକିଏ ମାଠିଆ ସାଙ୍ଗରେ ଲାଗିହୋଇ ରହିଯାଏ, ଜୀବନର ଶେଷ ଭାଗରେ ତାଙ୍କର ଚଞ୍ଚଳତା ଓ ସରସତା ଠିକ୍ ସେତିକି ରହିଥିଲା ।

 

ବିଭାଘର ହୋଇଯାଇଛି । ସେତେ କିଛି ଘଟା ହେଇନାହିଁ ।

 

ହେମପ୍ରଭା ଚାକିରି ଛାଡ଼ି ଦେଇଛନ୍ତି । ଆନନ୍ଦ ବାବୁ ଡାକ୍ତରୀ ବନ୍ଦ କରିଦେଇଛନ୍ତି ।

 

ଯାହା କିଛି ରଖିଥିଲେ ସେତିକି ନେଇ ସେମାନେ ରହିଥାନ୍ତି ଆନନ୍ଦରେ ।

 

ଆଗରେ କାଠଯୋଡ଼ି ନଈ । ଖରାଦିନେ ଶୁଖିଯାଇଥିଲା ସେ ପୁଣି ଫୁଲି ଉଠିଛି ।

 

ଅନେକ ଦିନ ପରେ ପୁଣି ଥରେ ମତୁଆଲା ହୋଇ ଧାଇଁଛି ନିଜକୁ ନିଗାଡ଼ି ନିଗାଡ଼ି ସାରିଦେବାପାଇଁ ।

 

ଏଣେ ଦୁଇ ଜଣ ବୁଢ଼ା ଜଣେ ଜଣକ କାନ୍ଧରେ ହାତ ଥୋଇ ଚାଲିଛନ୍ତି–ଶେଷ କେତୋଟି ଦିନ ବିତେଇ ଦେବାପାଇଁ ।

 

ଦିନ ସରିଯିବ । ନଈ ଶୁଖିଯିବ ।

 

ସେ ଆଗକୁ ପୁଣି ଚାହିଁ ରହିବ–ଦିନେ ବଞ୍ଚିବ ବୋଲି ଆଉ ଚଞ୍ଚଳ ହୋଇ ଉଠିବ ବୋଲି ।

 

କିନ୍ତୁ ଏହି ଦୁଇ ଜଣ ସେମାନଙ୍କର ଦୁଃଖସୁଖ ନେଇ ଚାଲିଛନ୍ତି–ନିଶ୍ଚଳ ହୋଇ ରହିଯିବାପାଇଁ ।

 

ସେହି ଏକା କଥା–କିଏ ଆଗେ ଯିବ ? ଦୁହିଁଙ୍କୁ ମଶାଣି ଡାକ ଛାଡ଼ିଛି ।

 

ଆଉ ଆଗ ଛୁଟି ପାଇବାପାଇଁ ଦିହେଁ ଡାକୁଛନ୍ତି ଠାକୁରଙ୍କୁ ।

 

ଠାକୁର ଯଦି ଥାଏ, ସେ କାହା କଥା କେବେ ଶୁଣିବ ବା କାହିଁକି ଶୁଣିବ, ସେ ଦିହେଁ ଜାଣନ୍ତି ନାହିଁ ।

Image